ଭୁବନେଶ୍ବର : ଦୋକାନୀଙ୍କୁ ସୁବ୍ୟବସ୍ଥିତ କରିବା ପାଇଁ ଭୁବନେଶ୍ବର ସ୍ମାର୍ଟସିଟି ଲିଃ(ବିଏସ୍ସିଏଲ୍) ରାସ୍ତାପାର୍ଶ୍ବ ଦୋକାନୀ ବିକାଶ ପ୍ରକଳ୍ପ ହାତକୁ ନେଇଛି। ଏହି ପ୍ରକଳ୍ପରେ ସହର ବିକାଶ ନିମନ୍ତେ ବିଭିନ୍ନ ସ୍ଥାନରୁ ଉଚ୍ଛେଦ ହେଉଥିବା ଦୋକାନୀଙ୍କୁ ସ୍ମାର୍ଟ କିଓସ୍କୋ ମିଳିବା ବ୍ୟବସ୍ଥା ହୋଇଛି। ଏହାଦ୍ବାର ସହରର େସୗନ୍ଦର୍ଯ୍ୟ ବୃଦ୍ଧି ସହିତ ରାସ୍ତା ପାର୍ଶ୍ବ ବ୍ୟବସାୟୀଙ୍କୁ ଥଇଥାନ କରାଯିବ। କେହି ଯେପରି ବ୍ୟବସାୟ ନ ହରାନ୍ତି, ସେଥିପ୍ରତି ଗୁରୁତ୍ବ ଦିଆଯିବ। ହେଲେ ଏହି ପ୍ରକଳ୍ପ ଲକ୍ଷ୍ୟଠାରୁ ଦୂେରଇ ଯାଉଛି। ଉଚ୍ଛେଦ ହୋଇଥିବା ରାସ୍ତା ପାର୍ଶ୍ବ ବ୍ୟବସାୟୀଙ୍କୁ ଥଇଥାନ ବଦଳରେ ପ୍ରଶାସନ ସେମାନଙ୍କୁ ଯାତନା ଦେଉଥିବା ବ୍ୟବସାୟୀ ଅଭିଯୋଗ କରିଛନ୍ତି। ସ୍ମାର୍ଟସିଟିର ଏହି ପ୍ରକଳ୍ପ ପ୍ରହସନରେ ପରିଣତ ହୋଇଛି। ବିଏସ୍ସିଏଲ୍ ଉକ୍ତ ପ୍ରକଳ୍ପର କାର୍ଯ୍ୟକାରୀ ଦାୟିତ୍ବ ବିଏମ୍ସିକୁ ଦେଇଛି। ବ୍ୟବସାୟୀଙ୍କ ସର୍ଭେ କରି ସେମାନଙ୍କ ଦସ୍ତାବିଜ୍ ସଂଗ୍ରହ, ଉଚ୍ଛେଦ ପରେ ବ୍ୟବସାୟୀଙ୍କୁ ସ୍ମାର୍ଟ କିଓସ୍କୋ ପ୍ରଦାନ, ଟିକସ ଆଦାୟ ଆଦି କାର୍ଯ୍ୟ ବିଏମ୍ସି କରୁଛି। ଏହି ପ୍ରକଳ୍ପରେ ପ୍ରଥମେ ବାଣୀବିହାରରୁ ଶିଶୁ ଭବନ ଛକ ଯାଏ ରାସ୍ତାର ଉଭୟ ପାର୍ଶ୍ବରେ ଉଚ୍ଛେଦ ହୋଇଥିବା ଦୋକାନୀଙ୍କୁ ସାମିଲ କରିବାକୁ ବିଏମ୍ସି ପଦକ୍ଷେପ ନେଇଛି।
ବାଣୀବିହାରରୁ ଶିଶୁ ଭବନ ଛକ ଯାଏ ରାସ୍ତାର ସ୍ମାର୍ଟ ଜନପଥ ପ୍ରକଳ୍ପ ଚାଲୁଥିବାରୁ ରମାଦେବୀ ବିଶ୍ବବିଦ୍ୟାଳୟ, ରୁପାଲି ଛକ, ସତ୍ୟନଗର ଶ୍ମଶାନ ସମ୍ମୁଖ, ବିଗ୍ ବଜାର ଛକ ସମ୍ମୁଖ, ରାମ ମନ୍ଦିର ଛକ, ଶ୍ରୀୟାଛକଠାରୁ ମାଷ୍ଟର କ୍ୟାଣ୍ଟିନ ଏବଂ ଏଠାରୁ ଶିଶୁ ଭବନ ଛକ ଯାଏ ରାସ୍ତାର ଉଭୟ ପାର୍ଶ୍ବରେ ବସିଥିବା ଭେଣ୍ଡରଙ୍କୁ ଉଚ୍ଛେଦ କରାଯାଇଛି। ହେଲେ ଉଚ୍ଛେଦ ବ୍ୟବସାୟୀଙ୍କୁ ସ୍ମାର୍ଟ କିଓସ୍କୋ ମିଳିନାହିଁ। ରାମ ମନ୍ଦିର ନିକଟ ଭେଣ୍ଡିଂ ଜୋନ୍ରେ ୭୮ ଦୋକାନୀ ରହିଛି। ସେମାନଙ୍କ ମଧ୍ୟରୁ ୨୯ ଦୋକାନୀଙ୍କୁ ସ୍ମାର୍ଟ କିଓସ୍କୋ ମିଳିଛି। ଅନ୍ୟମାନେ କେବେ ପାଇବେ ସେ ନେଇ ସନ୍ଦେହରେ ଅଛନ୍ତିି।
ସେହିପରି ଶ୍ରୀୟା ଛକର ୩୨ ଦୋକାନ ଥିବାବେଳେ ୩୦ଟି ଦୋକାନ ଉଚ୍ଛେଦ ହୋଇଛି। ଜଣଙ୍କ ନିକଟରେ କୋର୍ଟଙ୍କ ରହିତାଦେଶ ଥିବାରୁ ତାହା ଉଚ୍ଛେଦ ହୋଇପାରି ନାହିଁ। ଉଚ୍ଛେଦ ହୋଇଥିବା ଦୋକାନୀଙ୍କୁ ସ୍ମାର୍ଟ କିଓସ୍କୋ ମିଳି ନାହିଁ। ଭଡ଼ାରେ ଲଗାଇ ଥିବା ଦୋକାନୀ ମାଲିକଙ୍କୁ ଦୋକାନ ମିଳିଥିବାବେଳେ ପ୍ରକୃତ ବ୍ୟବସାୟୀ ବ୍ୟବସାୟ ହରାଇ ପରିବାର ଚଳାଇବା ଚିନ୍ତାରେ ପଡ଼ିଛନ୍ତି। ଏହାସହିତ ଅଶୋକ ନଗର ରାସ୍ତା ପାର୍ଶ୍ବ, ରମାଦେବୀ ବିଶ୍ବବିଦ୍ୟାଳୟ, ରୁପାଲି ଛକ, ସତ୍ୟନଗର ଶ୍ମଶାନ ଅଞ୍ଚଳ ଆଦିରେ ଉଚ୍ଛେଦ ବ୍ୟବସାୟୀଙ୍କର ମଧ୍ୟ ସମାନ ଅବସ୍ଥା। ସମସ୍ତ ଦୋକାନ ହଟିଥିବାବେଳେ ସେମାନଙ୍କୁ ସ୍ମାର୍ଟ କିଓସ୍କୋ ମିଳି ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ପ୍ରକଳ୍ପର ନିୟମାବଳୀ ଉଲ୍ଲଘଂନ କରାଯାଇ ବ୍ୟବସାୟୀଙ୍କୁ ଥଇଥାନରେ ସମସ୍ୟାରେ ପକାଯାଉଛି। ଏହାସହିତ ଭେଣ୍ଡର୍ସ ଲାଇଭ୍ଲିହୁଡ୍ ଆକ୍ଟ ଅନୁପାଳନ ହେଉ ନ ଥିବା ବିଭିନ୍ନ ବ୍ୟବସାୟୀ ସଂଘ ଅଭିଯୋଗ କରିଛି।
ପ୍ରକଳ୍ପ ସମ୍ପର୍କରେ : ଭୁବନେଶ୍ବର ସ୍ମାର୍ଟସିଟିର ଷ୍ଟ୍ରିଟ୍ ଭେଣ୍ଡର୍ସ ଇମ୍ପ୍ରୁଭମେଣ୍ଟ ପ୍ରୋଜେକ୍ଟ(ଡିଭିଆଇପି)ରେ ରାସ୍ତା ପାର୍ଶ୍ବ ଦୋକାନୀଙ୍କୁ ସ୍ମାର୍ଟ କିଓସ୍କୋ ମିଳିବ। ଦିଲ୍ଲୀ , ମୁମ୍ବଇ ଆଦି ମେଟ୍ରୋ ସହର ପରି ଏଠି ବ୍ୟବସାୟୀଙ୍କୁ ବ୍ୟବସ୍ଥିତ କରାଯିବ। ପୂର୍ବରୁ ବିଏମ୍ସି ପ୍ରୟାସ ଯୋଜନାରେ ସହରର ବିଭିନ୍ନ ସ୍ଥାନରେ ଭେଣ୍ଡିଂ ଜୋନ୍ କରି ବ୍ୟବସାୟୀଙ୍କୁ ଥଇଥାନ କରିଥିଲା। ଏବେ ବିକାଶମୂଳକ କାମ ନିମନ୍ତେ ଉଚ୍ଛେଦ ହେଉଥିବା ବ୍ୟବସାୟୀଙ୍କୁ ସ୍ମାର୍ଟ କିଓସ୍କୋ ମିଳିବ। ଏଥିନିମନ୍ତେ ୬.୭୩ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି। ସ୍ମାର୍ଟସିଟିର ବିକଶିତ ଅଞ୍ଚଳ ‘ଭୁବନେଶ୍ବର ଟାଉନ ସେଣ୍ଟର ଡିଷ୍ଟ୍ରିକ୍ଟ(ବିଟିସିଡି)’ରେ ୧୧୮୩ ଷ୍ଟ୍ରିଟ୍ ଭେଣ୍ଡରଙ୍କୁ ଥଇଥାନ କରାଯିବ। ପ୍ରତି ଦୋକାନୀଙ୍କୁ ପାଖାପାଖି ୬/୮ ଫୁଟ୍ରେ ଦୋକାନ ମିଳିବ।



