bjd gruha runa banner

ରାଷ୍ଟ୍ରପତି ନିର୍ବାଚନ: ଏକ ବିହଙ୍ଗାବଲୋକନ

ସୁଧାଂଶୁ ଶେଖର ଭୂୟାଁ

BSKY banner  750×100

ଇନ୍ଦିରା ଗାନ୍ଧୀ ସେତେବେଳେ ପ୍ରଧାନମନ୍ତ୍ରୀ କିନ୍ତୁ ଦଳରେ ସେତେବେଳେ ମଧ୍ୟ ତାଙ୍କର ନିରଙ୍କୁଶ କର୍ତ୍ତୃତ୍ବ ଜାହିର ହୋଇନାହିଁ। କଂଗ୍ରେସର ସିଣ୍ଡିକେଟ୍‌ର ପ୍ରବୀଣ ନେତାମାନେ ବାଡ଼ି ଘୂରାଉଥାନ୍ତି। ସୁଯୋଗର ଅପେକ୍ଷାରେ ଥିଲେ ଇନ୍ଦିରା। ଅଚାନକ ରାଷ୍ଟ୍ରପତି ଜାକୀର ହୁସେନଙ୍କ ମୃତ୍ୟୁ ଫଳରେ ଅସମୟରେ ରାଷ୍ଟ୍ରପତି ନିର୍ବାଚନ ଦରକାର ପଡ଼ିଲା। ଇନ୍ଦିରା ମଧ୍ୟ ସୁଯୋଗର ପୂର୍ଣ୍ଣ ସଦ୍‌ବ୍ୟବହାର କଲେ।

୧୯୬୯ର ସେହି ରାଷ୍ଟ୍ରପତି ନିର୍ବାଚନ ପାଇଁ ଇନ୍ଦିରା କଂଗ୍ରେସର ପ୍ରାର୍ଥୀ ହିସାବରେ ଜଗଜ୍ଜୀବନ ରାମଙ୍କର ନାମ ପ୍ରସ୍ତାବ କରିଥିଲେ। ଯୁକ୍ତି ଥିଲା, ମହାତ୍ମା ଗାନ୍ଧୀଙ୍କର ଜନ୍ମ ଶତବାର୍ଷିକୀରେ ଏକ ଦଳିତ ନେତା ରାଷ୍ଟ୍ରପତି ହେଲେ ଗାନ୍ଧୀଙ୍କୁ ପ୍ରକୃତ ଶ୍ରଦ୍ଧା ଜଣାଇହେବ। କଂଗ୍ରେସର ‘ଓଲ୍‌ଡ ଗାର୍ଡ’ ମାନେ ଏ କଥାକୁ ମାନିଲେ ନାହିଁ। ସେମାନେ ନିଲମ ସଞ୍ଜୀବ ରେଡ୍ଡୀଙ୍କୁ ପ୍ରାର୍ଥୀ କଲେ। ଇନ୍ଦିରା ତାହା ମାନିନେବାକୁ ବାଧ୍ୟ ହେଲେ।

ଖେଳଟା ସେହିଠାରେ ​ଶେଷ ହୋଇ ନଥିଲା। ସେହି ଦିନରେ ଭି.ଭି.ଗିରି ନିର୍ଦଳୀୟ ପ୍ରାର୍ଥୀ ହିସାବରେ ନିଜର ନାମ ଘୋଷଣା କରିଦେଇଥିଲେ। ଇନ୍ଦିରା କଂଗ୍ରେସର ସଂସଦୀୟ ଦଳର ନେତ୍ରୀ ହିସାବରେ ସଞ୍ଜୀବ ରେଡ୍ଡୀଙ୍କୁ ଭୋଟ ଦେବାର ହ୍ବିପ ଜାରି କରିବାକୁ ଅସ୍ବୀକାର କଲେ। ତାଙ୍କର ଅନୁଗାମୀମାନେ ବିବେକର କଥା ଅନୁଯାୟୀ ଭୋଟ ଦେବାର ଡାକ ଦେଲେ। ଦେଖାଗଲା କଂଗ୍ରେସର ସରକାରୀ ପ୍ରାର୍ଥୀ ରେଡ୍ଡୀଙ୍କୁ ହରାଇ ଗିରି ରାଷ୍ଟ୍ରପତି ନିର୍ବାଚନରେ ଜିତିଗଲେ।

ଏହା ପରେ ପରେ ଆଉ ଇନ୍ଦିରା ଓ ତାଙ୍କର ପ୍ରତିଦ୍ବନ୍ଦ୍ବୀମାନେ ଏକ ଦଳରେ ରହିବା ସମ୍ଭବ ହେଲାନାହିଁ। କଂଗ୍ରେସ ଭାଙ୍ଗି ଦୁଇ ଟୁକୁରା ହୋଇଗଲା। ଇନ୍ଦିରାଙ୍କର କଂଗ୍ରେସ ହିଁ ଅସଲ କଂଗ୍ରେସ ହୋଇ ତିଷ୍ଠି ରହିଲା। କଂଗ୍ରେସରେ ତାଙ୍କର ନିରଙ୍କୁଶ କର୍ତ୍ତୃତ୍ବ ପ୍ରତିଷ୍ଠାନ ହେଲା।

ଆଗାମୀ ଜୁଲାଇ ମାସରେ ପୁଣି ରାଷ୍ଟ୍ରପତି ନିର୍ବାଚନ। ରାଷ୍ଟ୍ରପତି ପଦରେ ରାମନାଥ କୋବିନ୍ଦଙ୍କର ମିଆଦ ଶେଷ ହେଉଛି। ୨୦୨୪ର ଲୋକସଭା ନିର୍ବାଚନ ଅାଗରୁ ଏହି ନିର୍ବାଚନ ନରେନ୍ଦ୍ର ମୋଦୀ- ଅମିତ ଶାହଙ୍କ ନିକଟରେ ଯେପରି ଗୁରୁତ୍ବପୂର୍ଣ୍ଣ, ସେହିପରି ବିରୋଧୀ ଶିବିରଙ୍କ ନିକଟରେ। ଗୋଟାକଯାକ ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଜନପ୍ରିୟତା ଏବେ ମଧ୍ୟ ହୁଏତ ଅକ୍ଷୁଣ୍ଣ ଥାଇପାରେ; କିନ୍ତୁ ରାଷ୍ଟ୍ରପତି ନିର୍ବାଚନରେ ଲୋକସଭା, ରାଜ୍ୟସଭାର ସାଂସଦ ଓ ରାଜ୍ୟର ବିଧାନସଭାର ବିଧାୟକମାନେ ଭୋଟ ଦିଅନ୍ତି। ସେମାନଙ୍କ ଭୋଟର ମୂଲ୍ୟ ନିର୍ଦ୍ଧାରିତ ହୁଏ ରାଜ୍ୟର ଜନସଂଖ୍ୟା ଭିିତ୍ତିରେ। ସେହି ସମୀକରଣରୁ ସୂଚନା ମିଳୁଛି,ମୋଦୀ-ଶାହଙ୍କ ପକ୍ଷରେ ରାଷ୍ଟ୍ରପତି ପଦରେ ନିଜ ନିଜର ପ୍ରାର୍ଥୀଙ୍କୁ ଜିତାଇ ଆଣିବା ଏକେବାରେ ସହଜ ହେବନାହିଁ। ତା’ପାଇଁ ଅନେକ ପରିମାଣରେ ଘର୍ମାକ୍ତ କଳେବର ହେବାକୁ ପଡ଼ିବ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଲା, ରାଷ୍ଟ୍ରପତି ନିର୍ବାଚନରେ ବିଜେପିକୁ ନିଜର ପ୍ରାର୍ଥୀ ଜିତାଇ ଆଣିବାକୁ ହେଲେ ଉତ୍ତର ପ୍ରଦେଶର ଭୋଟରେ କେବଳ ଜିତିଲେ ଚଳିବ ନାହିଁ, ୨୦୧୭ ପରି ବଡ଼ ବ୍ୟବଧାନରେ ଜିତିବାକୁ ପଡ଼ିବ। ଅମିତ ଶାହ କିଛି ଭୁଲ୍‌ କହିନାହାନ୍ତି। କେବଳ ୨୦୨୪ରେ ନରେନ୍ଦ୍ର ମୋଦୀଙ୍କ ପୁନର୍ବାର ବିଜୟ ନୁହେଁ, ୨୦୨୨ରେ ମୋଦୀଙ୍କ ମନୋନୀତ ରାଷ୍ଟ୍ରପତି ପଦପ୍ରାର୍ଥୀର ଜୟ ମଧ୍ୟ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କର ଜୟ ଉପରେ ନିର୍ଭର କରୁଛି।

ମୋଦୀ-ଶାହମାନେ କୌଣସି ଭାବରେ ଚାହିଁବେ ନାହିଁ ଯେ ଲୋକସଭା ଭୋଟ ଆଗରୁ ବିରୋଧୀ ଶିବିରର କୌଣସି ନେତା ରାଷ୍ଟ୍ରପତି ଭବନକୁ ଯାଇ ବସନ୍ତୁ। ଓଲଟା ଦିଗରୁ ଦେଖିଲେ, ବିରୋଧୀ ଶିବିର ଏକାଠି ହୋଇ ନିଜ ନିଜର ପ୍ରାର୍ଥୀଙ୍କୁ ଜିତାଇ ଆଣି ପାରିଲେ ଲୋକସଭା ଭୋଟ ଆଗରୁ ବାର୍ତ୍ତା ଯିବ। ବିଜେପିର ବିଜୟ ରଥକୁ ଅବରୋଧ କରିଦେବା ସମ୍ଭବ। ସମୀକରଣରୁ ସୂଚନା ମିଳୁଛି ବିରୋଧୀମାନଙ୍କ ସଙ୍ଗରେ କଂଗ୍ରେସ, ବିଜେପିଠାରୁ ସମାନ ଦୂରତ୍ବ ନେଇ ଚାଲୁଥିବା ଦଳଗୁଡ଼ିକ ମିଶିଗଲେ ତାହା ସମ୍ଭବ। ବିଜେପିକୁ ଜିତିବାକୁ ହେଲେ ବିରୋଧୀମାନଙ୍କର ଏହି ଶିବିରରେ ବିଭାଜନ ଘଟାଇବାକୁ ହେବ। କିଛି ଆଞ୍ଚଳିକ ଦଳକୁ ନିଜ ଆଡ଼କୁ ଟାଣିବାକୁ ହେବ। ଯାହାର ଅର୍ଥ ଏକା। ରାଷ୍ଟ୍ରପତି ପଦର ଏହି ନିର୍ବାଚନ ଆକ୍ଷରିକ ଅର୍ଥରେ ଟାଣଟାଣ ଉତ୍ତେଜନାର ରାଜନୈତିକ ଥ୍ରିଲାର ହୋଇ ଉଠିପାରେ।

ରାଷ୍ଟ୍ରପତି ନିର୍ବାଚନରେ ଲୋକସଭା ଓ ରାଜ୍ୟସଭା ମିଳିକରି ୭୭୬ ଜଣ ସାଂସଦ, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକର ୪୧୨୦ ଜଣ ବିଧାୟକ ଭୋଟ ଦେଇଥାଆନ୍ତି। ସେମାନଙ୍କର ମୁଣ୍ଡପିଛା ଭୋଟର ମୂଲ୍ୟ ନିର୍ଭର କରେ ରାଜ୍ୟର ସାଂସଦ ବା ବିଧାୟକ ସଂଖ୍ୟା ଏବଂ ୧୯୭୧ ସାଲର ଜନସଂଖ୍ୟାର ଭିତ୍ତିରେ। ଏହି ହିସାବରେ ମୋଟ ଭୋଟର ପରିମାଣ ୧୦ ଲକ୍ଷ ୯୮ହଜାର ୯୦୩ଟି। ୫ଲକ୍ଷ ୪୯ ହଜାର ୪୫୨ଟି ଭୋଟ ପାଇଲେ ସଂଖ୍ୟାଗରିଷ୍ଠତା ମିଳେ। ସ୍ବାଭାବିକ ଭାବରେ ଜନସଂଖ୍ୟା, ସାଂସଦ ଓ ବିଧାୟକ ସଂଖ୍ୟାର ଭିତ୍ତିରେ ସବୁଠାରୁ ବେଶୀ ଭୋଟ ଉତ୍ତରପ୍ରଦେଶର। ତା’ପରେ ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗ। ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରହୁଛନ୍ତି ବିହାର ଓ ତାମିଲନାଡ଼ୁ।

ଲୋକସଭାରେ ବିଜେପିର ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ରହିଥିଲେ ମଧ୍ୟ ରାଜ୍ୟସଭାରେ ବିଜେପି ଶିବିର ଓ ବିରୋଧୀ ଶିବିରର ଶକ୍ତି ପ୍ରାୟ ସମାନ ସମାନ। ଉତ୍ତର ପ୍ରଦେଶ ଛଡ଼ା ବଡ଼ ରାଜ୍ୟଗୁଡ଼ିକ ମଧ୍ୟରେ ବିଜେପି ଏବେ ମଧ୍ୟପ୍ରଦେଶ, ଗୁଜରାଟ, କର୍ଣ୍ଣାଟକ ପରି ରାଜ୍ୟରେ କ୍ଷମତାରେ ଅଛନ୍ତି। ବିହାରରେ ବିଜେପି ଏକ ମେଣ୍ଟର ଅଂଶୀଦାର ମହାରାଷ୍ଟ୍ର, ତାମିଲନାଡ଼ୁରେ ଆଞ୍ଚଳିକ ଦଳ କ୍ଷମତାରେ କଂଗ୍ରେସ ସେଠାରେ ମେଣ୍ଟରେ ଭାଗୀଦାର। ପଶ୍ଚିମବଙ୍ଗ, ଦିଲ୍ଲୀ, ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ପରି ରାଜ୍ୟରେ ଅଣକଂଗ୍ରେସ ଅଣବିଜେପି ଦଳ କ୍ଷମତାରେ। ଅଙ୍କ କହୁଛି, ଏନ.ସି.ପି ସୁପ୍ରିମୋ ଶରଦ ପୱାରଙ୍କ ପରି କୌଣସି ନେତା ଯଦି ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ମେଣ୍ଟର ପ୍ରାର୍ଥୀ ହୁଅନ୍ତି ଏବଂ ସେ ତୃଣମୂଳ, ବିଜୁ ଜନତା ଦଳ, ଟିଆରଏସ୍‌, ୱାଇଏସଆର୍‌ କଂଗ୍ରେସ, ଆମ ଆଦ୍‌ମୀ ପାର୍ଟିର ସମର୍ଥନ ଆଦାୟ କରିବାକୁ ସମର୍ଥ ହୁଏ, ତା’ହେଲେ ବିଜେପି ପକ୍ଷରେ ରାଷ୍ଟ୍ରପତି ନିର୍ବାଚନରେ ଜିତିବା​‌ କଠିନ। ମୋଦୀ ସରକାର ଚାହିଁବେ ନାହିଁ, ରାଷ୍ଟ୍ରପତି ପଦରେ ଏପରି କେହି ଅଧିଷ୍ଠିତ ହେଉ ଯିଏ ଆଗାମୀ ଦୁଇ ବର୍ଷରେ ୩୭୦ ଧାରା ରଦ୍ଦ କରିବ ବା ଅଭିନ୍ନ ଦେୱାନୀ ବିଧି (ୟୁନିଫର୍ମ ସିଭିଲ କୋଡ) ଚାଲୁ କରାଯିବା ପରି ବିଷୟ ନେଇ ପ୍ରଶ୍ନ ଉତ୍‌ଥାପନ କରିବେ।

ଗତ ରାଷ୍ଟ୍ରପତି ନିର୍ବାଚନରେ କୋବିନ୍ଦ ୬୫ ଶତାଂଶରୁ ବେଶୀ ଭୋଟ ପାଇଥିଲେ। କାରଣ ଲୋକସଭାରେ ସଂଖ୍ୟାଗରିଷ୍ଠତାର ପାଖାପାଖି ବିଜେପି ସେତେବେଳେ ସିଂହଭାଗ ରାଜ୍ୟରେ ଶାସନ କରୁଥିଲା। ଗତ କେତେ ବର୍ଷରେ ତେଲୁଗୁ ଦେଶମ୍‌, ଶିବସେନା ଓ ଅକାଳୀ ଦଳ ପରି ଅଂଶୀଦାର ଦଳମାନେ ବିଜେପିର ସଙ୍ଗତ୍ୟାଗ କରିଛନ୍ତି। ଏହି ପରିସ୍ଥିତିରେ ତୃଣମୂଳ, ୱାଇଏସ୍ଆର୍‌ କଂଗ୍ରେସ, ବିଜୁ ଜନତା ଦଳ, ଟିଆରଏସ ପରି ଦଳ ଗୁଡ଼ିକର ଭୂମିକା ଗୁରୁତ୍ବପୂର୍ଣ୍ଣ ହୋଇଉଠିବ। କାରଣ ନିଜ ନିଜର ରାଜ୍ୟରେ କ୍ଷମତାସୀନ ଦଳଗୁଡ଼ିକର ହାତରେ ଏକା ସାଙ୍ଗରେ ସଂଖ୍ୟାଗରିଷ୍ଠ ସାଂସଦ ଓ ବିଧାୟକମାନଙ୍କର ଭୋଟ ରହିଛି। ଏହି ଦଳଗୁଡ଼ିକ ଯଦି ବିଜେପିର ପ୍ରାର୍ଥୀକୁ ସମର୍ଥନ କରିବେ, ତା’ ହେଲେ ସେ ସହଜରେ ଜିତି ଯାଇପାରି​ବେ। ଆଉ ଏମାନେ ଯଦି କଂଗ୍ରେସ ତଥା ୟୁପିଏର ପ୍ରାର୍ଥୀଙ୍କୁ ସମର୍ଥନ କରନ୍ତି, ତା’ହେଲେ ସେମାନଙ୍କର ଭୟର ସମ୍ଭାବନା ଯଥେଷ୍ଟ। ସର୍ବୋପରି ପୱାରଙ୍କ ପରି କେହି ପ୍ରାର୍ଥୀ ହେଲେ ସେ ଏନଡିଏର ଶିବିରରୁ ଭୋଟ ଟାଣି ନେଇପାରିବେ।

ରାଷ୍ଟ୍ରପତି ନିର୍ବାଚନରେ ଆଗରୁ ପଶ୍ଚିମବଙ୍ଗ, ଓଡ଼ିଶା, ଆନ୍ଧ୍ର, ତେଲେଙ୍ଗାନା, ଦିଲ୍ଲୀରେ କୌଣସି ଭୋଟ ନାହିଁ। ଫଳରେ ଏହି ରାଜ୍ୟଗୁଡ଼ିକର ସାଂସଦ, ବିଧାୟକ ସଂଖ୍ୟାରେ ବଦଳିବାର ନାହିଁ। ସାମ୍ନାରେ ଯେଉଁ ପାଞ୍ଚଟି ରାଜ୍ୟର ନିର୍ବାଚନ ତନ୍ମଧ୍ୟରେ ଉତ୍ତରପ୍ରଦେଶ ହିଁ ଗୋଟିଏ ମାତ୍ର ବଡ଼ ରାଜ୍ୟ। ବିଜେପି ସେଠାରେ ବିପୁଳ ବ୍ୟବଧାନରେ ହାରିଗଲେ ଏବଂ ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆର ବିଧାନସଭାମାନଙ୍କର ମଧ୍ୟ ଆସନ ହରାଇଲେ ରାଷ୍ଟ୍ରପତି ନିର୍ବାଚନରେ ଲଢ଼ାଇରେ ଆଗରୁ ହରାଇ ବସିବେ। ବିଜେପିକୁ କେବଳ ଉତ୍ତର ପ୍ରଦେଶରେ ଜିତିଲେ ଚଳିବ ନାହିଁ। ୪୦୩ ଆସନର ବିଧାନସଭାରେ ଯଥେଷ୍ଟ ବଡ଼ ବ୍ୟବଧାନରେ ଜିିତିବାକୁ ହେବ।

ଆଉ ଗୋଟିଏ ସମ୍ଭାବନା ଅବଶ୍ୟ ରହିଛି। ଅଟଳ ବିହାରୀ ବାଜପେୟୀଙ୍କ ଅମଳରେ ଏନ.ଡି.ଏ.,ଏପିଜେ ଅବଦୁଲ କଲାମଙ୍କୁ ପ୍ରାର୍ଥୀ କରିଥିଲେ। କଲାମ ଏନ.ଡି.ଏ ବିରୋଧୀ ଶିବିରର ମଧ୍ୟ ଭୋଟ ପାଇଥିଲେ। ଏକା ଭାବରେ ପ୍ରଣବ ମୁଖୋପାଧ୍ୟାୟ ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହୋଇ ଇଉ.ପି.ଏର ବାହାର ଦଳଗୁଡ଼ିକର ମଧ୍ୟ ଭୋଟ ପାଇଥିଲେ। ବାମ ଶିବିରରେ ମଧ୍ୟ ବିଭାଜନ ଘଟାଇପାରିଥିଲେ। ତୃଣମୂଳ, ଆମ୍‌ ଆଦମୀ ପାର୍ଟି, ବିଜୁ ଜନତା ଦଳ, ୱାଇଏସଆର କଂଗ୍ରେସ, ଟିଆରଏସ- ଏହି ଦଳଗୁଡ଼ିକ ମୁହଁରେ କଂଗ୍ରେସ ବିଜେପିଠାରୁ ସମଦୂରତ୍ବ ରଖି ଚଳୁଥିବାର କଥା କହିଲେ ମଧ୍ୟ ସଂସଦୀୟ ରାଜନୀତିରେ ଏମାନଙ୍କ ମଧ୍ୟରେ ବି ପାର୍ଥକ୍ୟ ରହିଛି। ତୃଣମୂଳ ଓ ଆମ୍‌ ଆଦମୀ ପାର୍ଟି ମୋଟ ଉପରେ ସଂସଦରେ ବିଜେପିର ବିରୋଧିତା କରିଥାଏ। ଓଲଟା ଦିଗରୁ ଦେଖିଲେ ବିଜୁ ଜନତା ଦଳ, ୱାଇଏସଆର କଂଗ୍ରେସ, ଟି.ଆର.ଏସ ଠିକ୍‌ କାର୍ଯ୍ୟ ବେଳକୁ ମୋଦୀ ସରକାରଙ୍କର ସପକ୍ଷବାଦୀ ବନିଯା’ନ୍ତି।

ଏବେ ଉତ୍ତରପ୍ରଦେଶରେ ବିଜେପି ଯଦି ହାରିଯାଏ ବା ଜିତିଲେ ମଧ୍ୟ ଆସନ ସଂଖ୍ୟା କମିଯାଏ, ତା’ହେଲେ ଏହି ଆଞ୍ଚଳିକ ଦଳଗୁଡ଼ିକ ରାଷ୍ଟ୍ରପତିଙ୍କର ନିର୍ବାଚନରେ ବିଜେପିର ପ୍ରାର୍ଥୀଙ୍କୁ ବିନା ସର୍ତ୍ତରେ ସମର୍ଥନ ନ କରିପାରନ୍ତି। ସେତେବେଳେ ସେମାନେ ହୁଏତ ନିଜ ନିଜର ପସନ୍ଦ ମୁତାବକ କାହାକୁ ପ୍ରାର୍ଥୀ କରିପାରନ୍ତି ଓ ଦର କଷାକଷି କରିପାରନ୍ତି। ପୁଣି ଓଲଟା ଦିଗରୁ ଦେଖିଲେ ବିଜେପି ମଧ୍ୟ ଏପରି ଜଣେ କାହାକୁ ପ୍ରାର୍ଥୀ କରିପାରେ ଯାହାଫଳରେ ବିରୋଧୀ ଶିବିର ମଧ୍ୟରୁ ତୃଣମୂଳ ବା ତାମିଲନାଡ଼ୁରେ ଡିଏମକେର ସମର୍ଥନ ଲାଭ କରିପାରେ।

ଜୁଲାଇ ମାସରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର ବୟସ ୭୬ବର୍ଷ ଅତିକ୍ରମ କରିଯିବ। ସରକାର ବା ଦଳୀୟ ପଦରେ ବିଜେପିର ୭୫ବର୍ଷର ଊର୍ଦ୍ଧ୍ବସୀମା ମାନିଲେ ତାଙ୍କୁ ପୁଣି ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ କରିବାର ସମ୍ଭାବନା ଖୁବ୍‌ କମ୍‌। ସେହି ଦିଗରୁ ଉତ୍ତର ପ୍ରଦେଶର ନିର୍ବାଚନ ସରିଗଲେ ରାଜନୈତିକ ଅଙ୍କ କଷି ନୂତନ ରାଷ୍ଟ୍ରପତି ପ୍ରାର୍ଥୀ ଖୋଜାଖୋଜି କାର୍ଯ୍ୟରେ ଲାଗିଯିବାକୁ ହେବ- ଏହା ବେଶ୍‌ ବୁଝାଯାଉଛି।

Comments are closed.