୧୯୪୭ରେ ପ୍ରକାଶିତ ନୋବେଲ ପୁରସ୍କାରପ୍ରାପ୍ତ ଔପନ୍ୟାସିକ ଆଲବେୟାର କାମ୍ୟୁଙ୍କ ଉପନ୍ୟାସ ‘ଦି ପ୍ଲେଗ୍’ ବିଶ୍ୱ ସାହିତ୍ୟର ଏକ ଅନବଦ୍ୟ କୃତି। ଉପନ୍ୟାସଟି ହେଉଛି ଅବିଶ୍ରାନ୍ତ ଆତଙ୍କ, ମୃତ୍ୟୁରୁ ବର୍ତ୍ତିବା ପାଇଁ ଚାହୁଁଥିବା ମଣିଷ ଓ ମାନବୀୟ ନମନୀୟତାର ହୃଦୟସ୍ପର୍ଶୀ କାହାଣୀ, ଯାହାର ସମୟାତୀତ ନୈତିକ ପ୍ରତିଧ୍ୱନି ଆଜି ମଧ୍ୟ ଶୁଣାଯାଏ। ଏହି ପୁସ୍ତକରେ ଦେଖିବାକୁ ମିଳେ ସ୍ଥିତିବାଦ ଓ ମାନବବାଦର ଏକ ମିଳିତ ସ୍ୱର। ଉପନ୍ୟାସରେ ବର୍ଣ୍ଣିତ କାହାଣୀଟିର ସ୍ଥାନ ହେଉଛି ଓରାନ୍, ଉତ୍ତର ଆଫ୍ରିକାରେ ଫରାସୀ ଅଧିକୃତ ଆଲଜିରିଆର ଏକ ବନ୍ଦର ସହର। ସହରଟିର ଅନ୍ୟ କିଛି ବିଶେଷତ୍ୱ ନାହିଁ, ବରଂ ସୌନ୍ଦର୍ଯ୍ୟ ଖୋଜିଲେ ଏ ସହରରେ ମିଳିବ ନାହିଁ। ଏପରିକି ସହରଟିରେ ଗଛଟିଏ ମଧ୍ୟ ନଥାଏ, ବଗିଚା ଦୂରର କଥା। ପକ୍ଷୀଙ୍କର ଡେଣା ଝଡ଼ା ବା ପତ୍ରର ଖସ୍ ଖସ୍ ଶବ୍ଦ ଏଠାରେ ଶୁଣିବାକୁ ମିଳେନା। କାମ୍ୟୁ ସହରର ପରିଚୟ କରାଇ ଦିଅନ୍ତି ଏହିପରି – ଏଇଠି ଲୋକେ କାମ କରନ୍ତି, ଭଲ ପାଇ ବସନ୍ତି ଓ ସେମାନଙ୍କର ମୃତ୍ୟୁ ବି ହୁଏ – ସବୁ ଯେପରି ହେଉଥାଏ ଏକ ଚାପା ଉତ୍ତେଜନା ସହ, ଅଥଚ ଅତି ମାମୁଲି ଭାବରେ। ସତ କହିବାକୁ ଗଲେ ଏଠି ଜୀବନ ସମସ୍ତଙ୍କୁ ଚିଟା ଲାଗେ। ଏହି ସହରର ଲୋକେ ଖୁବ୍ ପରିଶ୍ରମ କରନ୍ତି, କିନ୍ତୁ କେବଳ ଧନ ଅର୍ଜନ କରିବାର ଲକ୍ଷ୍ୟ ନେଇ। ଶନିବାର ଅପରାହ୍ଣ ଓ ରବିବାର ଦିନ ହିଁ ସେମାନେ ସମୁଦ୍ରରେ ଗାଧୋଇବା, ସିନେମା ଦେଖିବା ଇତ୍ୟାଦି କାମ କରିଥାନ୍ତି।
ଓରାନ୍ ସହରରେ ପ୍ଲେଗ ମହାମାରୀ ଆରମ୍ଭ ହୁଏ ଯାହାର ସୂଚନା ମିଳେ କେତେଗୁଡ଼ିଏ ଇଙ୍ଗିତରୁ ଯାହାକୁ ଆରମ୍ଭରେ ଲୋକେ ଅଣଦେଖା କରନ୍ତି। କ୍ରମେ ମହାମାରୀ ହୋଇଉଠେ ଏକ ସର୍ବବ୍ୟାପୀ ବାସ୍ତବତା ଯାହା ଅତୀତର ସବୁ ସନ୍ତକକୁ ପୋଛି ଦିଏ ଓ ମହାମାରୀର ଶିକାର ହୋଇଥିବା ଲୋକମାନଙ୍କୁ ଯନ୍ତ୍ରଣା, ପାଗଳାମି ଓ କରୁଣାର ଅପାର୍ଥିବ ସୀମା ଆଡ଼କୁ ଟାଣି ନିଏ।
ସହରରେ ମୃତ୍ୟୁ ସଂଖ୍ୟା ବଢ଼ିଚାଲେ, କିନ୍ତୁ ପ୍ରକୃତରେ କେତେ ଲୋକ ମରୁଛନ୍ତି ତାହା ଜାଣିବା ସମ୍ଭବ ହୁଏ ନାହିଁ। ଡାକ୍ତରଖାନାର କେତେକ ବିଭାଗରୁ ଅନ୍ୟ ରୋଗରେ ଆକ୍ରାନ୍ତ ରୋଗୀମାନଙ୍କୁ ହଟାଇ ଦିଆଯାଏ ଏବଂ ସେଗୁଡିକୁ ମହାମାରୀ ଆକ୍ରାନ୍ତଙ୍କ ପାଇଁ ସଂରକ୍ଷିତ କରି ରଖାଯାଏ; କିନ୍ତୁ ଖୁବ୍ ଶୀଘ୍ର ସେହି ବିଭାଗ ଗୁଡ଼ିକ ମଧ୍ୟ ଭର୍ତ୍ତି ହେବାରେ ଲାଗେ। ସ୍କୁଲ ଘର ଗୁଡ଼ିକରେ ଅଧିକ ଶଯ୍ୟା ବ୍ୟବସ୍ଥା କରିବା କଥା ମଧ୍ୟ ଚିନ୍ତା କରାଯାଏ। ରୋଗାକ୍ରାନ୍ତମାନେ ରହୁଥିବା ଘରଗୁଡିକୁ ବନ୍ଦ କରିଦିଆଯାଏ।
କବରଖାନାରେ ଶବଗୁଡ଼ିକୁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ତତ୍ତ୍ବାବଧାନରେ ହିଁ କବର ଦିଆଯାଏ। ଶେଷରେ ପ୍ଲେଗ୍ ହୋଇଛି ବୋଲି ସ୍ୱୀକାର କରି ସମଗ୍ର ସହରକୁ ବନ୍ଦ କରିଦିଆଯାଏ। ଏପରି ହେବ ବୋଲି କେହି ଆଶା କରିନଥିବାରୁ ଓ ହଠାତ୍ ସହରକୁ ବନ୍ଦ କରିଦିଆଯିବା ଫଳରେ ପରିବାରର ସଦସ୍ୟମାନେ ପରସ୍ପରଠାରୁ ବିଚ୍ଛିନ୍ନ ହୋଇଯାଆନ୍ତି।। ପ୍ରକୃତରେ ସହରର ଦ୍ୱାର ଗୁଡ଼ିକୁ ବନ୍ଦ କରିବା ପ୍ରକ୍ରିୟା ଘୋଷଣାର ପୂର୍ବରୁ ହିଁ ଆରମ୍ଭ ହୋଇଯାଇଥାଏ। ଏପରି ଆପାତ କାଳରେ କର୍ତ୍ତୃପକ୍ଷ ମଧ୍ୟ ବ୍ୟକ୍ତିଗତ ଅସୁବିଧାଗୁଡ଼ିକୁ କିପରି ହିସାବକୁ ନେଇ ପାରିଥାନ୍ତେ ? ଦୁର୍ବିପାକ ସମୟରେ ସହରର ଭିତରୁ ବାହାରକୁ ଓ ବାହାରୁ ଭିତରକୁ କେବଳ ଯିବାଆସିବା ବନ୍ଦ କରିଦିଆଯାଏ ନାହିଁ, ଡାକ ବ୍ୟବସ୍ଥାକୁ ମଧ୍ୟ ବନ୍ଦ କରିଦିଆଯାଏ, କାଳେ ଚିଠି ଜରିଆରେ ସଂକ୍ରମଣ ବ୍ୟାପିବ। ପରେ ଟେଲିଫୋନ୍ ବ୍ୟବସ୍ଥାକୁ ମଧ୍ୟ କାଟି ଦିଆଯାଏ। ସମସ୍ତଙ୍କୁ ନିଜ ଘରେ ଶରଣାର୍ଥୀ ପରି ହିଁ ରହିବାକୁ ପଡ଼େ।
ମହାମାରୀକୁ ଉପନ୍ୟାସର ବିଭିନ୍ନ ଚରିତ୍ର ନିଜନିଜ ଦୃଷ୍ଟିକୋଣରୁ ଦେଖିଛନ୍ତି – ଡାକ୍ତର ରିଉ, ସାମ୍ବାଦିକ ରାମ୍ବର୍ଟ, ଗୀର୍ଜାର ଫାଦର ପେନିଲୋକ୍ସ, ନଗର ପାଳିକାର କିରାଣି ଜୋସେଫ୍ ଗ୍ରାଣ୍ଡ, ସ୍ୱେଚ୍ଛାସେବୀମାନଙ୍କୁ ଏକାଠି କରିଥିବା ଟାରୁ ଇତ୍ୟାଦି।
ଉପନ୍ୟାସର ମୁଖ୍ୟ ନାୟକ ହେଉଛନ୍ତି ଜଣେ ମାନବବାଦୀ, କର୍ତ୍ତବ୍ୟପରାୟଣ ଡାକ୍ତର – ବର୍ଣ୍ଣାଡ ରିଉ, ଯେ ହୁଏତ ଲେଖକ କାମ୍ୟୁ ନିଜେ। ରାମ୍ବର୍ଟ ହେଉଛନ୍ତି ପ୍ୟାରିସ୍ର ଏକ ଦୈନିକ ସମ୍ବାଦପତ୍ର ଦ୍ୱାରା ନିଯୁକ୍ତ ଜଣେ ସମ୍ବାଦଦାତା ଯେ ଓରାନକୁ ଆସିଛନ୍ତି ସହରର ଆରବ ଲୋକମାନଙ୍କର ଅବସ୍ଥା, ବିଶେଷ ଭାବରେ ସେମାନଙ୍କ ପରିମଳ ବ୍ୟବସ୍ଥା ଅଧ୍ୟୟନ କରିବା ପାଇଁ। ଗ୍ରାଣ୍ଡ ନଗରପାଳିକାର ଜଣେ ସ୍ୱଳ୍ପ ବେତନଭୋଗୀ ଓ ନିଷ୍ଠାପର କର୍ମଚାରୀ। ଆଉ ଏକ ଚରିତ୍ର କୋଟାର୍ଡ ଯେ ଅଧିକାଂଶ ସମୟରେ ଚୁପ୍ଚାପ ଥାଆନ୍ତି ଓ ଲୁଚାଛପାରେ କିଛି କରୁଥିବା ପରି ମନେ ହୁଅନ୍ତି। ଟାରୁ କେଉଁଠାରୁ ଓ କ’ଣ ପାଇଁ ଆସିଛନ୍ତି କେହି ଜାଣନ୍ତି ନାହିଁ। ସେ ଥଟ୍ଟା ପରିହାସ କରିବାକୁ ଭଲ ପାଆନ୍ତି ଓ ତାଙ୍କ ଓଠରେ ସବୁବେଳେ ଥାଏ ସରୁ ହସଟିଏ।
ଡାକ୍ତର ରିଉଙ୍କ ମତରେ ମହାମାରୀକୁ ଲଢ଼ିବାର ଏକମାତ୍ର ଉପାୟ ହେଉଛି ସାଧାରଣ ଶିଷ୍ଟାଚାର। ଫାଦର ପେନିଲୋକ୍ସ ପ୍ଲେଗ୍କୁ ବିଶ୍ୱାସର ପରୀକ୍ଷା ବୋଲି କଳ୍ପନା କରନ୍ତି। ସେ ମନେ ମନେ ଭାବନ୍ତି: ଏପରି ଏକ ଦୁର୍ଭାଗ୍ୟଜନକ ସ୍ଥିତିରେ ପ୍ରାଣୀମାନଙ୍କୁ ପହଞ୍ଚାଇ ଈଶ୍ୱର ସେମାନଙ୍କ ପ୍ରତି କରୁଣା ପ୍ରଦର୍ଶନ କରିଛନ୍ତି। ପରେ ସେ ସାହସର ସହ ସ୍ୱେଚ୍ଛାସେବୀ ଦଳରେ ମିଶନ୍ତି – ଯେଉଁମାନେ ବିପଦର ସମସ୍ତ ସମ୍ଭାବନା ମଧ୍ୟରେ ପ୍ଲେଗ୍ ଆକ୍ରାନ୍ତଙ୍କ ସେବା କରି ଚାଲନ୍ତି। ସଂକ୍ରମଣ ଯେତେବେଳେ ସବୁଠାରୁ ଉଚ୍ଚରେ ଥାଏ ସେତିକିବେଳେ ହିଁ ସେବାକାରୀ କର୍ମୀମାନଙ୍କର ଅଭାବ ଅନୁଭୂତ ହୁଏ। ପରେ ପେନିଲୋକ୍ସଙ୍କର ମହାମାରୀରେ ମୃତ୍ୟୁ ହୁଏ। ଦଳକୁ ଗଢ଼ିବାରେ ମୁଖ୍ୟ ଭୂମିକା ନେଇଥିବା ଟାରୁ ନିଜେ ଶେଷରେ ପ୍ଲେଗ୍ର ଶିକାର ହୁଅନ୍ତି। ନିଜ ପ୍ରେମିକା ନିକଟକୁ ଚାଲିଯିବାର ଅବଦମିତ ଇଚ୍ଛାକୁ ଚାପି ରଖି ରାମ୍ବର୍ଟ ସ୍ୱେଚ୍ଛାସେବୀ ଦଳରେ ଯୋଗ ଦିଅନ୍ତି।
ମହାମାରୀର ଆଦ୍ୟ ଦିନଗୁଡ଼ିକରେ ସହରର ନାଗରିକମାନେ ଥାଆନ୍ତି ପରସ୍ପରର ଯନ୍ତ୍ରଣା ପ୍ରତି ବୀତସ୍ପୃହ। ପ୍ରତ୍ୟେକ ଲୋକ ସ୍ୱାର୍ଥପର ଭାବରେ ବିଶ୍ୱାସ କରୁଥାଏ ଯେ ସେ ଭୋଗୁଥିବା କଷ୍ଟ ଅନ୍ୟ ଲୋକଙ୍କର ଯନ୍ତ୍ରଣାଠାରୁ ଭିନ୍ନ। ଯେତେବେଳେ ମାସ ମାସ ଧରି ମହାମାରୀର ଅନ୍ତ ହୁଏ ନାହିଁ ସେତେବେଳେ ଲୋକେ ବ୍ୟକ୍ତିଗତ ସ୍ୱାର୍ଥର ଊର୍ଦ୍ଧ୍ବକୁ ଯାଇ ପ୍ଲେଗ୍ ବିରୋଧୀ ସଂଗ୍ରାମରେ ଯୋଗ ଦିଅନ୍ତି। ଏହି ବିଦ୍ରୋହ ହିଁ ତାଙ୍କ ଜୀବନକୁ ଅର୍ଥପୂର୍ଣ୍ଣ କରେ ଏବଂ ତାଙ୍କୁ ଏକେଲାପଣରୁ ମୁକ୍ତି ଦିଏ। ସେମାନେ ଉପଲବ୍ଧି କରନ୍ତି ଯେମିତି ବି ହେଉ ସେମାନେ ପ୍ଲେଗ୍ର ଶିକାର ହୋଇପାରନ୍ତି କିନ୍ତୁ ନିଜ ଓ ନିଜର ସମାଜ ପାଇଁ ସଂଘର୍ଷ କରିବାକୁ ନିଷ୍ପତ୍ତି ନେଇ ସେମାନେ ମୃତ୍ୟୁକୁ ଆହ୍ବାନ କରନ୍ତି।
କ୍ରମେ ମହାମାରୀ କମି ଆସେ, କିନ୍ତୁ ସହରର ଲୋକେ ଉପଲବ୍ଧି କରନ୍ତି ଯେ ଅତୀତର ସବୁ ସୁବିଧା ପୁଣି ଥରେ ମିଳିବା ପାଇଁ ସମୟ ଲାଗିବ। ଧ୍ୱଂସ କରିବା ପୁନର୍ଗଠନ କରିବାଠାରୁ ସହଜ ଓ ଅଳ୍ପ ସମୟ ସାପେକ୍ଷ। ସହରର କଫି ଦୋକାନ ଓ ପ୍ରେକ୍ଷାଳୟର ବ୍ୟବସାୟ ମହାମାରୀ ପୂର୍ବର ସ୍ତରକୁ ଫେରି ଆସେ ଓ ରାସ୍ତାରେ ଲୋକଙ୍କର ଗହଳି ଜମେ। ଜାନୁଆରୀ ଶେଷ ବେଳକୁ ସଂକ୍ରମିତଙ୍କ ସଂଖ୍ୟା ଏତେ କମିଯାଇଥାଏ ଯେ ଡାକ୍ତରୀ ପରିଷଦ ସହ ପରାମର୍ଶ ନ କରି ମଧ୍ୟ ସ୍ଥାନୀୟ କର୍ତ୍ତୃପକ୍ଷ ମହାମାରୀର ଶେଷ ହେଲା ବୋଲି ଘୋଷଣା କରିଦିଅନ୍ତି। କିନ୍ତୁ ପ୍ରତିଷେଧକ ବ୍ୟବସ୍ଥା ଅଧିକ ମାସେ ପାଇଁ ବଳବତ୍ତର ରହିବ ବୋଲି ଘୋଷଣା ହୁଏ। ରାସ୍ତା ପୁଣି ଆଲୋକମାଳାରେ ଝଲସି ଉଠେ। କୌଣସି ଘରେ କାହାରି ମୃତ୍ୟୁ ହୋଇଥିଲେ ମଧ୍ୟ ସେଠାରେ ବିରାଜମାନ କରେ ଏକ ଆଶ୍ୱାସନାର ବାତାବରଣ। ମୁକ୍ତିର ଏହି ଶୁଭ ଆଗମନରେ ଡାକ୍ତର ରିଉ, ରାମ୍ବର୍ଟ, ଟାରୁ ଓ ସେମାନଙ୍କ ସହକର୍ମୀ ଏ ସମସ୍ତେ ଏକା ସାଙ୍ଗରେ ଅନୁଭବ କରନ୍ତି ଆନନ୍ଦ ଓ ବିଷାଦ।
ଉପନ୍ୟାସଟିର ପରିସମାପ୍ତି ଘଟେ ଯେତେବେଳେ ଟାରୁ ପ୍ଲେଗ୍ରେ ଆକ୍ରାନ୍ତ ହୋଇପଡ଼ନ୍ତି। ତାଙ୍କ ଶଯ୍ୟା ପାଖରେ ଘଣ୍ଟା ଘଣ୍ଟା ଧରି ବସି ରହନ୍ତି ଡାକ୍ତର ରିଉ; କିନ୍ତୁ ଶେଷରେ ଟାରୁଙ୍କ ପ୍ରାଣବାୟୁ ଉଡ଼ିଯାଏ। ଏହା ପରେ ପରେ, ଫେବୃଆରୀ ମାସରେ ସହରର ଫାଟକ ସବୁ ଖୋଲି ଦିଆଯାଏ।
କାମ୍ୟୁ କାଳ୍ପନିକ ଉପନ୍ୟାସ ‘ଦି ପ୍ଲେଗ୍’ ଲେଖିବା ପୂର୍ବରୁ ପୃଥିବୀ ଇତିହାସରେ ଘଟିଥିବା ମହାମାରୀ ଗୁଡ଼ିକ ସଂପର୍କରେ ଅଧ୍ୟୟନ କରିଥିଲେ। ସେ ଯଦି କୋଭିଡ-୧୯ ମହାମାରୀକୁ ଦେଖିଥାନ୍ତେ ହୁଏତ ତାଙ୍କୁ ଉପନ୍ୟାସର ଚରିତ୍ର ଚିତ୍ରଣ ବା ଘଟଣାବଳୀର ବେଶି କିଛି ପରିବର୍ତ୍ତନ କରିବାକୁ ପଡିନଥାନ୍ତା। ୧୯୪୭ର କାଳ୍ପନିକ ପ୍ଲେଗ୍ ଓ କୋଭିଡ-୧୯ ମଧ୍ୟରେ କିଛି ପାର୍ଥକ୍ୟ ଓ ଅନେକ କିଛି ସାମଞ୍ଜସ୍ୟ ଥିବା ପାଠକମାନେ ନିଶ୍ଚୟ ଅନୁଭବ କରୁଥିବେ। ପ୍ଲେଗ୍ ମହାମାରୀ ପ୍ରାୟ ବର୍ଷେ କାଳ ଓରାନ୍ ସହରର ଜୀବନକୁ ବିପର୍ଯ୍ୟସ୍ତ କରିଥିବା ବେଳେ କୋଭିଡ-୧୯ ଦ୍ୱାରା ଆକ୍ରାନ୍ତ ବା ପ୍ରଭାବିତ ହୋଇଛନ୍ତି ସମଗ୍ର ବିଶ୍ୱବାସୀ। ଲହର ପରେ ଲହର ଚାଲିଛି କୋଭିଡର ତାଣ୍ଡବ। ଏହାର ସମାପ୍ତି ଅଛି ନିଶ୍ଚୟ, ଯଦିଓ ଏବେ ଆମ ଦେଶ ଏକ ଅନିଶ୍ଚିତ ସମୟ ଦେଇ ଗତି କରୁଛି। ଏପ୍ରିଲ ୧୮ ତାରିଖ, ଗୋଟିଏ ଦିନରେ ଅଢ଼େଇ ଲକ୍ଷରୁ ବେଶି ଲୋକ କୋଭିଡ୍ରେ ସଂକ୍ରମିତ ହୋଇଛନ୍ତି ଏବଂ ଏହି ସଂଖ୍ୟା ବଢ଼ି ଚାଲିଛି। ୨୦୨୦ ଫେବୃୟାରୀରୁ ଏ ପର୍ଯ୍ୟନ୍ତ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ଦେଢ଼ କୋଟିରୁ ବେଶି ହେବାର ତଥ୍ୟ ପ୍ରକାଶ ପାଇଛି। ଏହି ସାମଗ୍ରିକ ପରିସଂଖ୍ୟାନ ମଧ୍ୟରେ ଲୁଚି ରହିଛି ଆତଙ୍କ ଓ ନିରାଶାର ଅଗଣିତ ବ୍ୟକ୍ତିଗତ କାହାଣୀ। ୧୯୧୮ ମସିହାରେ ଘଟିଥିବା ସ୍ପାନିଶ ଫ୍ଲୁ ବିଶ୍ୱ ମହାମାରୀରେ ମଧ୍ୟ ଦୁଇଟି ଲହର ଦେଖିବାକୁ ମିଳିଥିଲା ଓ ଦ୍ୱିତୀୟ ଲହର ଅଧିକ ଆତଙ୍କ ଖେଳାଇଥିଲା।
କୋଭିଡ-୧୯ ମହାମାରୀ ବିପର୍ଯ୍ୟୟ ସହିତ ଆମ ଦେଶରେ ସମାନ୍ତରାଳ ଭାବରେ ଚାଲିଛି ଏକ ଅଭୂତପୂର୍ବ ଅର୍ଥନୈତିକ ବିପର୍ଯ୍ୟୟ। ଲକ୍ଷ ଲକ୍ଷ ଶ୍ରମଜୀବୀ ତାଙ୍କ ଜୀବିକା ହରାଇବା ସହିତ କ୍ରମାଗତ ଭାବରେ ବୃଦ୍ଧି ପାଇଛି ଅର୍ଥନୈତିକ ବୈଷମ୍ୟ ଯାହା ଆମ ସାମାଜିକ ସଂହତିର ସ୍ଥାୟିତ୍ୱ ସଂପର୍କରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ସାଧାରଣ ଲୋକଙ୍କର ଅଭାବ ଓ ଅସୁୁବିଧା, ଦୁଃଖ ଓ ଯନ୍ତ୍ରଣାର ଉପଶମରେ ଯେପରି ରାଷ୍ଟ୍ରର କୌଣସି ଭୂମିକା ନାହିଁ ଏପରି ଏକ ଧାରଣା କ୍ରମେ ବଳବତ୍ତର ହୋଇଚାଲିଛି।
‘ଦି ପ୍ଲେଗ୍’ ପୁସ୍ତକରେ ଔପନ୍ୟାସିକ କେବଳ ମହାମାରୀ କଥା କହି ନାହାନ୍ତି, କାମ୍ୟୁଙ୍କ ଦୃଷ୍ଟିରେ ୧୯୪୬ରେ ପୃଥିବୀରେ ଯେଉଁସବୁ ମହାମାରୀ ଦେଖାଯାଇଥିଲା ତାହା ଥିଲା ଏକଛତ୍ରବାଦ, ନାଜିବାଦ, ଫାସିବାଦ। ତେଣୁ ତାଙ୍କ ଉପନ୍ୟାସରେ କାମ୍ୟୁ ପୃଥିବୀରେ ଚାଲିଥିବା ସମସ୍ତ ଅନ୍ୟାୟ ଓ ଅତ୍ୟାଚାର ବିଷୟରେ ପରୋକ୍ଷରେ ଇଙ୍ଗିତ ଦେଇଛନ୍ତି। କାମ୍ୟୁ ଯେଉଁ ପୃଥିବୀର ଚିତ୍ରଣ କରିଛନ୍ତି ତାହା ହୁଏତ ବିଷଣ୍ଣ ଓ ଦୁଖାନ୍ତକ ମନେ ହୋଇପାରେ; କିନ୍ତୁ ବାସ୍ତବରେ ଉପନ୍ୟାସଟି ହେଉଛି ଆଶା, ପ୍ରତିରୋଧ ଓ ମାନବିକତାର ଏକ ନିଚ୍ଛକ ଦଲିଲ୍। ‘ଦି ପ୍ଲେଗ’ ଜଣେ ଲେଖକର ଉତ୍ତରଦାନ (ଲିଗାସି)ର ପ୍ରତିନିଧିତ୍ୱ କରେ ଯେ ସନ୍ଧାନ କରୁଥିଲେ ଏକ ଉଦ୍ଭଟ ପୃଥିବୀରେ ବଞ୍ଚିବାର ଉପାୟ, ଯେଉଁଠି ଅସରନ୍ତି ଅନ୍ୟାୟ ଅବିରତ ଭାବରେ ଆମ ଆଶାର ପରୀକ୍ଷା ନେଉଥାଏ। କୋଭିଡ-୧୯ ପରି ଏକ ଜନସ୍ୱାସ୍ଥ୍ୟ ବିପର୍ଯ୍ୟୟ ସମୟରେ ବିଶ୍ୱବିଖ୍ୟାତ ଔପନ୍ୟାସିକ କାମ୍ୟୁଙ୍କର ଜୀବନ ଦର୍ଶନ ସେହି ଆଶାକୁ ବଞ୍ଚାଇ ରଖିବାରେ ହୁଏତ ଆମକୁ ସାହାଯ୍ୟ କରିବ।

