ମହାଦାନ
ସୁଲୋଚନା ଦାସ

ମହାଭାରତର ଅନନ୍ୟ ଚରିତ୍ର ଦାନୀ କର୍ଣ୍ଣଙ୍କ ଦାନର ମହତ୍ତ୍ବକୁ ହଜାରହଜାର ବର୍ଷ ଧରି ମହାକାଳ ଗୌରବର ସହିତ ଧାରଣ କରିଆସିଛି। ଜୀବନ ସାରା ସେ ବିନା ଅପରାଧରେ ଲାଞ୍ଛିତ ହୋଇଛନ୍ତି ସକଳ ଶକ୍ତି, ଶୌର୍ଯ୍ୟ, ସାମର୍ଥ୍ୟ, ଆତ୍ମବିଶ୍ବାସ, ବୀରତ୍ବ ସତ୍ତ୍ବେ; କିନ୍ତୁ ଏ ସବୁଠାରୁ ତାଙ୍କ ଉଦାରତା, ମହନୀୟତା, ସତ୍ୟନିଷ୍ଠା, ଦାନଶୀଳତାର ଚରମ ନିଦର୍ଶନ ହୋଇଛି ଯେତେବେଳେ ଦାନୀ କର୍ଣ୍ଣ ନିଜ କବଚ କୁଣ୍ଡଳ ପରି ମହାର୍ଘ ନିଜ ରକ୍ଷା କବଚକୁ ଦାନ ଦେଇଛନ୍ତି। ସତ୍ୟରକ୍ଷା ପାଇଁ, ଦାନଶୀଳତାର ଚରମ ଉଦାହରଣ ଦେଖାଇ କାଳକାଳକୁ ଅକ୍ଷୟକୀର୍ତ୍ତି ଅର୍ଜନ କରିଛନ୍ତି। ଏପରି ଦୃଷ୍ଟାନ୍ତ ବିରଳ। ଆମ ଶାସ୍ତ୍ର, ପୁରାଣ, ମହାକାବ୍ୟ ତଥା ସାହିତ୍ୟରେ ଏହାର ପଟ୍ଟାନ୍ତର ନାହିଁ। ସେହିପରି ରାଜା ବଳୀ, ରାଜା ହରିଶ୍ଚନ୍ଦ୍ରଙ୍କ ମହାଦାନକୁ ମହାକାଳର ଆଜି ବି ଶ୍ରଦ୍ଧାର ସହିତ ସ୍ମରଣ କରୁଛି। ଏସବୁ ହୁଏତ ପୌରାଣିକ ଗାଥା ହୋଇପାରେ; ମାତ୍ର ଏହି ଚରିତ୍ରମାନଙ୍କ ଦ୍ବାରା ଯେଉଁ ମହାନ ଆଦର୍ଶ ପ୍ରତିଷ୍ଠିତ ହୋଇଛି, ତାହା ଶାଶ୍ବତ ଓ ଅମୃତତ୍ବର ଅଧିକାରୀ।
ଦିନେ ତ୍ୟାଗର ଖଣ୍ଡିଏ ଖଣ୍ଡିଏ ରକ୍ତବୋଳା ଅସ୍ଥିରେ ନିର୍ମିତ ହୋଇଥିଲା ସ୍ବାଧୀନତାର ମୂଳଦୁଆ। ଆତ୍ମ ବଳିଦାନର ଲୁହଲହୁରେ ଏହି ଭିତ୍ତିଭୂମିକୁ ମଜଭୁତ୍, ଶକ୍ତ କରାଯାଇଥିଲା। ଦଧୀଚିଙ୍କ ପରି ଏହି ସଂଗ୍ରାମୀମାନେ ନିଜ ନିିଜର ଅସ୍ଥି, ମଜ୍ଜା, ରକ୍ତ, ସ୍ବେଦ, ସ୍ବପ୍ନ, ଅଭିଳାଷ, ସୁଖ, ସମ୍ଭୋଗ ସବୁକୁ ସ୍ବାର୍ଥତ୍ୟାଗର ଯଜ୍ଞବେଦୀରେ ଆହୁତି ଦେଇଥିଲେ। କଳାପାଣି, ଫାଶୀଦଣ୍ଡ, କାରାବାସ, ଲାଠିମାଡ଼, ଲାଞ୍ଛନା, ଅତ୍ୟାଚାର, ଘର-ପରିବାର, ସଂପଦ ସୌଭାଗ୍ୟର ବଳିଦାନ ଥିଲା ଏହି ମହାଦାନର ଫଳଶ୍ରୁତି। ପ୍ରତିଦାନ। ଯେଉଁମାନେ ପୋର୍ଟବ୍ଲେୟାରର ସେଲୁଲାର ଜେଲରେ ଲାଇଟ ସାଉଣ୍ଡ ମାଧ୍ୟମରେ ଦେଖିଥିବେ ସେ ହୃଦୟବିଦାରକ ଦୃଶ୍ୟ, ସେମାନେ ଏହି ସତ୍ୟ ଅନୁଭବ କରିବେ। ଦେଶପ୍ରେମୀ ସଭରକର ରହୁଥିବା ସେଲର ଠିକ୍ ସାମନାରେ ଥିଲା ଇଂରେଜ ସରକାରଙ୍କ କଳାପାଣି ଫାଶୀଘର। ପ୍ରତ୍ୟହ ସେ ଦେଖୁଥିଲେ ଭାରତମାତାଙ୍କୁ ଭଲ ପାଉଥିବା ଦେଶପ୍ରେମୀମାନଙ୍କର ଫାଶୀ ପାଇବାର ମର୍ମାନ୍ତିକ ଦୃଶ୍ୟ। ସହସ୍ର ମୃତ୍ୟୁର ଦାରୁଣ ଅନୁଭବ ଥିଲା ଏସବୁ ଦୃଶ୍ୟ।
ଅସରନ୍ତି ବ୍ୟଥାର କାହାଣୀ, ଲକ୍ଷଲକ୍ଷ ଲୋକଙ୍କର ଆତ୍ମଦାନର ଗାଥା ହେଉଛି ସ୍ବାଧୀନ ଭାରତର ଅନ୍ତରାଳରେ ଥିବା କରୁଣ ଇତିହାସ। ସାର୍ବଭୌମତ୍ବରର ଆବାହନୀ ସଂଗୀତ। ସେହିପରି ନେତାଜୀ ସୁଭାଷଙ୍କ ସମଗ୍ର ଜୀବନ ଥିଲା ମହାଦାନର ଚରମ ଦୃଷ୍ଟାନ୍ତ। କେବଳ ସେ ଏକା ନୁହନ୍ତି, ତାଙ୍କ ଡାକରାରେ ମନ୍ତ୍ରମୁଗ୍ଧ ଜନତା ମାତୃଭୂମି ପାଇଁ ଜୀବନର ଶେଷତମ ସମ୍ବଳକୁ ବି ଉତ୍ସର୍ଗ କରି ଦେଇଛନ୍ତି।
ଆଜାଦ ହିନ୍ଦ୍ ଫୌଜ ଗଢ଼ା ସରିଥାଏ। ଏଥର ଯୁଦ୍ଧ ପାଇଁ ପ୍ରସ୍ତୁତି। ଇଂରେଜ ସରକାର ବିରୋଧରେ ହେବ ଏ ଲଢ଼େଇ। ଦେଶକୁ ବିଦେଶୀ ଶାସକ କବଳରୁ ମୁକ୍ତ କରିବାକୁ ହେବ। କେଉଁଠୁ ଆସିବ ଅର୍ଥ? ସୈନ୍ୟମାନଙ୍କ ପାଇଁ େପାଷାକ ପତ୍ର, ଅସ୍ତ୍ରଶସ୍ତ୍ର, ଯୁଦ୍ଧ ସରଞ୍ଜାମ, ଖାଦ୍ୟପେୟ ଯୋଗାଡ଼ ହେବ କେମିତି? ଏଥିପାଇଁ ସୁଭାଷ ବିଦେଶୀଶକ୍ତିର ସାହାଯ୍ୟ ନେବାକୁ ଚାହିଁଲେ ନାହିଁ। ସେମାନଙ୍କ ସାହାଯ୍ୟ ତ ଅତୁୁଳନୀୟ। ବହୁ ଚିନ୍ତା କରି ଶେଷରେ ସେ ସ୍ଥିରକଲେ ଦକ୍ଷିଣ ପୂର୍ବ ଏସିଆରେ ପ୍ରାୟ ତିରିଶଲକ୍ଷ ଭାରତୀୟ ରହୁଛନ୍ତି। ଦେଶର ସ୍ବାଧୀନତା କେଉଁ ଭାରତୀୟ ନ ଚାହେଁ? ସେମାନଙ୍କ ଭିତରେ ଜାଗରଣ, ସୃଷ୍ଟି କରିବାକୁ ହେବ। ଘରେଘରେ ପହଞ୍ଚାଇବାକୁ ହେବ ସ୍ବାଧୀନତାର ଆହ୍ବାନ। ସୁଭାଷ ବିଭିନ୍ନ ସ୍ଥାନକୁ ଯାଇ ଉଦ୍ବୋଧନ ଦେଲେ- ‘ଭାଇମାନେ ଆଗେଇ ଆସି ଏ ସଂଗ୍ରାମକୁ ସଫଳ କର। ମାଆ ଓ ମାତୃଭୂମି ଆଜି ପରାଧୀନ। ତା କ୍ରନ୍ଦନକୁ କାନପାତି ଶୁଣ। ଆପଣମାନଙ୍କ ବଦାନ୍ୟତାରେ ପୂର୍ଣ୍ଣ ହେବ ଏ ଜାତୀୟ ଭଣ୍ଡାର। ଧନୀ ଦରିଦ୍ର, ବଡ଼ସାନ, ସର୍ବସ୍ବ ଦାନ କରି ଏ ଜାତୀୟ ମହାଯଜ୍ଞରେ ସାମିଲ ହୁଅ।
ଅଭୁତ ଥିଲା ସେ ଆହ୍ବାନର ମନ୍ଦ୍ରନିନାଦ। ଜଳ, ସ୍ଥଳ, ଆକାଶ ସବୁଠି ପ୍ରତିଧ୍ବନିତ ହେଲା। ସହସ୍ର କଣ୍ଠରେ- ଦେଶ ପାଇଁ ସର୍ବସ୍ବ ଦେଇଦିଅ। ସମସ୍ତଙ୍କର ସ୍ବପ୍ନ, ଦେଶ ସ୍ବାଧୀନ ହେଉ। ସିଙ୍ଗାପୁର, ବ୍ୟାଙ୍କକ୍, ସାଇଗନ, କୁଆଲାଲାମପୁର, ରେଙ୍ଗୁନ, ପେନାଂ, ସାଙ୍ଘାଇ, କ୍ୟାଣ୍ଟନ…. ସବୁଠି ଉଚ୍ଚାରିତ ହେଲା ଏ ଉଦାର ମନ୍ତ୍ରପାଠ।
ଗୋଟେ ସଭାରେ ଜଣେ ଯୁବକ ଆସି ନେତାଜୀଙ୍କ ହାତକୁ ବଢ଼ାଇ ଦେଇଥିଲା ପାଞ୍ଚଲକ୍ଷ ଟଙ୍କାର ଚେକ୍ଟିଏ। ଅନୁରୋଧ କରିଥିଲା, ଦୟାକରି ଏଇଟି ଗ୍ରହଣ କରନ୍ତୁ ଓ ମୋର ନାମ ପଚାରନ୍ତୁ ନାହିଁ। ତା’ପରେ ସେ ନେତାଜୀଙ୍କୁ ପ୍ରଣାମ କରି ନିଃଶବ୍ଦରେ ଚାଲିଯାଇଥିଲା। ସ୍ତମ୍ଭୀଭୂତ ନେତାଜୀ ଶୁଣୁଥିଲେ ପବନରେ ମିଳେଇ ଯାଉଥିବା ତା’ର ପଦଧ୍ବନି।
ପେନାଂର ଗୋଟେ ସଭାରେ କିଶୋରଟିଏ ଆସି ନେତାଜୀଙ୍କ ପଦଧୂଳି ନେଇ କହିଲା- ମୁଁ ପରଘରେ ଭୃତ୍ୟରୂପେ କାମ କରେ। ମୋର ମାଆ ଦେଇଥିବା ଏ ଫୁଲଦାନିଟି ମୋର ସର୍ବସ୍ବ ଓ ମା’ଙ୍କର ସ୍ମୃତିର ଶେଷ ସ୍ମାରକୀ। ଦୟାକରି ଗ୍ରହଣ କରନ୍ତୁ।
ସେଇ ସଭାରେ ନିଲାମ ଡାକିଲେ ନେତାଜୀ। ଚାହୁଁଚାହୁଁ ଭିଡ଼ ଜମିଗଲା। ଅନେକଙ୍କ ତୁଣ୍ଡରୁ ଶୁଭିଲା- ମୁଁ ନେବି….. ମୁଁ ନେବି।
ଶେଷରେ ଏକଲକ୍ଷ ପଚାଶହଜାର ଡଲାରରେ ନିଲାମ ହୋଇଥିଲା ସେ ଫୁଲଦାନିଟି। ଏହା ଥିଲା ନେତାଜୀଙ୍କ ପ୍ରତି ସେଠିକା ଭାରତୀୟମାନଙ୍କର ଅତୁଟ ଶ୍ରଦ୍ଧା, ଭକ୍ତି, ବିଶ୍ବାସ ଓ ସର୍ବୋପରି ସ୍ବଦେଶ ପ୍ରେମ।
ଯିଏ ଦାନ ଦେଉଥିଲା, କୃତଜ୍ଞ ହୋଇ କହୁଥିଲା- ଦୟାକରି ଆମର ଏ ଦାନକୁ ସ୍ବୀକାର କରି ଆମକୁ କୃତାର୍ଥ କରନ୍ତୁ ନେତାଜୀ। କି ବିଚିତ୍ର ଉଦ୍ବେଳନ! ସାଗରର ଉତ୍ତାଳ ତରଙ୍ଗଠାରୁ ଅଧିକ ଉତ୍ତୁଙ୍ଗ। ଅଧିକା ଶକ୍ତିଶାଳୀ। ରାତି ପାହିଲେ କ’ଣ ଖାଇବେ ସେ ଚିନ୍ତା ନଥିଲା। ହୃଦୟରେ କେବଳ ଥିଲା ଦେଶପ୍ରେମର ଉଚ୍ଚାଟନ।
ଦିନେ ସଭାମଞ୍ଚ ଉପରକୁ ଆଗେଇ ଆସିଥିଲେ ଜଣେ ବୃଦ୍ଧା। ଦେହରେ ଶତଚ୍ଛିନ୍ନ ବସ୍ତ୍ର। ନେତାଜୀଙ୍କ ହାତକୁ ତନିଟି ଟଙ୍କା ବଢ଼େଇଦେଇ ସେ ଥରଥର କଣ୍ଠରେ କହିଲେ- ‘ଏହା ହିଁ ମୋ ଜୀବନର ସର୍ବଶେଷ ସମ୍ବଳ, ସର୍ବସ୍ବ। ଦୟାକରି ଗ୍ରହଣ କରନ୍ତୁ।’
ସୁଭାଷଙ୍କର ଇସ୍ପାତ ପରି ଟାଣୁଆ ଛାତି କମ୍ପି ଉଠିଲା ଶ୍ରଦ୍ଧାରେ, ବେଦନାରେ, ଆବେଗରେ ଆଉ କୃତଜ୍ଞତାରେ। ଆଖିରୁ ଝରୁଥିଲା ଅବାରିତ ଅଶ୍ରୁ। ଭାବ ଗଦଗଦ କଣ୍ଠରେ ସେ କହିଲେ- ମାଆ, ଏ ତିନିଟି ଟଙ୍କା ବିଶ୍ବର ସର୍ବଶ୍ରେଷ୍ଠ ଦାନ।
ଏପରି ଅଜସ୍ର ଗାଥା, ବଦାନ୍ୟତାର ବହୁ ସତ୍ୟ କାହାଣୀ, ଦେଶପ୍ରେମର ଜ୍ବଳନ୍ତ ଉଦାହରଣ। ଏସବୁ ଅତୁଳନୀୟ ଦାନର ମହିମାରେ ମହିମାନ୍ବିତ ହୋଇଥିଲା ସୁଭାଷଙ୍କ ଦେଶଭକ୍ତିର ମହାସଂଗ୍ରାମ। ସ୍ବାଧୀନ ଭାରତ ଅମୃତ ମହୋତ୍ସବ ପାଳନ କରୁଛି। ଏଇ ପରିପ୍ରେକ୍ଷୀରେ ଆତ୍ମ ସମୀକ୍ଷାର ସମୟ ଉପସ୍ଥିତ ଦେଶବାସୀଙ୍କ ସମ୍ମୁଖରେ। ଆଜି ତ୍ୟାଗ ବିଡ଼ମ୍ବିତ। ଚତୁର୍ଦିଗରେ ଉପଭୋକ୍ତାବାଦର ଭୋଗବାଦୀ ସଭ୍ୟତାର ଜୟଜୟକାର। ମନେହେଉଛି ସବୁରି ହାତ ଆଜି ତଳକୁ। ଦିଅ….ଦିଅ…. ମୋତେ, ମୋ ପରିବାରକୁ ଦିଅ। ଭୋଗ ଦିଅ, କ୍ଷମତା ଦିଅ, ପ୍ରତିପତ୍ତି ଦିଅ। ଯଶ ଦିଅ, କୀର୍ତ୍ତି ଦିଅ, ସୁଖ ସୌଭାଗ୍ୟ ଦିଅ।
ସତେ ଯେପରି ମାନବିକତା, ବିବେକ, ଦେଶପ୍ରୀତିର ବିଲୋପ ପାଇଁ ଜନ୍ମେଜୟଙ୍କ ସର୍ପମାରଣ ଯଜ୍ଞ ପରି ଚତୁର୍ଦିଗରେ ସ୍ବାର୍ଥ ଆଉ ଅର୍ଥର ମହାମନ୍ତ୍ରପାଠ। ବଦଳିଯାଇଛି ଦେଶପ୍ରେମର ପରିଭାଷା, ଦାନର ମହତ୍ତ୍ବ। ଲାଞ୍ଚ, ମିଛ, ଛଳନା, ପ୍ରତାରଣା ପରି ଶାବ୍ଦିକ ଚାଟୁ କର୍ଣ୍ଣଗହ୍ବରରେ ଅମୃତବର୍ଷା କରୁଛି। ତୋଷାମଦର ଆବରଣ ତଳେ ଲୁଚି ଯାଉଛି ସତ୍ୟର ସୌକୁମାର୍ଯ୍ୟ, ଠିକ୍ ପୌଷର ଘନ କୁହୁଡ଼ିରେ ସୂର୍ଯ୍ୟଦେବତା ମୁହଁ ଢ଼ାଙ୍କିଲା ପରି।
ତେବେ ସେ ସବୁ ଆତ୍ମ ବଳିଦାନର, ମହାନ ଦାନର, ଦେଶପ୍ରେମର ମହାଯଜ୍ଞ କ’ଣ ବ୍ୟର୍ଥ ହୋଇଯାଇଛି? ନା, ଆଉ ଥରେ ସେ ଦେଶପ୍ରେମର ସ୍ବର୍ଣ୍ଣାଭ ସୂେର୍ଯ୍ୟାଦୟ ପାଇଁ ଦେଶବାସୀଙ୍କୁ ସଂଗ୍ରାମ କରିବାକୁ ହେବ? ଏ ପ୍ରଶ୍ନର ଉତ୍ତର ଆପଣମାନଙ୍କ ପାଖରେ।
Comments are closed.