ଶ୍ରୀନଗର : ପାକିସ୍ତାନପଟୁ ଅସ୍ତ୍ରବିରତି ଉଲ୍ଲଙ୍ଘନ ସ୍ବରୂପ କାଶ୍ମୀର ସୀମାନ୍ତ ଭାରତୀୟ ଅଞ୍ଚଳକୁ ପ୍ରବଳ ମୋର୍ଟାର ଓ ଗୁଳିଗୋଳା ମାଡ଼ ଜାରି ରହିଛି। ଭାରତୀୟ ସେନାକୁ ଉସୁକାଇବା ଲକ୍ଷ୍ୟରେ ପ୍ରାୟ ସପ୍ତାହେ ହେଲା ପାକିସ୍ତାନୀ ସେନା ଏଭଳି ଆକ୍ରମଣ ଜାରି ରଖିଥିବାବେଳେ ଗୁରୁବାର ସକାଳ ପ୍ରାୟ ୮ଟା ୪୫ରୁ କ୍ରମାଗତ ଗୁଳିଗୋଳା ମାଡ଼ କରିଚାଲିଥିଲେ। ଶୁକ୍ରବାର ସକାେଳ ରାେଜୗରୀ ଜିଲାର ସୁନ୍ଦରବଣୀ ସେକ୍ଟରରେ ପ୍ରବଳ ମୋର୍ଟାର ମାଡ଼ କରିବାରେ ଭାରତୀୟ ଯବାନ ଏହାର କଡ଼ା ଯବାବ ଦେଇଥିଲେ। କିଛି ସମୟ ପରେ ପାକିସ୍ତାନ ସେନା ପରାହତ ହୋଇଥିବା ଜଣାଯାଇଥିଲା।
ଏଭଳି ଘଟଣାକ୍ରମେ ଶୁକ୍ରବାର ପାକିସ୍ତାନୀ ସେନା ଗୁଳିରେ ନିୟନ୍ତ୍ରଣ ରେଖାର ନୌସେରା ସେକ୍ଟରରେ କାର୍ଯ୍ୟରତ ନାଇକ ରାଜୀବ ଥାପ୍ପା ସହିଦ ହୋଇଛନ୍ତି। ପ୍ରତିରକ୍ଷା ବିଭାଗ ମୁଖପାତ୍ର ଲେଫ୍ଟନାଣ୍ଟ କେର୍ଣ୍ଣଲ ଦେବେନ୍ଦ୍ର ଆନନ୍ଦଙ୍କ ସୂଚନାନୁଯାୟୀ, ପାକିସ୍ତାନ ଓ ଭାରତୀୟ ସେନାଙ୍କ ମଧ୍ୟରେ ଶୁକ୍ରବାର ସକାଳେ ଗୁଳିବିନିମୟ ଚାଲିଥିଲାବେଳେ ରାଜୀବ ପ୍ରାଣ ହରାଇଛନ୍ତି। ପଶ୍ଚିମବଙ୍ଗର ଜଳପାଇଗୁଡ଼ି ନିବାସୀ ରାଜୀବଙ୍କ ପତ୍ନୀ ଖୁସ୍ବୁ ମଙ୍ଗର ଥାପ୍ପା ଓ ପରିବାର ଅଛନ୍ତି। ରାଜୀବ ଓ ସାଥୀ ଯବାନଙ୍କ ଗୁଳିରେ ପାକିସ୍ତାନୀ ପୋଷ୍ଟର ବିପୁଳ କ୍ଷତି ହୋଇଥିବା ଆନନ୍ଦ କହିଛନ୍ତି। ଗତ ୧୭ତାରିଖରେ ଭାରତୀୟ ସେନା ପାକିସ୍ତାନର ଦୁଃସାହସକୁ କଡ଼ା ଯବାବ ଦେବା ସହ ଏହାର ବିପୁଳ କ୍ଷତି ଘଟାଇଥିଲେ। ସେଦିନ ଭାରତୀୟ ଯବାନ ସନ୍ଦୀପ ଥାପ୍ପା ପାକ୍ ଗୁଳିରେ ସହିଦ ହୋଇଥିଲେ। ସେହିପରି ୨୦ରେ କୃଷ୍ଣାଘାଟିଠାରେ ନାଇକ ରବିରଞ୍ଜନ କୁମାର ସିଂହ ପାକ୍ ଗୁଳିରେ ନିହତ ହୋଇଥିଲେ।


