କ୍ଷତବିକ୍ଷତ ପୃଥିବୀ: ଏକ ବିଖଣ୍ଡିତ ଗ୍ରହ

ବିଭୂତି ପତି

ମଣିଷର କ୍ରମାଗତ ଆକ୍ରମଣରେ ରକ୍ତାକ୍ତ ପୃଥିବୀ ମାତା ଆଜି ଏକ ଆଶାଶୂନ୍ୟ ବିଖଣ୍ଡିତ ଗ୍ରହ। ମିଳିତ ଜାତିସଂଘର ମହାସଚିବ ସତର୍କ କରାଇ ଦେଇଛନ୍ତି, ମାନବ ଜାତି ପୃଥିବୀ ବିରୋଧରେ ଏକ ଆତ୍ମଘାତୀ ଯୁଦ୍ଧ ଘୋଷଣା କରିଦେଇଛି। ଏହି ଯୁଦ୍ଧରେ ପୃଥିବୀ ପ୍ରତିଦିନ କ୍ଷତବିକ୍ଷତ ଓ ଲହୁଲୁହାଣ ହୋଇ ଏକ ବିଖଣ୍ଡିତ ଗ୍ରହ ପାଲଟିଯାଉଛି। ଏବେ ପୃଥିବୀ ଉଭୟ ବୈଶ୍ୱିକ ଏବଂ ସ୍ଥାନୀୟ ସ୍ତରରେ କଳ୍ପନା କରାଯାଇ ପାରୁନଥିବା ସମସ୍ତ ପ୍ରକାରର ପାରିବେଶିକ ବିପଦର ସମ୍ମୁଖୀନ ହେଉଛି, ଯାହାକି ମଣିଷ ଓ ପ୍ରକୃତିର ସ୍ୱାସ୍ଥ୍ୟ ଉପରେ ଗୁରୁତର କୁପ୍ରଭାବ ପକାଉଛି। ମଣିଷ ସମାଜ ପାଇଁ ସ୍ଥାୟୀ ଭାବେ ପୃଥିବୀ ସହ ଯୁଦ୍ଧରେ ବିରାମ ଘୋଷଣା କରିବା ଏବଂ ପ୍ରକୃତି ସହ ବୁଝାମଣା କରିନେବାର ସମୟ ଆସିଯାଇଛି, କାରଣ ଏହାରି ଫଳରେ ହିଁ ମଣିଷ ନିଜ ପାଇଁ ତଥା ପ୍ରକୃତି ପାଇଁ ଏକ ଚିରନ୍ତନ ଏବଂ ନିରାପଦ ପୃଥିବୀକୁ ସୁନିଶ୍ଚିତ କରିପାରିବ।

ବୈଶ୍ୱିକ ପାରିବେଶିକ ଆହ୍ୱାନଗୁଡ଼ିକ ମଧ୍ୟରେ ଜଳବାୟୁ ପରିବର୍ତ୍ତନ, ଜୈବ ବିବିଧତା ହ୍ରାସ ପାଇବା, ଜମି ଓ ଜଙ୍ଗଲ ଅବକ୍ଷୟ, ମହାସାଗରଗୁଡ଼ିକର ପ୍ରଦୂଷଣ ତଥା ଅମ୍ଳୀକରଣ, ଆର୍ଦ୍ରଭୂମିଗୁଡ଼ିକ ବିଲୁପ୍ତ ହୋଇଯିବା, ଓଜୋନ ସ୍ତର ହ୍ରାସ ଇତ୍ୟାଦି ଅନ୍ତର୍ଭୁକ୍ତ। ଏହିସବୁ ପାରିବେଶିକ ସମସ୍ୟାଗୁଡିକ ମଧ୍ୟରୁ ଯେକୌଣସି ଗୋଟିଏ ମାନବ ସଭ୍ୟତାର ବ୍ୟାପକ କ୍ଷତି ଘଟାଇବାକୁ ଯଥେଷ୍ଟ। ତେଣୁ ଏତେ ସବୁ ପାରିବେଶିକ ସମସ୍ୟାର ମିଳିତ ପ୍ରଭାବ ଯେ ମାନବ ସମାଜ ତଥା ପ୍ରକୃତି କିପରି ଧ୍ୱଂସ ସାଧନ କରିବ ସେ କଥା ସହଜରେ କଳନା କରାଯାଇପାରେ। ଏହିସବୁ ବୈଶ୍ୱିକ ଆଲୋଚନା ବ୍ୟତୀତ ଅନେକଗୁଡ଼ିଏ ଆଞ୍ଚଳିକ କିମ୍ବା ସ୍ଥାନୀୟ ପାରିବେଶିକ ଚାପମାନ ରହିଛି, ଯେପରିକି ବାୟୁ, ମୃତ୍ତିକା, ନଦୀ ଓ ଭୂତଳ ଜଳର ପ୍ରଦୂଷଣ, ଖାଦ୍ୟ ନଷ୍ଟ, ମଳ ଯୋଗୁଁ ଜଳ ଦୂଷିତକରଣ, କୀଟନାଶକ ଓ ପ୍ଲାଷ୍ଟିକ ପ୍ରଦୂଷଣ, ପରିମଳର ଅଭାବ, ମ୍ୟୁନିସିପାଲଟିର କଠିନ ଓ ତରଳ ବର୍ଜ୍ୟବସ୍ତୁ ଜମା ଜନିତ ପ୍ରଦୂଷଣ ଇତ୍ୟାଦି।

ଯେଉଁ ପାରିବେଶିକ ଆହ୍ୱାନ ସକାଶେ ପରିମାଣାତ୍ମକ ଆକଳନ ଉପଲବ୍ଧ ତାହା ହେଲା ବାୟୁ ପ୍ରଦୂଷଣ। କେବଳ ବାୟୁ ପ୍ରଦୂଷଣ ଯୋଗୁଁ ଭାରତରେ ପ୍ରତିବର୍ଷ ୧୬.୭ ଲକ୍ଷ ଲୋକଙ୍କର ଜୀବନହାନି ହୋଇଥାଏ ବୋଲି ଲାନ୍‍ସେଟ୍‍ ପକ୍ଷରୁ କୁହାଯାଇଛି। ବିଶ୍ଳେଷଣରେ ଏକଥା ଦର୍ଶାଯାଇଛି, ବାୟୁ ପ୍ରଦୂଷଣ ଯୋଗୁଁ ଲାଗି ରହୁଥିବା ଫୁସଫୁସରେ ପ୍ରତିରୋଧ ସମ୍ପର୍କିତ ରୋଗୀ (ସି.ଓ.ପି.ଡି.),ଶ୍ୱାସକ୍ରିୟା ସମ୍ପର୍କିତ ସଂକ୍ରମଣ, ଫୁସଫୁସରେ କର୍କଟ, ହୃଦରୋଗ, ମଧୁମେହ, ନବଜାତ ଶିଶୁ​‌େ‌କ୍ଷତ୍ରରେ ଦେଖାଯାଉଥିବା ସମସ୍ୟା ଏବଂ ମୋତିଆବିନ୍ଦୁ ପରି ରୋଗମାନ ଦେଖାଦେଇଥାଏ। ବିଶ୍ୱର ସର୍ବାଧିକ ପ୍ରଦୂଷିତ ୨୦ଟି ସହର ମଧ୍ୟରୁ ୧୫ଟି ସହର ଭାରତରେ ଅବସ୍ଥିତ। ବାୟୁ ପ୍ରଦୂଷଣର କାରଣଗୁଡ଼ିକ ଜଣାଶୁଣା ମାତ୍ର ଏହାର ନିରାକରଣ କରାଯାଉ ନାହିଁ।

ଜୈବ ବିବିଧତା ଏବଂ ବନ୍ୟପ୍ରାଣୀ ହ୍ରାସ ପାଇବା ହେଉଛି ଆଉ ଏକ ପ୍ରମୁଖ ପାରିବେଶିକ ବିପଦ। ଆକଳନ କରାଯାଇଥିବା ପ୍ରାଣୀ ଓ ଉଦ୍ଭିଦ ମଧ୍ୟରୁ ପ୍ରାୟ ଏକ ଚତୁର୍ଥାଂଶ ପ୍ରଜାତି ହେଉଛନ୍ତି ଚାପଗ୍ରସ୍ତ। ଏଥିରୁ ଏହି ସୂଚନା ମିଳୁଛି, ବିଶ୍ୱର ପ୍ରାୟ ଦଶଲକ୍ଷ ପ୍ରଜାତି ଏବେ ବିଲୁପ୍ତିର ଦ୍ୱାରଦେଶରେ। ଜୈବ ବିବିଧତା ଧ୍ୱଂସର କାରକଗୁଡ଼ିକର ତୀବ୍ରତା ହ୍ରାସ କରିବା ପାଇଁ ପଦକ୍ଷେପ ଗ୍ରହଣ କରାନଗଲେ ମାତ୍ର କେଇ ଦଶନ୍ଧି ମଧ୍ୟରେ ଅନେକଗୁଡ଼ିଏ ପ୍ରଜାତି ପ୍ରାଣୀମାନଙ୍କର ଲୁପ୍ତ ଘଟିବ। ଏହା ସଙ୍ଗେସଙ୍ଗେ ସ୍ଥାନୀୟ ପ୍ରଜାତିମାନ ତଥା ପାରମ୍ପରିକ ପରିବେଶ ଉପଯୋଗୀ ବୃକ୍ଷଲତା ଓ ପ୍ରାଣୀଗୁଡ଼ିକ କ୍ରମଶଃ ଉଭେଇଯିବାରେ ଲାଗିଛନ୍ତି। ଜୈବବିବିଧତା ସମେତ ଜିନ ସମ୍ପର୍କିତ ପ୍ରକୃତିର ବିବିଧତା ହ୍ରାସ ପାଇବା ଫଳରେ ବହୁ କୃଷି ବ୍ୟବସ୍ଥାର ଧକ୍କା ସମ୍ଭାଳି ଠିଆ ହେବାର କ୍ଷମତା କମିଯାଇ ବୈଶ୍ୱିକ ଖାଦ୍ୟ ନିରାପତ୍ତା ପ୍ରତି ବଡ଼ଧରଣର ବିପତ୍ତି ଦେଖାଦେଇଛି। ଏହି ବିପତ୍ତିଗୁଡ଼ିକ କୀଟ, ପରଜୀବୀ ଏବଂ ଜଳବାୟୁ ପରିବର୍ତ୍ତନ ଆକାରରେ ଆସିଥାଆନ୍ତି। ଏହା ପ୍ରକୃତି ଓ ପୃଥିବୀ ପୃଷ୍ଠକୁ ଘାଇଲା କଲାଣି।

prayash

ପୃଥିବୀର ଜୀବନ ପାଇଁ ଆଉ ଏକ ବିପତ୍ତି ହେଲା ଜଳ ପ୍ରଦୂଷଣ। ନିତି ଆୟୋଗ ଅନୁଯାୟୀ ମୋଟାମୋଟି ଭାବେ ଦେଖିବାକୁ ଗଲେ ଭାରତର ୭୦% ମଧୁର ଜଳ ଉତ୍ସ ପ୍ରଦୂଷିତ। ଜଳର ମାନ ଦୃଷ୍ଟିରୁ ୧୨୨ଟି ଦେଶ ମଧ୍ୟରେ ଭାରତର ସ୍ଥାନ ୧୨୦। ପ୍ରଦୂଷକଗୁଡ଼ିକର ମୁଖ୍ୟ ପ୍ରକାରଗୁଡ଼ିକ ହେଲା ମଳ, ନାଇଟ୍ରେଟ୍‍, ଆର୍ସେନିକ୍‍, ଫ୍ଲୁରାଇଡ, ଶିଳ୍ପ ଓ ସହରାଞ୍ଚଳର ଆବର୍ଜନା ଇତ୍ୟାଦି। କେବଳ ଜଳବାହିତ ରୋଗରେ ପ୍ରତ୍ୟେକ ବର୍ଷ ୧୫ଲକ୍ଷରୁ ଅଧିକ ଶିଶୁ ପ୍ରାଣ ହରାଇଥାଆନ୍ତି। ମହାସାଗରରେ ପ୍ଲାଷ୍ଟିକ ପ୍ରଦୂଷଣ ଏକ ଜଟିଳ ସ୍ଥିତିକୁ ପହଞ୍ଚିଯାଉଛି। ପ୍ରତିବର୍ଷ ପ୍ରାୟ ୧୧୦ଲକ୍ଷ ଟନ୍‍ ପ୍ଲାଷ୍ଟିକ୍‍ ଆବର୍ଜନା ମହାସାଗରରେ ମିଶୁଛି। ଉପଲବ୍ଧ ତଥ୍ୟଗୁଡିକୁ ପରିବର୍ଦ୍ଧିତ କରି ଆକଳନ କରାଯାଇଛି ଯେ, ୨୦୫୦ ମସିହା ବେଳକୁ ପୃଥିବୀର ମହାସାଗର ଗୁଡ଼ିକରେ ଯେତେ ପରିମାଣର ପ୍ଲାଷ୍ଟିକ ଆବର୍ଜନା ଜମା ହୋଇଥିବ, ତାହାର ଓଜନ ସେଠାରେ ଥିବା ମୋଟ ମାଛର ଓଜନଠାରୁ ମଧ୍ୟ ଅଧିକ। ଏହି ବିପଦ ଦ୍ୱାରା ଧରିତ୍ରୀ ମା’ର ସାଗର ଗର୍ଭରେ ସମାଧି ସୃଷ୍ଟି ହେଲାଣି।

ଜଳ ପ୍ରଦୂଷଣ ସଙ୍ଗେ ସଙ୍ଗେ ଯଥେଷ୍ଟ ପରିମାଣର ମୌସୁମି ବର୍ଷା ସତ୍ତ୍ବେ ଭାରତର ବିଶାଳ ଅଞ୍ଚଳ ପାଇଁ ଜଳର ଉପଲବ୍ଧତା ଏକ ବଡ଼ ଆହ୍ୱାନ ହୋଇ ଦେଖାଦେଇଛି। ଭାରତର ପ୍ରାୟ ଅର୍ଦ୍ଧେକ ଜନସଂଖ୍ୟା ନିକଟରେ ନିରାପଦ ପାନୀୟ ଜଳ ପହଞ୍ଚୁନାହିଁ। ଜଳ ସଙ୍କଟ କୋଭିଡ ମହାମାରୀଠାରୁ ମଧ୍ୟ ଏକ ବୃହତ୍ତର ସମସ୍ୟା। ନିରାପଦ ପାନୀୟ ଜଳ ପହଞ୍ଚୁ ନଥିବା କାରଣରୁ ବାର୍ଷିକ ପ୍ରାୟ ୨୩ଲକ୍ଷ ଲୋକ ମୃତ୍ୟୁମୁଖରେ ପଡ଼ୁଛନ୍ତି। ଭାରତର ସଂଖ୍ୟାଗରିଷ୍ଠ ଜିଲାଗୁଡ଼ିକର ଭୂତଳ ଜଳ ବିପଦସଙ୍କୁଳ ବୋଲି ଘୋଷଣା କରାଯାଇ ସାରିଲାଣି। ଏହାର ଅର୍ଥ ହେଲା ଏହି ସବୁ ଜିଲାରେ ଭୂତଳ ଜଳ ଯୋଗାଣ ଖୁବ୍‍ କମିଯାଇଛି, କିମ୍ବା ଭୂତଳ ଜଳର ମାନ ଖରାପ ହୋଇଯାଇଛି ଅଥବା ଉଭୟ ସମସ୍ୟା ରହିଛି। ଏହା ଉପରେ ପୁଣି ଭୂତଳ ଜଳ ସ୍ତର ହ୍ରାସ ପାଇବା ଏକ ଜଟିଳ ସମସ୍ୟା ଏବଂ ଏହାକୁ ପୂର୍ବାବସ୍ଥାକୁ ଫେରାଇ ଆଣିବା ଆଦୌ ସହଜ ନୁହେଁ। ପାନୀୟ ଜଳର ପ୍ରାୟ ୮୦% ଏବଂ ଜଳସେଚନ ବାବଦ ଜଳର ପ୍ରାୟ ଦୁଇ ତୃତୀୟାଂଶ ଭୂତଳ ଜଳ ଉତ୍ସରୁ ହିଁ ଆସିଥାଏ। ଭାରତର ପ୍ରାୟ ୬୦% ଜିଲା ଭୂତଳ ଜଳ ‘ମାତ୍ରାତିରିକ୍ତ ଆହରଣ’ କରାଯାଇଥିବା ଶ୍ରେଣୀରେ ଆସୁଛି। ପୃଥିବୀ କୋଳରେ ଜଳ ବିହୁନେ ଓ ଜଳ ବହୁଳେ ଧ୍ୱଂସର ପ୍ରକ୍ରିୟା ଆରମ୍ଭ ହେଲାଣି।

ଜଙ୍ଗଲ ଅବକ୍ଷୟ ଏକ ପ୍ରମୁଖ ବୈଶ୍ୱିକ ଆହ୍ୱାନ ହୋଇ ରହିଆସିଛି। ବୈଶ୍ୱିକ ସ୍ତରରେ, ବିଗତ ଦଶନ୍ଧିରେ ବାର୍ଷିକ ୪୭ଲକ୍ଷ ହେକ୍ଟର ପରିମିତ ଜଙ୍ଗଲ କ୍ଷୟ ପାଉଛି। ସରକାରୀ ସ୍ତରରେ ଭାରତରେ ଜଙ୍ଗଲ ଥିବା ଅଞ୍ଚଳର ଆକାର ବୃଦ୍ଧି ପାଉଥିଲେ ମଧ୍ୟ ଏହା ମୁଖ୍ୟତଃ ଇଉକାଲିପଟାସ୍‍ ଓ ଆକାଶିଆ ଭଳି ଜାଳେଣି କାଠ ପ୍ରଜାତିର ବୃକ୍ଷ ବନୀକରଣ ଏବଂ ଆମ୍ବ, ନଡିଆ, କାଜୁ ପରି ଉଦ୍ୟାନ ଚାରା ରୋପଣ ଯୋଗୁଁ ବୃଦ୍ଧିପାଇଛି; ପ୍ରାକୃତିକ ଜଙ୍ଗଲର ଅଭିବୃଦ୍ଧି ଯୋଗୁଁ ନୁହେଁ। ପ୍ରାକୃତିକ ଜଙ୍ଗଲ କ୍ରମାଗତ ଭାବେ ସଙ୍କୁଚିତ ହେବାରେ ଲାଗିଛି। ଆମେ ଶାଳ ଓ ବରଗଛ ଭଳି ଜଙ୍ଗଲ ଧ୍ୱଂସ କରି ଚାକୁଣ୍ଡା, ଶିରିସ ଓ ପୋକଶୁଙ୍ଘା ଭଳି ଗଛ ଲଗାଇ ବନୀକରଣ କରୁଛେ। ଜଙ୍ଗଲ ହାନି, ଜଙ୍ଗଲର ଅବକ୍ଷୟ, ଆର୍ଦ୍ରଭୂମି ସଙ୍ଗେ ସଙ୍ଗେ ହେନ୍ତାଳ ବନର ପରିମାଣ କମିଯିବା ଫଳରେ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ଗ୍ୟାସର ପରିମାଣ ବୃଦ୍ଧି ପାଇବାରେ ଲାଗିଛି। ଏହିସବୁ ଅବକ୍ଷୟ ଫଳରେ ଜୈବ ବିବିଧତା ହ୍ରାସ ପାଉଛି, ପରିସଂସ୍ଥାନରୁ ମିଳୁଥିବା ଅନେକଗୁଡ଼ିଏ ସେବା ମିଳିପାରୁନାହିଁ ଏବଂ ମଣିଷମାନଙ୍କ ମଧ୍ୟରେ ସଂକ୍ରାମକ ରୋଗର ସଂକ୍ରମଣ ମଧ୍ୟ ବୃଦ୍ଧି ପାଉଛି। ନିଅାଁ ଆଜି ଧରିତ୍ରୀ ମା’କୁ ଜାଳିପୋଡ଼ି ଛାରଖାର କରୁଛି।

ନିରନ୍ତର ଖାଦ୍ୟ ଉତ୍ପାଦନ ଏବଂ ମଧୁରଜଳର ଉପଲବ୍ଧତା କ୍ଷେତ୍ରରେ ଏକ ବଡ଼ ବିପଦ ହେଲା ଭୂମିର ଅବକ୍ଷୟ। ମହାକାଶ ପ୍ରୟୋଗ କେନ୍ଦ୍ରର ଆକଳନ ମୁତାବକ ଭାରତରେ ପ୍ରାୟ ୯କୋଟି ହେକ୍ଟର ଅଞ୍ଚଳ ଭୂମି ଅବକ୍ଷୟ ଏବଂ ମରୁକରଣର ସମ୍ମୁଖୀନ ହେଉଛି। ଏହା ହୁଏତ ଏକ ରକ୍ଷଣଶୀଳ ଆକଳନ ହୋଇପାରେ। ଅଧିକାଂଶ ଭୂମି ଏକ ବା ଏକାଧିକ କାରକ ଦ୍ୱାରା ଅବକ୍ଷୟର ଶିକାର ହେଉଛି ଯେପରିକି ଜଳପ୍ରବାହ ଏବଂ ବାୟୁଜନିତ ମୃତ୍ତିକା ଅବକ୍ଷୟ, ଅଧିକ ମାତ୍ରାର ଜଳସେଚନ, ଲୁଣା ମାଡ଼ିଯିବା, ରସାୟନିକ ସାର ଓ କୀଟନାଶକ ଦ୍ରବ୍ୟ ଜନିତ ପ୍ରଦୂଷଣ, ମାଟି ଉପରର ସ୍ତର କ୍ଷୟ ପାଇବା, ମାତ୍ରାତିରିକ୍ତ ଚାରଣ ଏବଂ ଅଗ୍ନିବିତ୍ପାତ। ଅପ୍ରତିହତ ମରୁକରଣ ଯୋଗୁଁ ଏବେଠାରୁ ଖାଦ୍ୟ ଉତ୍ପାଦନ ପ୍ରତି ବିପଦ ଦେଖାଦେଲାଣି। ଏହା ଉପରେ ପୁଣି ଉତ୍ପାଦିତ ଖାଦ୍ୟଶସ୍ୟର ପ୍ରାୟ ୪୦% ନଷ୍ଟ ହୋଇଯାଏ ବା ଅପହଞ୍ଚ ହୋଇଯାଏ। ଖାଦ୍ୟଶସ୍ୟ ନଷ୍ଟ କ୍ଷେତ୍ରରେ ଆମେ ଏକଥା ବିଚାର କରିବା ଉଚିତ ଯେ, ଖାଦ୍ୟଶସ୍ୟ ଉତ୍ପାଦନ ପାଇଁ କେତେ ଜଳ, ଶକ୍ତି, କୀଟନାଶକ, ରସାୟନିକ ସାର ଇତ୍ୟାଦି ବ୍ୟବହାର କରାଯାଉଛି। ଏହା ସହ ସମ୍ପୃକ୍ତ ସବୁଜ ଗୃହ ବାଷ୍ପ ନିର୍ଗମନ ଏବଂ ମୃତ୍ତିକାର ଉର୍ବରତା ହାନିକୁ ମଧ୍ୟ ବିଚାରକୁ ନିଆଯିବା ଉଚିତ୍‍।

ମଣିଷ ସଭ୍ୟତା ଏବଂ ପ୍ରକୃତି ସମ୍ପ୍ରତି ସମ୍ମୁଖୀନ ହେଉଥିବା ସବୁଠାରୁ ବଡ଼ ବୈଶ୍ୱିକ ଏବଂ ସ୍ଥାନୀୟ ପାରିବେଶିକ ବିପତ୍ତି ହେଉଛି ଜଳବାୟୁ ପରିବର୍ତ୍ତନ। ଜଳବାୟୁ ପରିବର୍ତ୍ତନର ବ୍ୟାପକତା ସମ୍ପର୍କରେ ବିଶେଷ କରି ଉତ୍ତାପଜନିତ ଚାପ, ବନ୍ୟା, ମରୁଡ଼ି, ବାତ୍ୟା ଏବଂ ସମୁଦ୍ର ପତ୍ତନ ବୃଦ୍ଧି ଇତ୍ୟାଦି ବିପଦ ପ୍ରବଣ ସମ୍ପର୍କରେ ଅନେକ ସତର୍କ ସୂଚନା ମିଳିସାରିଛି। ଅଧିକାଂଶ ପାରିବେଶିକ ସମସ୍ୟାର ନିରାକରଣ ସକାଶେ ବୈଷୟିକ ତଥା ନୀତିଗତ ସମାଧାନମାନ ଉପଲବ୍ଧ; ମାତ୍ର ସୀମିତ ରାଜନୈତିକ ଇଚ୍ଛାଶକ୍ତି ଏବଂ ନାଗରିକଙ୍କର ଅଙ୍ଗୀକାରବଦ୍ଧତାର ଘୋର ଅଭାବ ଯୋଗୁଁ ଏସବୁ ଆଦୌ ଫଳପ୍ରଦ ହୋଇପାରୁନାହିଁ। ତେଣୁ ଭବିଷ୍ୟତ ବଂଶଧରମାନେ ପାରିବେଶିକ ଅବକ୍ଷୟର ପୂର୍ଣ୍ଣ ପ୍ରଭାବ ଓ ଆତଙ୍କର ସମ୍ମୁଖୀନ ହେବା ନିଧାର୍ଯ୍ୟ। ଏହା ହିଁ ପୃଥିବୀକୁ ଏକ ବିଖଣ୍ଡିତ ଗ୍ରହ କରିଦେବାକୁ ବସିଲାଣି। ଏହାକୁ ବୁଝିବାର ସମୟ ଆସିଛି।

kalyan agarbati

Comments are closed.