www.samajalive.in
Sunday, December 7, 2025
13.1 C
Bhubaneswar

ଛତୁଫୁଟା ପାଠ

କଥାରେ ଅଛି, ‘ଛତୁ ଫୁଟା କାଠ, ନିଶ ଉଠା ପାଠ’। ହେଲେ ‘ଛତୁ ଫୁଟା ପାଠ’ଟା କ’ଣ? ଏମିତି ଓଲଟ ପାଲଟ କରିବାକୁ ଆମକୁ କିଏ ଅଧିକାର ଦେଲା ବୋଲି ଆପଣ ଭାବୁଥିବେ। ପାଠକବନ୍ଧୁ, ପ୍ରଥମେ ଏ ଢଗଟିର ସାମାନ୍ୟ ବ୍ୟାଖ୍ୟା କରିଦେବା। ‘ଛତୁ ଫୁଟା କାଠ, ନିଶ ଉଠା ପାଠ’ ଏକା ଅର୍ଥରେ ବୁଝାଯାଏ। ନିଶ ଉଠିଯିବା ଅର୍ଥାତ୍‍ ବୟସ ଗଡ଼ିଗଲା ପରେ ପାଠ ପଢିବା ଯାହା, କାଠ ଖରାପ ହୋଇ ସେଥିରେ ଛତୁ ଫୁଟିଗଲେ ତାକୁ ବ୍ୟବହାରରେ ଲଗାଇବା ସେୟା। ତେବେ ‘ନିଶ ଉଠା ପାଠ’ ଏବେ ଆଉ ପ୍ରାସଙ୍ଗିକ ନୁହେଁ। କାରଣ ଶିକ୍ଷାର କୌଣସି ସୀମା ନାହିଁ। ବଞ୍ଚିଥିବା ପର୍ଯ୍ୟନ୍ତ ପାଠ ପଢିହେବ, ଜ୍ଞାନ ଅର୍ଜନ କରିହେବ। ତେଣୁ ବୟସ ଗଡ଼ିଗଲେ ବି ପାଠ ପଢିବାରେ କିଛି ଅସୁବିଧା ନାହିଁ। ତେବେ ‘ଛତୁଫୁଟା ପାଠ’ଟି କ’ଣ? ପ୍ରତିବର୍ଷ ଛତୁ ଭଳି ଫୁଟୁଥିବା ଶିକ୍ଷାନୁଷ୍ଠାନ। ସରକାରୀ ଓଡ଼ିଆ ମାଧ୍ୟମ ସ୍କୁଲର ଶିକ୍ଷାବ୍ୟବସ୍ଥା ଉପରୁ ଦିନକୁ ଦିନ ଲୋକଙ୍କର ଆସ୍ଥା ତୁଟୁଥିବାବେଳେ ବେସରକାରୀ ସ୍କୁଲଗୁଡ଼ିକର (ବିଶେଷକରି ଇଂରାଜୀ ମାଧ୍ୟମ) ଚାହିଦା ବଢିବଢି ଚାଲିଛି। ଅବଶ୍ୟ ଗତ ଦୁଇ ବର୍ଷ ହେବ କୋଭିଡ୍‍ କାରଣରୁ ଏ ପ୍ରକ୍ରିୟା ମାନ୍ଦେଇଯାଇଥିଲା। ଏବେ ସ୍କୁଲ ଖୋଲୁଛି। ପୁଣି ଛତୁ ଫୁଟିଲା ଭଳି ବେସରକାରୀ ସ୍କୁଲ ଖୋଲିବ। ଗାଁଗହଳିରେ ବି ଏଭଳି ସ୍କୁଲର ଭାରି କାଟ୍‍ତି ଦେଖିବାକୁ ମିଳୁଛି। ଆଶଙ୍କା ହେଉଛି, ମାତୃଭାଷା ମାଧ୍ୟମ ସରକାରୀ ସ୍କୁଲଗୁଡ଼ିକ ଡାଏନୋସର ଭଳି ବିଲୁପ୍ତ ହେଇଯିବେ ନା କ’ଣ? କେଉଁଠି ସରକାରୀ ସ୍କୁଲକୁ ଶିକ୍ଷାବିଭାଗ ପୂରା ଉଠାଇଦେଲାଣି ଆଉ କେଉଁଠି ଦି’ ତିନିଟା ସ୍କୁଲକୁ ମିଶାଇଦେଲାଣି। ଛାତ୍ରସଂଖ୍ୟାକୁ ଦେଖି ଏଭଳି ନିଷ୍ପତ୍ତି ହେଉଥିବାବେଳେ ଯେତିକି ପିଲା ପଢୁଛନ୍ତି, ସେମାନେ ଅନ୍ୟ ଗାଁକୁ ଯିବା ସମସ୍ୟା ପାଲଟିଛି। କେଉଁଠି କେଉଁଠି ପଞ୍ଚାୟତ ନିର୍ବାଚନରେ ଏହା ପ୍ରସଙ୍ଗ ଭାବେ ଉଭା ହୋଇଛି। ସରକାରୀ ସ୍କୁଲର ଅପାରଗତାର ଫାଇଦା ନେଇ ବେସରକାରୀ ଇଂରାଜୀ ମାଧ୍ୟମ ସ୍କୁଲଗୁଡ଼ିକ ଉଧେଇଚାଲିଛନ୍ତି। ସେମାନଙ୍କ ପାଇଁ ଏହା କଚେପୁଅ ବାର ସଦୃଶ। ସହଜେ ଇଂରାଜୀପଢୁଆ ହେବା ପାଇଁ ଆମ ଓଡ଼ିଆଙ୍କର ଗୋଟେ ଅହେତୁକ ଆକର୍ଷଣ। ଓଡ଼ିଆ ଗୋଟେ ପ୍ରାଚୀନ ଭାଷା, ଏହା ଶାସ୍ତ୍ରୀୟ ମାନ୍ୟତା ପାଇଛି, ଏସବୁ ଇତିହାସ କଥା। ବର୍ତ୍ତମାନର କଥା ହେଲା, ଆମ ପିଲେ ଫିଟ୍‍ଫାଟ୍‍ ହେଇ ଟାଇ, ବୁଟ୍‍ ପିନ୍ଧି ଇଂରାଜୀ ସ୍କୁଲ ଯିବେ, କଥାକଥାକେ ଇଂରାଜୀ ଚୋବେଇବେ।

ସରକାରୀ ସ୍କୁଲର ହୀନିମାନ ଅବସ୍ଥାକୁ ଦେଖି ଆମ ସରକାର ଅନେକ ସରକାରୀ ସ୍କୁଲକୁ ସ୍ମାର୍ଟ ସ୍କୁଲ କରିଛନ୍ତି। ସ୍କୁଲର ରୂପରେଖ ବଦଳିଛି। ଚକ୍‌ମକ୍‌ ଦିଶୁଛି ସ୍କୁଲ ପରିବେଶ। ଅବଶ୍ୟ ଏ କଥାକୁ ନେଇ ସମାଲୋଚନା ହେଉଛି। କାଳେ ପଞ୍ଚାୟତ ନିର୍ବାଚନକୁ ଆଖି ରଖି ସରକାର ଏସବୁ କରିଛନ୍ତି ବୋଲି ଅଭିଯୋଗ। ସ୍ମାର୍ଟ ସ୍କୁଲ କରି ଠିକାଦାର ମଧ୍ୟ ବହୁ ଅର୍ଥ ଚଳୁ କରିଦେଲେ, ସେଇଟା ପଞ୍ଚାୟତ ନିର୍ବାଚନରେ କାଳେ କାମରେ ଲାଗିଲା..ଏମିତି ଅନେକ ଅଭିଯୋଗ। କୋଉଠି ପୁରୁଣା ସ୍କୁଲର ଢାଞ୍ଚା ଭାଙ୍ଗିଦେଲେ, କୋଉଠି ବହୁ ପୁରୁଣା ଗଛ କାଟିଦେଲେ, କୋଉଠି ବଗିଚା ଉଜାଡ଼ିଦେଲେ, କୋଉଠି ଗାନ୍ଧୀ, ଗୋପବନ୍ଧୁ, ମଧୁବାବୁଙ୍କ ଫଟୋ ଉପାଡ଼ି ଦେଲେ। ଏସବୁ ଅଭିଯୋଗ ଓ ସମାଲୋଚନା ଭିତରେ ଅନେକ ସ୍କୁଲରେ ଭଲକାମ ବି ହୋଇଛି, ଏହାକୁ ସ୍ୱୀକାର କରିବାକୁ ହେବ। ସରକାରୀ ସ୍କୁଲରେ ଘରୋଇ ସ୍କୁଲର ପରିବେଶ ଯୋଗାଇ ଦିଆଯିବ ବୋଲି ସରକାର ଯାହା ଘୋଷଣା କରିଛନ୍ତି, ତାହା ସ୍ୱାଗତଯୋଗ୍ୟ। ସରକାର ସିବିଏସଇ ଢାଞ୍ଚାରେ ଆଦର୍ଶ ସ୍କୁଲ ବି କରିଛନ୍ତି। ସେଠି ଇଂଲିଶ୍‍ ମାଧ୍ୟମ ଶିକ୍ଷା। ହେଲେ ବାସ୍ତବିକତା ହେଉଛି ଯେ, ରାଜ୍ୟର ସବୁ ଅଞ୍ଚଳରେ ସ୍ମାର୍ଟ ସ୍କୁଲ କି ଆଦର୍ଶ ସ୍କୁଲ ହୋଇନାହିଁ। ତେଣୁ ସରକାରୀ ଶିକ୍ଷା ବ୍ୟବସ୍ଥାରେ ସମାନତା ଆସିନାହିଁ। ଭଙ୍ଗା ସ୍କୁଲରେ ପଢୁଥିବା ପିଲାଏ ସ୍ମାର୍ଟ ସ୍କୁଲ ସହ ନିଜ ସ୍କୁଲର ତୁଳନା କରି ନିଜକୁ ନିହାତି ଅବହେଳିତ ମଣୁଥିବେ! ପୁନଶ୍ଚ ଅନେକ ସରକାରୀ ସ୍କୁଲରେ ଉପଯୁକ୍ତ ଶିକ୍ଷକ ନାହାନ୍ତି, ଶିକ୍ଷକ ଥିଲେ ବି ଯୋଗ୍ୟ ଶିକ୍ଷକ ନାହାନ୍ତି। ଠିକ୍‍ ଭାବେ ଗୋଟେ ଦରଖାସ୍ତ ବି ଲେଖି ପାରୁନାହାନ୍ତି। ଜାତିର ପିତା କିଏ, ଦେଶ କେବେ ସ୍ୱାଧୀନ ହୋଇଥିଲା, ସାଧାରଣତନ୍ତ୍ର ଦିବସ କ’ଣ ଭଳି ସାଧାରଣ ପ୍ରଶ୍ନର ଉତ୍ତର ଦେଇପାରୁନାହାନ୍ତି। ଏହାଠାରୁ ବଳି ଲଜ୍ଜାକର ବିଷୟ ଆଉ କ’ଣ ଥାଇପାରେ, ଟିକେ ଭାବନ୍ତୁ। ଅନେକ ସରକାରୀ ଶିକ୍ଷକ ପ୍ରତ୍ୟକ୍ଷ ଭାବେ ରାଜନୀତି ଓ ଠିକାଦାରୀରେ ସଂପୃକ୍ତ ଥିବାର ମାଳ ମାଳ ଅଭିଯୋଗ। ପୁଣି ନକଲି ପ୍ରମାଣପତ୍ରରେ ଚାକିରି କରୁଥିବା ବହୁ ଶିକ୍ଷକ ଦିନକୁ ଦିନ ଧରାପଡ଼ୁଛନ୍ତି।

- Advertisement -

ପାଠକବନ୍ଧୁ, ସରକାରୀ କଥା ଆଲୋଚନା କଲେ ଖବରକାଗଜରେ ସ୍ଥାନ ଅଣ୍ଟିବନି, ତେଣୁ ଏବେ ବେସରକାରୀ ପ୍ରସଙ୍ଗ ଟିକେ ଆଲୋଚନା କରିବା। ଆଜ୍ଞା, ବେସରକାରୀରେ ବି କିଛି କମ୍‍ କେଳେଙ୍କାରୀ ନାହିଁ। ପ୍ରସଙ୍ଗଟି ହେଉଛି, ସବୁ ବେସରକାରୀ ଇଂରାଜୀ ମାଧ୍ୟମ ସ୍କୁଲ କ’ଣ ଉଚ୍ଚମାନର ଶିକ୍ଷା ଦେଉଛନ୍ତି? ଏହାର ସ୍ପଷ୍ଟ ଉତ୍ତର ହେଉଛି, ନା। ରାଜ୍ୟରେ ଥିବା ଅନେକ ଘରୋଇ ସ୍କୁଲରେ ଶିକ୍ଷାଦାନର ମାନ ଅତ୍ୟନ୍ତ ନ୍ୟୂନ। ବାହାରକୁ ଭାରି ଚିକ୍କଣ, ଭିତର ପୋଡ଼ା ନାରଖାର। ଚକାଚକ କୋଠା, ରଙ୍ଗିନ ସ୍କୁଲଗାଡି଼, ଫିନ୍‍ ଫିନ୍‍ ୟୁନିଫର୍ମ, ହେଲେ ଯେମିତି ପାଠ ପଢାହେବା କଥା, ତାହା ନାହିଁ। ଧୁଆମୂଳାଙ୍କ ସହ ଅଧୁଆମୂଳା ଶିକ୍ଷକ ବି ଅଛନ୍ତି। ବିଶେଷ କରି ସହରତଳି, ଛୋଟ ସହର, ଗାଁରେ ଚାଲୁଥିବା ଇଂରାଜୀ ମାଧ୍ୟମ ସ୍କୁଲରେ ପାଠ ପଢଉଥିବା ଶିକ୍ଷକମାନଙ୍କ ମଧ୍ୟରୁ ସମସ୍ତେ ଭଲ ଶିକ୍ଷକ ନୁହନ୍ତି। ଅଭିଭାବକ ମୋଟା ଅଙ୍କର ସ୍କୁଲ ଫି’ ଗଣି ଭାବୁଛନ୍ତି, ଆମେ ପିଲାଙ୍କୁ ଇଂରାଜୀ ମାଧ୍ୟମ ସ୍କୁଲରେ ପଢାଇ ସେମାନଙ୍କୁ ଗୋଟେ ସୁନ୍ଦର ଭବିଷ୍ୟତ ଦେଲୁ। ହେଲେ ବାସ୍ତବ କଥାଟା ଭିନ୍ନ। ଅନେକ ଇଂରାଜୀ ମାଧ୍ୟମ ସ୍କୁଲରେ ଶିକ୍ଷକଙ୍କୁ ସ୍ୱଳ୍ପ ଦରମା ଦିଆଯାଏ, ଏପାଖେ କିନ୍ତୁ ମନଇଚ୍ଛା ସ୍କୁଲ ଫି’ ଆଦାୟ କରାଯାଏ। ଘରୋଇ ଇଂରାଜୀ-ମାଧ୍ୟମ ସ୍କୁଲଗୁଡ଼ିକର ଚଢା ଫି’ ଆମ ଶିକ୍ଷା ବ୍ୟବସ୍ଥାର ଗୋଟେ ବଡ଼ କଳଙ୍କ। ଶିକ୍ଷାବେପାର କରି ଏମାନେ ଅଭିଭାବକଙ୍କୁ ଲୁଟିଚାଲିଛନ୍ତି। ଆଡମିସନ୍‍, ରି-ଆଡମିସନ, ପରିବହନ ଏବଂ ବିଭିନ୍ନ ଫି’ ଆଦାୟ କରି କୋଟିପତି ସାଜୁଛନ୍ତି। ସରକାରୀ ନୀତି ନିୟମକୁ ସେମାନେ ମାନୁନଥିବାର ଅଭିଯୋଗ ହେଉଛି। ଡିଜିଟାଲ ପେମେଣ୍ଟକୁ ସରକାର ପ୍ରୋତ୍ସାହିତ କରୁଥିବାବେଳେ ଅନେକ ସ୍କୁଲ ନଗଦ ଟଙ୍କା ଦେବାକୁ ଅଭିଭାବକଙ୍କୁ ବାଧ୍ୟ କରୁଛନ୍ତି। ଶିକ୍ଷା ହେଉଛି, ସାଧୁତା ଓ ପବିତ୍ରତାର ସ୍ୱରୂପ, ହେଲେ ଶିକ୍ଷାନୁଷ୍ଠାନରେ ଚାଲିଛି ତା’ର ବିପରୀତ।

ଆଜିକାଲି ଅନେକ ଘରୋଇ ସ୍କୁଲରେ ରାଷ୍ଟ୍ରଭାଷା ପ୍ରେମ ଯାହାକୁ ଯେତେ। ଯଦି ଇଂରାଜୀ କହିଆସୁନି, ତା’ ହେଲେ ହିନ୍ଦୀରେ ଚଳେଇଦିଅ। ଇଂରାଜୀରେ ଦୁର୍ବଳ ଶିକ୍ଷକମାନଙ୍କ ପାଇଁ ହିନ୍ଦୀ ହେଉଛି କଙ୍କଡ଼ାକୁ ଗୋଳିପାଣି ଭଳି। ତେଣୁ ଅନେକ ଇଂରାଜୀ-ମାଧ୍ୟମ ସ୍କୁଲ ବାହାରକୁ ଭାରି ସୁନ୍ଦର, ହେଲେ ଭିତର ପୂରା ପୋଡ଼ି ନାରଖାର। ଶିକ୍ଷକମାନଙ୍କୁ ଯଦି ଇଂରାଜୀ ଆସୁନି, ତା’ ହେଲେ ଓଡ଼ିଆରେ କହୁନାହାନ୍ତି। ନା, ଏ ସ୍କୁଲଗୁଡ଼ିକରେ ଓଡ଼ିଆରେ କହିବା ମନା। ଗୁଡ଼୍‍ ମର୍ନିଙ୍ଗ୍‍, ଗୁଡ଼୍‍ ଆଫ୍ଟରନୁନ୍‍ ବଦଳେ ପିଲାଏ ଯଦି ନମସ୍କାର କି ପ୍ରଣାମ ବୋଲି କହିଦେବେ, ତା’ ହେଲେ କଥା ସଇଲା। କ’ଣ କହିବା। କହିଲେ କୁଳ କୁଟୁମ୍ବକୁ ଲାଜ, ନ କହିଲେ କୁଳ ଭାସିଯାଉଛି। ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ହେଉଛି; କିନ୍ତୁ ଆମ ଶିକ୍ଷା ବ୍ୟବସ୍ଥା ଏଇ ରକମର। ଦେଶପ୍ରେମ, ନୈତିକ ଶିକ୍ଷାର ଘୋର ଅଭାବ। କେନ୍ଦ୍ର ସରକାରଙ୍କ ନୂତନ ଶିକ୍ଷାନୀତିରେ ଏସବୁର ସଂସ୍କାର ପାଇଁ ଉଦ୍ୟମ କରାଯାଉଛି, ତାହା ଫଳବତୀ ହେଲେ ଶିକ୍ଷା ସଂସ୍କାର ସାକାର ହୋଇପାରିବ ବୋଲି ଆଶା କରିବା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories