ୱାଶିଂଟନ୍: କରୋନା ବିପତ୍ତିରୁ ବିଶ୍ବକୁ ରକ୍ଷା କରିବାକୁ ହେଲେ ସାମାଜିକ ବ୍ୟବଧାନ ଅତ୍ୟନ୍ତ ଜରୁରୀ । କେବଳ ବର୍ତ୍ତମାନ ପାଇଁ ନୁହେଁ ୨୦୨୨ ମସିହା ପର୍ଯ୍ୟନ୍ତ ଏହାର କଠୋର ଅନୁପାଳନ ଆବଶ୍ୟକ । ଷ୍ଟିଫେନ୍ କିସଲରଙ୍କ ନେତୃତ୍ବାଧୀନ ହାଭାର୍ଡ଼ ବିଶ୍ବବିଦ୍ୟାଳୟର ଗବେଷକମାନେ ଏପରି ମତ ଦେଇଛନ୍ତି । ସଂକ୍ରମଣ ସମୟ, ଲୋକଙ୍କ ରୋଗପ୍ରତିରୋଧ କ୍ଷମତା ଓ ଦୁଇ ଭୂତାଣୁ ସଂଯୋଗରେ ସୃଷ୍ଟ ବିପତ୍ତିକୁ ନେଇ ଗବେଷକମାନେ ଏପରି ସତର୍କବାଣୀ ଶୁଣାଇଛନ୍ତି ।
‘ପ୍ରୋଜେକ୍ଟିଂ ଦ ଟ୍ରାନ୍ସମିଶନ ଡ଼ାଇନାମିକ୍ ଅଫ୍ ସାର୍ସ-ସିଓଭି-୨ ଥ୍ରୋ ଦି ପୋଷ୍ଟ ପାନଡ଼େମିକ ପରିଅଡ଼’ ଶୀର୍ଷକରେ ପ୍ରକାଶିତ ଏହି ରିପୋର୍ଟରେ କରୋନା ସଂକ୍ରମଣ ରୋକିବା ଏବଂ ଏହାର ମୂଳୋତ୍ପାଟନ କରିବା ନିମନ୍ତେ ସାମାଜିକ ବ୍ୟବଧାନ ଉପରେ ସର୍ବାଧିକ ଗୁରୁତ୍ବ ଦେଇଛନ୍ତି ।
ସାରା ବିଶ୍ବରେ କରୋନା ଭୂତାଣୁ ଦ୍ବାରା ପାଖାପାଖି ୨୦ ଲକ୍ଷ ଲୋକ ଆକ୍ରାନ୍ତ ହେଲେଣି ଓ କେବଳ ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ବରେ ୭୦ ହଜାର ଲୋକ ସଂକ୍ରମିତ ହୋଇଥିବା ମଙ୍ଗଳବାର ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ରିପୋର୍ଟ ଦେଇଛି । ଏହାମଧ୍ୟରୁ ସର୍ବାଧିକ ସଂକ୍ରମିତ ୟୁରୋପ (୯.୫ଲକ୍ଷ) ଓ ଦ୍ବିତୀୟ ସର୍ବାଧିକ ଆମେରିକୀୟ ଦେଶ ସମୂହ (୬.୫ ଲକ୍ଷ)ରୁ ଆସିଛନ୍ତି । ତେଣୁ ଏବେଠାରୁ ସାରା ବିଶ୍ବ ଏଥିପ୍ରତି ଯତ୍ନଶୀଳ ହେବା ଆବଶ୍ୟକ ବୋଲି ରିପୋର୍ଟରେ କୁହାଯାଇଛି ।



