ଈଶ୍ବରଙ୍କ ଦୂତ

ରଞ୍ଜନ କୁମାର ଦାସ

ସେଦିନ ଭୋର ପାଞ୍ଚଟା ସମୟ। ହଠାତ୍‍ ଦୂରଭାଷ ଯନ୍ତ୍ରଟି ବାଜି ଉଠିଲା। ଏତେ ପାହାନ୍ତାରୁ କିଏ କାହିଁକି ଫୋନ୍‌ କଲାବୋଲି ଜାଣିବାକୁ ଉତ୍ସୁକତା ସୃଷ୍ଟି ହେବା ସ୍ୱାଭାବିକ। ଫୋନ୍‌ ଧରିଲା ପରେ ସେପଟୁ ଶୁଭିଲା, ବାପା, ମୋର ବୟସ ୮୮ ବର୍ଷ। ମୁଁ ବାନପ୍ରସ୍ଥରେ ଥିବା ଜଣେ ବ୍ୟକ୍ତି। ମୋର ଅଧିକ ପରିଚୟ ନାହିଁ। ମୁଁ ଜାଣେ ତମେ ସ୍ରଷ୍ଟା। ପ୍ରତ୍ୟେକ ସ୍ରଷ୍ଟା ଜଣେଜଣେ ସକାରାତ୍ମକ ଓ ସୃଜନଶୀଳ ବ୍ୟକ୍ତି। ତମେ ଗଢ଼ିବା ଲୋକ, ତମେ ଭାଙ୍ଗି ପଡ଼ିଲେ କେମିତି ହେବ? ତମେ ହତୋତ୍ସାହ ହୋଇପଡ଼ିଲେ ସମାଜ ବି ହତୋତ୍ସାହ ହୋଇପଡ଼ିବ।

ମୁଁ ଆଶ୍ଚର୍ଯ୍ୟଚକିତ ହେଲି। ଏତେ ସକାଳୁ କିଏ ଏ ଶୁଭଚିନ୍ତକ ମୋର? ସେ କହିଚାଲିଥାନ୍ତି, ମୁଁ ତମକୁ ଦୀର୍ଘ ବର୍ଷ ହେଲା ଲକ୍ଷ୍ୟ କରୁଚି। ତମେ କର୍ମଯୋଗୀ। କାମ କରି ଚାଲିଚ। କାମ କଲେ ତ ଭୁଲ ହେବ। ଭୁଲ ନଥିଲେ ବି ନିନ୍ଦୁକମାନେ ଛିଦ୍ର ଖୋଜିବେ। ଏଥିରେ ବ୍ୟସ୍ତ ହେବାର କ’ଣ ଅଛି, କାମ କରିଚାଲ। ଯେଉଁ ଗଛରେ ଫଳ ଫଳିଥାଏ ସେଇ ଗଛକୁ ହିଁ ଲୋକେ ପଥର ଫିଙ୍ଗିଥାନ୍ତି। ଏଥିରେ ଗଛ କ’ଣ ବିବ୍ରତ ହୁଏ? ମୁଁ ତାଙ୍କୁ ନମ୍ରତାର ସହ ପଚାରିଲି- ମୁଁ ବିବ୍ରତ, ହତୋତ୍ସାହ ବୋଲି ଆପଣ କେମିତି ଅନୁଭବ କଲେ?

ମତେ ଆଶ୍ଚର୍ଯ୍ୟ ଲାଗିଲା ସନ୍ନ୍ୟାସୀ ଭଳି ଲାଗୁଥିବା ଏ ବ୍ୟକ୍ତି ମୋତେ କିଭଳି ଏତେ ଜାଣନ୍ତି? ତାଙ୍କର ସ୍ୱର ମତେ ଈଶ୍ୱରଙ୍କ ସ୍ୱର ଭଳି ଲାଗୁଥିଲା। ମତେ ଲାଗୁଥିଲା କେହି ଜଣେ ଦିବ୍ୟାତ୍ମା ଶୂନ୍ୟବାଣୀ କରୁଛନ୍ତି। ଅଦୃଶ୍ୟ ଜଗତରୁ ମୋ ସହ କଥା ହଉଛନ୍ତି। ମୁଁ ଜାଣିବାକୁ ଚାହୁଁଥିଲି କିଭଳି ତାଙ୍କ ମନରେ ମୋ ସମ୍ପର୍କରେ ଏ ପ୍ରକାର ଧାରଣା ସୃଷ୍ଟି ହେଇଚି? ମୁଁ ତାଙ୍କୁ ଧୀରସ୍ଥିର ଚିତ୍ତରେ ପଚାରିଲି। ସେ କହିଲେ ବେଶ୍‍ କିଛି ଦିନ ତଳେ ତମ ଲେଖା ‘ସୁଧାର ଗାଈର ବାଛୁରୀ ମରେ’ ପଢ଼ିଥିଲି। ତମେ ଲେଖିଥିଲ ‘ଅନେକ ସମୟରେ ଆମର ଭଲପଣିଆ ଆମକୁ ବୋଝ ବୁହାଏ। କଷ୍ଟ ଦିଏ। ଆମ ମଣିଷପଣିଆ ବଦଳରେ ଆମେ ପାଉ ମନକୁ ଆଘାତ ହେଲାଭଳି ବ୍ୟବହାର। ଅତ୍ୟଧିକ ଉତ୍ସର୍ଗ ଓ ତ୍ୟାଗ ଆମକୁ ନିଃସ୍ୱ କରିଦିଏ। ତ୍ୟାଗୀ ଓ ଦାନୀ ଲୋକ ଦେଇ ଦେଇ କାଙ୍ଗାଳ ହେଇଯାଏ। ନମ୍ର ଓ ବିନୟୀ ଲୋକ ଅବହେଳିତ ହୁଏ, ଅତ୍ୟାଚାରିତ ହୁଏ। ଅପର ପକ୍ଷରେ ସ୍ୱାର୍ଥପର ହେଲେ ବୋଝ ବୋହିବାକୁ ପଡ଼େନି। ଅନ୍ୟ ପାଇଁ ଭାବିବା ବନ୍ଦ କରି ଦେଲେ ଆଉ ଆଖିକୁ ଲୁହ ଆସେନା କି ମନକୁ କଷ୍ଟ ଆସେନା। ଉଦ୍ଧତ ଓ ଅହଂକାରୀ ହେଲେ କେହି ଭୟରେ ପାଖ ମାଡ଼ନ୍ତି ନାହିଁ କି ସାହାଯ୍ୟ ମାଗନ୍ତି ନାହିଁ। ଏସବୁ ସତ୍ତ୍ବେ ଭଲ ହେବା, ବିନୟୀ ହେବା ଓ ତ୍ୟାଗ କରିବାର ମହନୀୟତାକୁ କ’ଣ ଉପେକ୍ଷା କରିହେବ? କହିବା ନିଷ୍ପ୍ରୟୋଜନ ଯେ ଏଇଭଳି କେତେଜଣଙ୍କ ପୁଣ୍ୟ ଫଳରେ ହିଁ ଅନ୍ୟମାନେ ଭୋଗୀ ହେଇଥାନ୍ତି ଓ ପୃଥିବୀ ନିରାଶାର ଏକ ମରୁଭୂମି ନହେଇ ବରଂ ସବୁଜ ଶୀତଳ ଏକ ମରୁଦ୍ୟାନ ହେଇ ଆଶାର ସଂଚାର କରିଥାଏ।

ଯେଉଁଦିନ ପୃଥିବୀର ସବୁ ସ୍ତ୍ରୀ ସ୍ୱାର୍ଥପର ଓ ଆତ୍ମକୈନ୍ଦ୍ରିକ ହେଇଯିବେ ସେଦିନ ଆଉ କୋଉଠି ଚୁଲି ଜଳିବ ନାହିଁ, ସମସ୍ତେ ଉପାସ ରହିବେ। ଯେଉଁ ଦିନ ପୃଥିବୀର ସବୁ ଫଳନ୍ତି ଗଛ ଅଭିମାନ କରି ବନ୍ଧ୍ୟା ହେଇଯିବେ ସେଦିନ ଏ ଜୀବଜଗତ ଧ୍ୱଂସ ପାଇଯିବ। ଯେଉଁ ଦିନ ପୃଥିବୀର ସବୁ ଡାକ୍ତର ଦୂରଭାଷ ଯନ୍ତ୍ର ଓ ‘କଲିଂବେଲ୍‍’ ବନ୍ଦ କରି ଶୋଇଯିବେ ସେ ଦିନ କେତେ ଯେ ନିରୀହ ଜୀବନ ଅକାଳରେ ଝରିଯିବେ ସେ କଥା କିଏ କହିବ? ଯେଉଁ ଦିନ ବୀର ଯବାନ କହିବ ଯେ ମୁଁ କାହିଁକି ଏକା ଶୀତକାକର ଖରାରେ, ଗୁଳିମାଡ଼ର ଭୟ ଭିତରେ ସୀମାନ୍ତକୁ ଜଗିଜଗି ପଡ଼ିରହିଥିବି ସେଦିନ ତ ଦେଶ ହିଁ ରହିବ ନାହିଁ। ଯେଉଁ ଦିନ କୃଷକ କହିବ ମୋର କ’ଣ ଦରକାର ମାଟି କାଦୁଅରେ କଲବଲ ହେବା ସେଦିନ ତ ସଂସାରର ସବୁ ସମ୍ଭାବନା ଶେଷ। ଏମିତି କିଛି ଲୋକଙ୍କ ତ୍ୟାଗ ଓ ବଳିଦାନ ଯୋଗୁ ତ ସଂସାର ବଞ୍ଚିଛି!’

prayash

ସେ ଅଦୃଶ୍ୟ ବ୍ୟକ୍ତି ଜଣକ ପୁଣି କହି ଚାଲିଲେ, ଦିନେ ଏଭଳି ଚିନ୍ତାଧାରା ରଖୁଥିବା ବ୍ୟକ୍ତି ଆଜି ହତୋତ୍ସାହ ହେଇପଡୁଚି ଦେଖିଲେ ମତେ ବିବ୍ରତ ଲାଗୁଚି। ତମେ ଏବେ ନିକଟରେ ଦୈନିକ ‘ସମାଜ’ରେ ‘ମୋ ଭିତରର ମୁଁ’ ଲେଖାରେ ଲେଖିଚ, ‘ଇଚ୍ଛାହୁଏ କେବେ ଦିନେ ରାତି ଅଧରେ ଏ ବାହ୍ୟ ଆବରଣଟିକୁ ଭାଙ୍ଗି ଦେଇ କାହାକୁ କିଛି ନକହି ଠିକ୍‍ ରାଜପୁତ୍ର ଗୌତମଙ୍କ ପରି ଅନ୍ତର୍ଦ୍ଧାନ ହେଇ ଯିବାକୁ। ଯେଉଁ ବିଶ୍ରମ୍ଭଣ ରାଜପ୍ରାସାଦ ଗୌତମଙ୍କୁ ଗୌତମ ହୋଇ ରହିବାକୁ ଦିଏନି ସେ ରାଜପ୍ରାସାଦ ଆଉ କି ବା ଖୁସି ଦେଇପାରେ? ଏଭଳି ଏକ ଜୀବନ, ଜୀବିକା ଓ ଜିଜୀବିଷାକୁ ନେଇ ବଞ୍ଚିବା ବୋଧହୁଏ ଏ ଜୀବନର ସର୍ବଶ୍ରେଷ୍ଠ ନିର୍ବୋଧତା।’ ମୁଁ ତାଙ୍କୁ କହିଲି- ହଁ, ନିର୍ବୋଧତା ନୁହେଁ ତ ଆଉ କ’ଣ?

ସେ ପୁଣି କହିଲେ- ବାପା, ଏ ସଂସାର ଖୁବ୍‍ ସୁନ୍ଦର। ଭଗବାନ ତାକୁ ତୁମରିମାନଙ୍କ ହାତରେ ରଚିଛନ୍ତି। ତମେ ଯଦି ବିବ୍ରତ ହେଇଯିବ ତୁମ ହାତ ଯଦି ଚହଲିଯିବ, କାନଭାସର ଚିତ୍ର ସବୁ ବିକୃତ ହେଇଯିବ। ତମ ନିଶ୍ୱାସ ଯଦି ଦୋହଲି ଯିବ, ତମେ ବଜଉଥିବା ବଂଶୀର ସ୍ୱର ବେସୁରା ଲାଗିବ। ତେଣୁ ଏ ସଂସାର ଛାଡ଼ି ଚାଲିଯିବା ଭଳି କଥା ତମ ମୁହଁକୁ ସାଜୁନାହିଁ। ତମ ହାତରେ ଅନେକ କିଛି ହେଇ ପାରିବ। ଧୈର୍ଯ୍ୟ ଧର। ତମ ପକ୍ଷ ପଛେ କ୍ଲାନ୍ତ ହେଇଯାଉ, ତମେ ପ୍ରଜାପତି ହେଇ ନ ଉଡ଼ିଲେ ଉଦ୍ଭିଦରେ ପରାଗ ସଙ୍ଗମ ହେବନାହିଁ। ତମେ ନଦୀ ହେଇ ନ ବହିଲେ କୂଳ ଶୀତଳ ହେବ ନାହିଁ, ସେ ନଦୀ ପଛେ ତମ ଲୁହର ନଈ ହଉ। ତମ ଆଖିର ନୀଳ, ତମ ଲହୁର ଲାଲିମା, ତମ ଆଶାର ଉଜ୍ଜ୍ୱଳତା, ତମ ସମ୍ଭାବନାର ସବୁଜିମା ଏସବୁକୁ ଆଣି ତୂଳୀରେ ତୋଳି ନ ଧରିଲେ ଏ ସଂସାରର ଚିତ୍ରପଟ ଇନ୍ଦ୍ରଧନୁମୟ ହେବ ନାହିଁ। ତମେ ଜହ୍ନରାତିରୁ ଶୀତଳତା, ଅରଣ୍ୟରୁ ଅମ୍ଳଜାନ ଆଣି ନ ପରଷିଲେ ମଣିଷର ଜୀବନ ଆହୁରି କ୍ଲିଷ୍ଟ, ଆହୁରି ରିକ୍ତ ହେଇଯିବ। ତମେ ଅଭିମାନ କରି ନୀରବ ହେଇଗଲେ ସାନ୍ତ୍ୱନାର ଶେଷ ଶବ୍ଦସବୁ ମଣିଷକୁ କିଏ ଶୁଣେଇବ? ତମେ ଈଶ୍ୱରଙ୍କ ଦୂତ। ଈଶ୍ୱର କ’ଣ ସବୁଆଡ଼େ ନିଜେ ଯାଆନ୍ତି?

ସେ ତାଙ୍କ ଲୋକଙ୍କୁ ଚାରିଆଡ଼େ ପଠାନ୍ତି କିଛି କିଛି ଦାୟିତ୍ୱ ଦେଇ। ସେ ଦାୟିତ୍ୱ ତ ତମକୁ ନିର୍ବାହ କରିବାକୁ ପଡ଼ିବ। ମୁଁ ତମକୁ ଆଶୀର୍ବାଦ କରୁଚି। ତମେ ସଫଳ ହୁଅ। ଯେଉଁ ଭଳି ଭାବେ ସେ ମତେ ଅତି ଆପଣାର ଭଳି ତମେ ବୋଲି କହି ସମ୍ବୋଧନ କରି କହୁଥିଲେ, ମୁଁ ଅଭିଭୂତ ହେଇ ପଡୁଥିଲି; କାରଣ ଏବେ ମୋ ନାଁ ଧରି ଡାକିବା, ତମେ ବା ତୁ ବୋଲି କହି ଡାକିବା ଲୋକଙ୍କ ସଂଖ୍ୟା କମି କମି ଗଲାଣି। ମୁଁ ବୁଝି ପାରୁନଥିଲି ଚିହ୍ନା ପରିଚୟ ନଥାଇ କେଉଁ ଅଜଣା ଅଧିକାରରେ ସେ ମତେ ଏଭଳି ବିସ୍ମୟକର ଭାବେ ସମ୍ବୋଧିତ କରୁଥିଲେ।

ଆଦ୍ୟ ପ୍ରଭାତର ତନ୍ଦ୍ରା ସବୁ ମନରୁ ହଟିହଟି ଯାଉଥିଲା। ମତେ ଲାଗୁଥିଲା ଗୋଟେ କ୍ଲାନ୍ତ, ଅବସନ୍ନ ଅଥଚ ସ୍ୱପ୍ନାଚ୍ଛନ୍ନ ମନକୁ ଈଶ୍ୱର ନିଜେ ହିଁ ସମ୍ବୋଧିତ କରୁଥିଲେ କିଛି ସମୟ ଧରି। କିଛି ସମୟ ତଟସ୍ଥ ହେଇ ବସିଲା ପରେ ପୁଣି ଥରେ ସେ ନମ୍ବରକୁ ଫୋନ କଲି। ଆଉ ସେ ନମ୍ବର ଲାଗିଲା ନାହିଁ। ସେ ପଟୁ ଭାସି ଆସୁଥିଲା ଟେଲିଫୋନ ସଂସ୍ଥାର ରେକର୍ଡିଂ ହେଇଥିବା ‘ଭଏସ୍‌ ମେସେଜ’- ଏହି ନମ୍ବର କାହାକୁ ଦିଆଯାଇ ନାହିଁ। ‘ଟ୍ରୁ କଲର୍‌’ରେ ଖୋଜିଲି, ହେଲେ କିଛି ମିଳିଲା ନାହିଁ। ଈଶ୍ୱରଙ୍କ ଭଳି ଈଶ୍ୱରଙ୍କ ଦୂତ ମଧ୍ୟ ମୋ ପାଇଁ ଅପହଞ୍ଚ ଥିଲେ। ଖାଲି ଯାହା ତାଙ୍କ ବାର୍ତ୍ତା ମୋ ପାଖରେ ପହଞ୍ଚିଥିଲା। ନବ ଉନ୍ମେଷର ଉଷ୍ମ ଆଲିଙ୍ଗନରେ ଅଙ୍କୁରୋଦ୍‍ଗମ ହେଉଥିଲା ଏକ ନୂତନ ଉତ୍ସାହର।

kalyan agarbati

Comments are closed.