ହରଭଙ୍ଗା: ସରକାରଙ୍କ ସମସ୍ତ ଜନହିତକର ଯୋଜନାର ସୁଫଳ କିଭଳି ଲୋକଙ୍କ ନିକଟରେ ସୁବିଧାରେ ପହଞ୍ଚିପାରିବ ବର୍ତ୍ତମାନ ଏହା ଉପରେ ଗୁରତ୍ୱ ଦେବା ସହ ରାଜ୍ୟ ସରକାର ୫ଟି ଭଳି ନୂଆ ନିୟମ କାର୍ଯ୍ୟକାରୀ କରିଛନ୍ତି। ମାତ୍ର ବୌଦ୍ଧ ଜିଲାରେ ସାମାଜିକ ସୁରକ୍ଷା ନୂଆ ନିୟମକୁ ବେଖାତିର କରାଯାଇଥିବା ଭଳି ଅଭାବନୀୟ ଘଟଣା ସରକାରଙ୍କ ୫ଟି ନିୟମ ଉପରେ ପ୍ରଶ୍ନଚିହ୍ନ ଲଗାଇଛି। ଫଳରେ ଗତ ଜାନୁୟାରୀ ୨୦୨୦ରୁ ସାମାଜିକ ସୁରକ୍ଷାରେ ଅର୍ନ୍ତଭୁକ୍ତ ସମସ୍ତ ହିତାଧିକାରୀଙ୍କୁ ସେମାନଙ୍କ ଭତ୍ତା ଟଙ୍କା ବ୍ୟାଙ୍କ ଜମାଖାତାରେ ସିଧାସଳଖ ପ୍ରଦାନ ପାଇଁ କଡା ନିର୍ଦେଶ ସତ୍ତ୍ବେ ଜିଲାରେ ଏହି ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ କରାଯିବା ବାସ୍ତବରେ ଦୁର୍ନୀତିକୁ ପ୍ରୋତ୍ସହନ ଯୋଗାଉଛି।
ପ୍ରକାଶ ଯେ ଗତ ନଭେମ୍ବର ୨୦୧୯ରେ ରାଜ୍ୟ ସରକାର ସାମାଜିକ ସୁରକ୍ଷା ଉପରେ ନୂଆ ନିୟମ କାର୍ଯ୍ୟକାରୀ କରିବା ପାଇଁ ବିଭାଗୀୟ ସଚିବ କଡା ନିର୍ଦେଶ ଦେଇଥିଲେ। ନୂଆ ନିୟମ ଅନୁସାରେ ମଧୁବାବୁ ପେନସନ, ଜାତୀୟସ୍ତର ଭତ୍ତା ପାଉଥିବା ହିତାଧିକାରୀମାନେ ଭତ୍ତା ଟଙ୍କା ସେମାନଙ୍କ ବ୍ୟାଙ୍କ ଜମାଖାତାକୁ ସିଧାସଳଖ ପ୍ରେରଣ କରାଯିବା ପାଇଁ ନିର୍ଦେଶ ରହିଥିଲା। ପ୍ରଥମେ ଏହି ନିୟମକୁ ୧୫ ଡିସେମ୍ବର ୨୦୧୯ ସୁଦ୍ଧା ମୁନସିପାଲଟି, ଏନଏସି ଏବଂ ବ୍ଲକ ହେର୍ଡକ୍ୱାର୍ଟର ପଞ୍ଚାୟତଗୁଡିକରେ ଲାଗୁକରାଯିବା ପାଇଁ ନିର୍ଦେଶ ରହିଥିଲା। ପରବର୍ତ୍ତୀ ସମୟରେ ଅର୍ଥାତ୍ ଜାନୁୟାରୀ ୨୦୨୦ରୁ ସମସ୍ତ ହିତାଧିକାରୀଙ୍କ ଭତ୍ତା ଟଙ୍କା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଜମାଖାତାକୁ ପଠାଇବା ପାଇଁ ସାମାଜିକ ସୁରକ୍ଷା ସଚିବ କଡା ନିର୍ଦେଶ ଦେଇଥିଲେ। ଏଥିପାଇଁ ପ୍ରକିୟା ମଧ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସଚିବଙ୍କ ନିର୍ଦେଶକୁ ଦେଢବର୍ଷ ପୂରିଥିବା ବେଳେ ବୌଦ୍ଧ ଜିଲାରେ ଏହି ନିୟମ କାର୍ଯ୍ୟକାରୀ କରାନଯିବା ବାସ୍ତବରେ ଦୁର୍ନୀତିଗ୍ରସ୍ତଙ୍କ ପାଇଁ ସୁଯୋଗ ସୃଷ୍ଟି କରାଯାଉଥିବା କୁହାଯାଉଛି। ଯାହାଫଳରେ ପୂର୍ବପରି ଭତା ଟଙ୍କା ବଣ୍ଟନ କାର୍ଯ୍ୟ ଚାଲିଥିବାରୁ କେଉଁଠି ଭତ୍ତା ଟଙ୍କା ଚୋରି ଘଟଣା ନଜରକୁ ଆସିଲାଣି ତ ଆଉ କେଉଁଠି ମୃତବ୍ୟକ୍ତିଙ୍କ ଭତ୍ତା ଟଙ୍କା ହଡପ ଭଳି ସାଂଘାତିକ ଅଭିଯୋଗର ପୁନରାବୃତି ଘଟୁଛି। ଏଥିପ୍ରତି ସାମାଜିକ ସୁରକ୍ଷା ସଚିବ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ଜିଲାରେ ଏହି ନିୟମକୁ କଡାକଡି ପାଳନ ପାଇଁ ବୁଦ୍ଧିଜୀବି ମହଲରୁ ଦାବିଉଠୁଛି।
ସୂଚନା ଅନୁସାରେ ସାମାଜିକ ସୁରକ୍ଷା ଯୋଜନାରେ ହରଭଙ୍ଗା ବ୍ଲକର ୧୬ହଜାର ୪୬୧ଜଣ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଉଛି। ସେଥିରୁ ମଧୁବାବୁ ପେନସନ ଯୋଜନାରେ ୧୦ହଜାର ୪୪୭ଜଣ, ଇନ୍ଦିରାଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ଭତ୍ତାରେ ୩ହଜାର୯୬୧ଜଣ, ଇନ୍ଦିରା ଗାନ୍ଧି ଜାତୀୟ ବିଧବା ଭତ୍ତାରେ ୧୬୫୦ଜଣ, ଇନ୍ଦିରାଗାନ୍ଧି ଜାତୀୟ ବିକଳାଙ୍ଗ ଭତ୍ତାରେ ୨୯୩ଜଣ ଏବଂ ଇନ୍ଦିରା ଗାନ୍ଧି ଜାତୀୟ ବାର୍ଦ୍ଧକ୍ୟ ଭତ୍ତାରେ (୮୦ବର୍ଷୀୟ ବରିଷ୍ଠ ନାଗରିକ) ୧୧୦ଜଣ ହିତାଧିକାରୀ ଉପକୃତ ହେଉଛନ୍ତି। ଏ ସମ୍ପର୍କରେ ବୌଦ୍ଧ ଉପଜିଲାପାଳ ଅଶ୍ୱିନୀ ମେହେର ତୁରନ୍ତ ଏହି ନିୟମ କାର୍ଯ୍ୟକାରୀ ଦିଗରେ ଦୃଷ୍ଟି ଦିଆଯିବ ବୋଲି ପ୍ରକାଶ କରିଥିଲେ।



