ଦେଶରେ କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଇବା ସତ୍ବେ ଚଳିତ ବର୍ଷ ଆଇପିଏଲ ଟୁର୍ନାମେଣ୍ଟ ଆରମ୍ଭ ହୋଇଥିଲା। ତେବେ ଖେଳାଳିମାନେ ଯେତେବେଳେ ଏହି ମହାମାରୀରେ ସଂକ୍ରମିତ ହେଲେ ସେତେବେଳେ ଆଇପିଏଲକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଗଲା। ତେବେ ଆଗକୁ ଅବଶିଷ୍ଟ ମ୍ୟାଚ ହେବ କି ନାହିଁ ସେ ନେଇ କ୍ରିକେଟ ପ୍ରଶଂସକଙ୍କ ମଧ୍ୟରେ ନାନା ପ୍ରଶ୍ନବାଚୀ ସୃଷ୍ଟି ହେଉଥିବାବେଳେ ଏ ନେଇ ମୁହଁ ଖୋଲିଛନ୍ତି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି। ଭାରତରେ ଅବଶିଷ୍ଟ ମ୍ୟାଚ ହେବା ସମ୍ଭାବନା ନାହିଁ ବୋଲି ଗାଙ୍ଗୁଲି କହିଛନ୍ତି।
ନିକଟରେ ଏକ ସାକ୍ଷାତକାର ସମୟରେ ଗାଙ୍ଗୁଲି କହିଛନ୍ତି, ଆଇପିଏଲକୁ ପୂର୍ବରୁ ରଦ୍ଦ କରିଦେବା ଦରକାର ଥିଲା। ସବୁବେଳେ ପରିସ୍ଥିତି ସମାନ ନ ଥାଏ। ବିଭିନ୍ନ ପ୍ରକାର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥାଏ। କିନ୍ତୁ କିଛି ଘଟଣା ଘଟିବା ପରେ ବୁଦ୍ଧିମାନ ହେବା ସବୁବେଳେ ସହଯୋଗ କରି ନ ଥାଏ। ଯଦି ଖେଳାଳିମାନେ ସଂକ୍ରମିତ ହୋଇ ନ ଥାନ୍ତେ, ତେବେ ଆମେ ଆଇପିଏଲ ଜାରି ରଖିଥାନ୍ତେ ଏବଂ ସମାପ୍ତ କରିଥାନ୍ତେ। ସମସ୍ତ ଖେଳାଳି ଜୈବ-ନିରାପତ୍ତା ବଳୟରେ ରହୁଥିଲେ ଏବଂ ହୋଟେଲରେ ଅଧିକ ଭିଡ଼ ହେଉ ନ ଥିଲା। ବିଶ୍ଵର ଅନ୍ୟାନ୍ୟ ସ୍ଥାନରେ ବି ମ୍ୟାଚ ହେଉଛି। ସେଠାରେ ବି କରୋନା ସଂକମ୍ରିତ ବାହାରୁଛନ୍ତି। କିନ୍ତୁ ମ୍ୟାଚ ଜାରି ରହିଛି।



