mission shakti banner

ଅନ୍ଧଗଳିରେ ମଣିଷ

ପ୍ରଫୁଲ୍ଲ କୁମାର ପାଣି

nua o banner

ଗଭୀର ଯୁକ୍ତିହୀନ ବିଶ୍ବାସ, ଯାହା ବିଜ୍ଞାନସମ୍ମତ ନୁହେଁ- ତାହାକୁ ଆମେ ଅନ୍ଧବିଶ୍ବାସ କହିପାରିବା। ଅନ୍ଧବିଶ୍ବାସକୁ କିଛି ବ୍ୟକ୍ତି ଗ୍ରହଣ କରୁଥିବାବେଳେ ଆଉ କିଛି ବ୍ୟକ୍ତି ପାରମ୍ପରିକ ସୂତ୍ରରେ କିମ୍ବା ବାଧ୍ୟବାଧକତାର ସହିତ ଇଚ୍ଛା ବିରୁଦ୍ଧରେ ମଧ୍ୟ ଗ୍ରହଣ କରିଥାନ୍ତି। ମଣିଷର ସାମାଜିକ ଚଳଣି ସହିତ ବିଭିନ୍ନ ପ୍ରକାର ଅନ୍ଧବିଶ୍ବାସ ତା’ ଜୀବନରେ ଯୋଡ଼ି ହୋଇଯାଇଛି। ଯଦିଓ ଶିକ୍ଷା, ସଂସ୍କାର ଓ ବିଜ୍ଞାନର ପ୍ରଭାବରେ ମଣିଷ ଧୀରେ ଧୀରେ ଏଇ ଅର୍ଗଳିରୁ ବାହାରିବାକୁ ଚେଷ୍ଟା କରୁଛି, ତଥାପି ମଣିଷ ମନରେ ଅନେକ ଅନ୍ଧବିଶ୍ବାସ ବସା ବାନ୍ଧି ତା’କୁ ପଛକୁ ଟାଣୁଛି। ଅନ୍ଧବିଶ୍ବାସର ଅଡୁଆ ସୂତାରେ ସେ ଛନ୍ଦି ହୋଇପଡୁଛି। ଉଡୁଡ଼ି ଯାଉଛି ସୁନାର ସଂସାର। କେଉଁଠି ନା କେଉଁଠି ନିତି ଗଡୁଛି ମୁଣ୍ଡ। କଳୁଷିତ ଓ ତଳିତଳାନ୍ତ ହେଉଛି ତା’ର ସାମାଜିକ ଜୀବନ ବିକାଶ। ଆମ ଦୈନନ୍ଦିନ ଚଳଣିରେ ଆମେ ଯେଉଁ ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇଥାଉ ତା’ର କେତୋଟି ଉଦାହରଣ ନିଆଯାଇପାରେ। ଶନିବାରରେ ନଖ ଏବଂ କେଶ ନ କାଟିବା, ରାସ୍ତାରେ କଳା ବିରାଡିଟିଏ ଅତିକ୍ରମ କଲାବେଳେ ଅଟକିଯିବା, ଶିଶୁଙ୍କ ସୁରକ୍ଷା ପାଇଁ ଶେଯ ତଳେ ଲୁହା କଣ୍ଟା ରଖିବା, ସଂଧ୍ୟା ସମୟରେ ଘର ନ ଓଳେଇବା, ଏକତ୍ର ତିନିଜଣ ପୁରୁଷ ଶୁଭକାର୍ଯ୍ୟରେ ଯାତ୍ରା ନ କରିବା, ଶିଶୁମାନଙ୍କୁ ନଜର ନ ଲାଗିବା ପାଇଁ କପାଳରେ କଳାଟୋପା ପିନ୍ଧେଇଦେବା- ଏହିପରି ବହୁ ଅନ୍ଧବିଶ୍ବାସକୁ ମଣିଷ ଆପଣେଇ ନେଇଛି।

ଅଧିକନ୍ତୁ ଆମ ସାମାଜିକ ଚଳଣିରେ ଆଉ କେତେକ ଅନ୍ଧବିଶ୍ବାସ ଅଛି ଯାହା ମଣିଷର ବହୁ କ୍ଷତିସାଧନ ମଧ୍ୟ କରୁଛି। ଯଥା ପଶୁବଳି ପରମ୍ପରା, ଗୁଣିଗାରେଡ଼ି, ଝଡ଼ାଫୁଙ୍କା, ଶିଶୁମାନଙ୍କୁ ଚେଙ୍କଦେବା, ଗୁଣିଆମାନଙ୍କ ଦ୍ବାରା ଭୂତପ୍ରେତ ଛଡେଇବା ଇତ୍ୟାଦି। ଗୁଣିଗାରେଡ଼ି ଉପରେ ବିଶ୍ବାସ କରିବା ମଣିଷ ମନର ଏକ ଉଦ୍ଭଟ ଆଉ ଉତ୍କଟ ଅନ୍ଧବିଶ୍ବାସ। ଆଶ୍ଚର୍ଯ୍ୟର କଥା ଆଜିର ସମୟରେ ମଧ୍ୟ କେତେକ ଶିକ୍ଷିତ ଲୋକ ଗୁଣିଗାରେଡ଼ି ଉପରେ ବିଶ୍ବାସ ରଖନ୍ତି। ଆଦିବାସୀ ତଥା ଜନଜାତି ସଂପ୍ରଦାୟର ଜନସାଧାରଣ ପରସ୍ପରକୁ ଗୁଣିଗାରେଡି ସନ୍ଦେହର ବଳୟ ମଧ୍ୟରେ ହିତାହିତ ଭୁଲି ଜଘନ୍ୟ ନାରକୀୟ ହତ୍ୟାକାଣ୍ଡ ରଚିବା ଘଟଣା ଏବେ ପ୍ରତିଦିନ ସମ୍ବାଦପତ୍ରର ପୃଷ୍ଠାମଣ୍ଡନ କରୁଛି। ଅକାରଣରେ ବଳିପଡୁଛି ବହୁ ନିରୀହ ଜୀବନ। ଉଜୁଡି ଯାଉଛି ସୁନାର ସଂସାର। ନିଆଁପାଣିର ସାମାଜିକ ବାସନ୍ଦ ସହିତ ବାସହରା ହେଉଛି ନିର୍ଦୋଷ ବ୍ୟକ୍ତି।

ମାନସିକ ଦୁର୍ବଳତା ଅନ୍ଧବିଶ୍ବାସର ଏକ ପ୍ରମୁଖ କାରଣ। କେଉଁ କାରଣରୁ ମଣିଷଟି ଶାରୀରିକ ଦୁର୍ବଳତା ଅନୁଭବ କରୁଛି ଓ ଅସ୍ବାଭାବିକ ପରିସ୍ଥିତିର ସାମନା କରୁଛି- ସେ କ୍ଷେତ୍ରରେ ଡାକ୍ତରଙ୍କ ପରାମର୍ଶ ସହିତ ରୋଗର ନିଦାନ ନ ଖୋଜି ଏହା ଭୂତପ୍ରେତର କରାମତି ବୋଲି ଭାବନା ସୃଷ୍ଟି କରାଯାଉଛି। ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ଭୂତପ୍ରେତଙ୍କ କବଳରୁ ମୁକ୍ତି ପାଇଁ ତଥାକଥିତ ଗୁଣିଆ, ତାନ୍ତ୍ରିକ ଓ ସାଧକମାନଙ୍କ ସହାୟତାରେ ପୂଜାର୍ଚ୍ଚନାର ଆୟୋଜନ କରି ଅଯଥା ଖର୍ଚ୍ଚାନ୍ତ ହେଉଛି। ସର୍ପଦଂଶିତମାନଙ୍କୁ ଆଶୁଚିକିତ୍ସା ନିମନ୍ତେ ଡାକ୍ତରଖାନା ନ ନେଇ ଗୁଣିଆ ଦ୍ବାରା ଝଡାଫୁଙ୍କା କରାଇବା ଓ ପରିଶେଷରେ ମୃତ୍ୟୁମୁଖରେ ପଡିବା ଏହା ଅନ୍ଧବିଶ୍ବାସର ଅନ୍ଧଗଳି ନୁହେଁ ତ ଆଉ କ’ଣ?

ସବୁଠାରୁ ଆଶ୍ଚର୍ଯ୍ୟର କଥା ୧୩(ତେର) ସଂଖ୍ୟାକୁ ନେଇ ପ୍ରାୟ ଅଧିକାଂଶ ଦେଶରେ ପରମ୍ପରା ଆଧାରରେ ଅନ୍ଧବିଶ୍ବାସ ରହିଆସିଛି, ଯାହାର କୌଣସି ବୈଜ୍ଞାନିକ ଯଥାର୍ଥତା ନାହିଁ। ଏହି ପ୍ରସଙ୍ଗରେ ବେବିଲୋନିଆନ୍ ଶାସକ ହାମୁରାବି (୧୭୯୨-୧୭୫୦)ଙ୍କ ଦ୍ବାରା ପ୍ରଣୀତ ‘କୋଡ ଅଫ୍ ହାମୁରାବି’ ଆଲୋଚନାସାପେକ୍ଷ। ଏହି କୋଡ୍‌ ପୃଥିବୀର ଏକ ସର୍ବପ୍ରାଚୀନ ଆଇନଗତ ନିୟମକୁ ନେଇ ପ୍ରଣୟନ କରାଯାଇଥିଲା। ୨୮୨ଗୋଟି ଧାରା ମଧ୍ୟରୁ ଲେଖନକାରଙ୍କ ଅସାବଧାନତାବଶତଃ ୧୩ ନମ୍ବର ଧାରାଟି ଲିପିବଦ୍ଧ ହୋଇପାରିନଥିଲା। ସେବେଠାରୁ କାଳକ୍ରମେ ଏହି ୧୩ ନମ୍ବରକୁ ଅଶୁଭ ସଂଖ୍ୟାଭାବେ ମଣିଷ ଗ୍ରହଣ କରିଆସିଛି ବୋଲି ଧରିନିଆଯାଏ। ଆଶ୍ଚର୍ଯ୍ୟର କଥା ଆମେରିକା ଭଳି ଉନ୍ନତ ବିକଶିତ ରାଷ୍ଟ୍ରରେ ମଧ୍ୟ ୧୩ ସଂଖ୍ୟାକୁ ନେଇ ଅନ୍ଧବିଶ୍ବାସ କାୟାବିସ୍ତାର କରିଛି। ଉଦାହରଣ ସ୍ୱରୂପ ହୋଟେଲ୍, ହସ୍ପିଟାଲ, ଫ୍ଲାଇଟ୍ ଓ ଫ୍ଲାଟ୍ ଏହିଭଳି ବହୁ ସ୍ଥାନରେ ୧୩ ନମ୍ବର ସଂଖ୍ୟାର ସ୍ଥାନ ନାହିଁ।

ଅନେକ ସ୍ଥାନରେ ଶିଶୁମାନଙ୍କ ଶରୀର ସୁସ୍ଥତା ପାଇଁ କୋମଳ ଶରୀରରେ ବାରମ୍ବାର ଗରମଲୁହାର ଚେଙ୍କ ଦେବା ଓ ପରବର୍ତ୍ତୀ ପର୍ଯ୍ୟାୟରେ ସେମାନଙ୍କୁ ମୃତ୍ୟୁମୁଖକୁ ଠେଲିଦେବା କେବଳ ନିର୍ବୋଧତାର ନିଦର୍ଶନ ବ୍ୟତୀତ ଅନ୍ୟ କିଛି ନୁହେଁ। ଭାରତର କେତେକ ଅଞ୍ଚଳରେ ଶିଶୁଙ୍କର ନିରାମୟ ଜୀବନ ପାଇଁ ୩୦ଫୁଟ୍ ଉଚ୍ଚତାରୁ ସେମାନଙ୍କୁ ତଳକୁ ନିକ୍ଷେପ କରାଯିବାର ଦୃଶ୍ୟ ଅତୀବ ମର୍ମ ବିଦାରକ। ମାତ୍ର ଅନ୍ଧବିଶ୍ବାସର ବଶବର୍ତ୍ତୀ ଅଭିଭାବକ ଶିଶୁଟିର ମଙ୍ଗଳ ପରିବର୍ତ୍ତେ ମାନସିକ ସ୍ତରରେ ଶିଶୁକୁ କେତେ ଯେ ଆଘାତ ପହଞ୍ଚାଇଥାନ୍ତି, ତାହା ସେମାନେ ବୁଝିପାରିନଥାନ୍ତି।
ଆମେ ଏଠାରେ ଆଉ ଏକ ପର୍ଯ୍ୟାୟକୁ ଆସିବା। ଦେଖାଯାଏ କେତେକ ବ୍ୟକ୍ତିବିଶେଷ ଆଠ ଦଶଗୋଟି ଅଙ୍ଗୁଳିରେ ବିଭିନ୍ନ ଧାତୁ ନିର୍ମିତ ମୁଦ୍ରିକା ଉପରେ ନାନାରଙ୍ଗର ଗ୍ରହଶାନ୍ତି ପଥର ପରିଧାନ କରିଥାନ୍ତି। ଆମେ ଏଠାରେ କାହାର ବିଶ୍ବାସ ବା ସଉକ ଉପରେ ଅଙ୍ଗୁଳି ଉଠାଉ ନାହୁଁ; କିନ୍ତୁ ବାସ୍ତବରେ ଯେଉଁ ଆଧାରରେ ଗ୍ରହପଥର ବ୍ୟବହାରକାରୀ ମଣିଷଟି ବିଶ୍ୱାସକୁ ନେଇଛି ତାହା କେତେଦୂର ସେମାନଙ୍କର ଭାଗ୍ୟ ପରିବର୍ତ୍ତନ କରିଛି, କେବଳ ସେଇମାନେ ହିଁ କହିପାରିବେ। ଆଠ ଦଶଗୋଟି ମୁଦିର ଭିଡ ଭିତରେ ମହାଶୟମାନେ ଜୀବନଚର୍ଯ୍ୟାରେ ନିଶ୍ଚିତଭାବେ ଅସୁବିଧାର ସମ୍ମୁଖୀନ ହେଉଥିବେ-ଏହା ନିଃସନ୍ଦେହ। ଘାତକ କରୋନା ମହାମାରୀ କାଳରେ ସ୍ବାସ୍ଥ୍ୟ ବିଶେଷଜ୍ଞମାନଙ୍କର ମୁଖ୍ୟ ପରାମର୍ଶ ହେଉଛି ‘ହାତ ଧୋଇବା’; ମାତ୍ର ମୁଦିର ବହୁଳ ବ୍ୟବହାର ଦ୍ବାରା ହାତ ଯେତେ ଧୋଇଲେ ମଧ୍ୟ ମୁଦି ଭିତରେ ଭୂତାଣୁ ରହିବା ଥୟ। କହିବା ବାହୁଲ୍ୟ ଗ୍ରହପଥର ଗ୍ରହଶାନ୍ତି କରିବା ପରିବର୍ତ୍ତେ ବିଭିନ୍ନ ରୋଗର ଜୀବାଣୁକୁ ଯେ ନିମନ୍ତ୍ରଣ କରି ଆଣିବ ଏହା ଅପ୍ରିୟ ସତକଥା। ଦୁର୍ବଳ ଚିତ୍ତରେ ବିଶ୍ୱାସ ଜନ୍ମାଇ ଗ୍ରହପଥର ବିକ୍ରେତା ଉପକୃତ- ବିଚରା କ୍ରେତା କେବଳ ଅନ୍ଧବିଶ୍ବାସର ଅନ୍ଧଗଳିରେ ପଥହରା ହୋଇ ଶୋଷିତ ହେବା ହିଁ ସାର।
ଅନୁଧ୍ୟାନରୁ ଜଣାପଡୁଛି ମଣିଷ ଯେତେ ଅତ୍ୟାଧୁନିକ ହେଉ ମଧ୍ୟ କୌଣସି ନା କୌଣସି କ୍ଷେତ୍ରରେ କିଛି ନା କିଛି ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇଛି। ସେ ଦୃଢଭାବେ ଛାତିରେ ହାତରଖି କହିପାରିବ ନାହିଁ ଯେ ମୁଁ ଅନ୍ଧବିଶ୍ବାସର ବିଶ୍ୱାସୀ ନୁହେଁ। ବୋଧହୁଏ ଏହି ପ୍ରକୃତି ବା ଗୁଣଟି ମଣିଷର ପାରମ୍ପରିକ ରକ୍ତଗତ ହୋଇପାରେ। ଆମ୍ଭେମାନେ ଯେକୌଣସି ସମସ୍ୟା ଉପରେ ଆଇନଗତ ସ୍ବର ଉତ୍ତୋଳନ କରି ବିରୋଧକଲେ ମଧ୍ୟ ଅସ୍ଥିମଜ୍ଜାଗତ ଅନ୍ଧବିଶ୍ବାସର ଅନ୍ଧଗଳିରୁ ବାହାରିପାରୁ ନାହେଁ। ଅନ୍ଧବିଶ୍ବାସର ପ୍ରଭାବରେ ମଣିଷ ନିଜର ଶକ୍ତି, ସାମର୍ଥ୍ୟ ଓ ଅର୍ଥର ଅପଚୟ କରୁଛି ଅନେକ କ୍ଷେତ୍ରରେ। ଏସବୁର କୁପ୍ରଭାବ ମାନବସମାଜର ଉନ୍ନତି ପରିବର୍ତ୍ତେ ଅନ୍ଧକାରକୁ ଠେଲିବାଟା ଧ୍ରୁବସତ୍ୟ। ପୁରୁଷାନୁକ୍ରମେ ଓ ପରମ୍ପରା ଆଧାରରେ ଆମ ମାନସିକତା ମଧ୍ୟରେ ଆସ୍ଥାନ ମେଲେଇ ବସିଛି ଅନ୍ଧବିଶ୍ବାସ। ଏବେ ଏ ସମସ୍ୟା ସମ୍ପର୍କରେ ଆମ ସମସ୍ତଙ୍କୁ ବାରମ୍ବାର ଭାବିବାକୁ ପଡିବ।

Comments are closed.