www.samajalive.in
Monday, December 8, 2025
14.1 C
Bhubaneswar

କେନ୍ଦ୍ରର ଉଦବେଗ: ଓଡିଶାରେ ମନ୍ଥର ‘ଜଳ ଜୀବନ ମିଶନ’

ନୂଆଦିଲ୍ଲୀ : ଓଡିଶାରେ ଜଳ ଜୀବନ ମିଶନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ପତ୍ର ଲେଖିଛନ୍ତି। ଏହି ମିଶନକୁ ତ୍ୱରାନ୍ୱିତ କରିବା ପାଇଁ ଆବଶ୍ୟକ ସମସ୍ତ ସହାୟତା ଯୋଗାଇ ଦେବାକୁ କେନ୍ଦ୍ର ସରକାର ସଂକଳ୍ପବଦ୍ଧ ବୋଲି ଏହି ପତ୍ରରେ ଦର୍ଶାଯାଇଛି। ଗ୍ରାମାଞ୍ଚଳରେ ଜନସାଧାରଙ୍କୁ ନିରାପଦ ପାନୀୟ ଜଳ ଯୋଗାଇଦେବା ସହ ୨୦୨୪ ସୁଦ୍ଧା ପ୍ରତି ଘରକୁ ପାଇପ ଜଳ ସଂଯୋଗ ଦେବା ଏହି ମିଶନର ଲକ୍ଷ୍ୟ ।
ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଲେଖିଥିବା ପତ୍ରରେ କେନ୍ଦ୍ରମନ୍ତ୍ରୀ ରାଜ୍ୟ ଏ ବାବଦରେ କମ ଅର୍ଥ ବିନିଯୋଗ କରିଥିବା ଓ ଲକ୍ଷ୍ୟ ହାସଲରେ ବିଫଳ ହୋଇଥିବା ଦର୍ଶାଇଛନ୍ତି।

୨୦୧୯-୨୦ରେ ୧୫.୬୧ ଲକ୍ଷ ଘରକୁ ପାଇପ୍ ସଂଯୋଗ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲେ ମଧ୍ୟ ମାତ୍ର ୪.୩୭ ଲକ୍ଷ୍ୟ ଅର୍ଥାତ ୨୭.୯୭ ଭାଗ ପରିବାରକୁ ଏହା ଯୋଗାଇ ଦିଆଯାଇଛି। ଏଥିପାଇଁ କମ ଅର୍ଥ ବିନିଯୋଗ ହୋଇଛି। ୨୦୧୯-୨୦ରେ ଓଡ଼ିଶାକୁ ୩୬୪.୭୪ କୋଟି ଟଙ୍କା ଯୋଗାଇ ଦିଆଯାଇଥିବା ବେଳେ ମାତ୍ର ୨୭୫.୦୨ କୋଟି ଟଙ୍କା ଖର୍ଚ୍ଚ ହୋଇପାରିଛି। ରାଜ୍ୟ ସଂପୂର୍ଣ୍ଣ ଅର୍ଥ ବିନିଯୋଗ କରିପାରିନଥିବାରୁ କେନ୍ଦ୍ର ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ପତ୍ରରେ ଏସଂକ୍ରାନ୍ତ ଯୋଜନାକୁ ତ୍ୱରାନ୍ୱିତ କରିବାରେ କି କି ଅସୁବିଧା ରହିଛି ତାହାର ସମୀକ୍ଷା କରିବାକୁ ଅନୁରୋଧ କରିଛନ୍ତି । ଶ୍ରୀ ଶେଖାୱତ ତାଙ୍କ ପତ୍ରରେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରତି ଘରକୁ ଜଳ ଯୋଗାଇଦେବାକୁ ଦେଶରେ ଅଗ୍ରାଧିକାର ଦିଆଯାଉଥିବା ବେଳେ ଏହି ଯୋଜନାକୁ ଆଗକୁ ନେବା ପାଇଁ ୨୦୨୦-୨୧ରେ ଓଡିଶାର ଅନୁଦାନ ୩୬୪.୭୪ କୋଟିରୁ ୮୧୨.୧୫ କୋଟିକୁ ବୃଦ୍ଧି କରାଯାଇଛି । ଖର୍ଚ୍ଚ ହୋଇନଥିବା ବଳକା ୯୦ କୋଟି ଓ ଚଳିତ ଆର୍ଥିକ ବର୍ଷର କେନ୍ଦ୍ରୀୟ ଅନୁଦାନ ୮୧୨ କୋଟି ଓ ରାଜ୍ୟର ଅଂଶକୁ ମିଶାଇଲେ ୨୦୨୦-୨୧ରେ ଜଳ ଜୀବନ ମିଶନ ପାଇଁ ରାଜ୍ୟରେ ୧୮୦୫ କୋଟି ଟଙ୍କା ଉପଲବ୍ଧ ହେବ। ରାଜ୍ୟ ନିଜ ଭାଗ ଅର୍ଥ ବାବଦ ଅଂଶଧନ ଠିକ ସମୟରେ ଦେଇ କାର୍ୟ୍ୟକ୍ରମକୁ ଆଗେଇ ନେଲେ ଗ୍ରାମାଞ୍ଚଳରେ ଶତ ପ୍ରତିଶତ ଜଳ ସଂଯୋଗ ହୋଇପାରିବ ବୋଲି ଶ୍ରୀ ଶେଖାୱତ ତାଙ୍କ ପତ୍ରରେ ଆଶାପୋଷଣ କରିଛନ୍ତି ।

- Advertisement -

ଦ୍ରୁତ କାର୍ୟ୍ୟାନ୍ୱୟନ ଓ ସମୟୋଚିତ ଭାବେ କାର୍ୟ୍ୟ କରି ୨୨,୫୧୬ଟି ଗ୍ରାମକୁ ଜଳ ଯୋଗାଇ ଦେଲେ ଗରିବ ଗ୍ରାମବାସୀ ଖୁବ ଶୀଘ୍ର ଏହି ସଂଯୋଗ ପାଇପାରିବେ । ଏକ ଅଭିଯାନ ଭାବେ ଏହି କାର୍ୟ୍ୟକୁ ଆଗେଇ ନେବାକୁ ସେ ତାଙ୍କ ପତ୍ରରେ ରାଜ୍ୟକୁ ପ୍ରସ୍ତାବ ଦେଇଛନ୍ତି । ଜଳ କଷ୍ଟ ଥିବା ଗ୍ରାମାଞ୍ଚଳ, ଉତ୍ତମ ପାନୀୟ ଜଳ ମିଳୁନଥିବା ଅଞ୍ଚଳ, ଆକାଂକ୍ଷୀ ଜିଲ୍ଲା, ତଫସିଲଭୁକ୍ତ ଜାତି ଓ ଜନଜାତି ଅଧ୍ୟୁଷିତ ଗ୍ରାମ, ସାଂସଦ ଆଦର୍ଶ ଯୋଜନା ଅଧୀନରେ ଆସୁଥିବା ଗ୍ରାମଗୁଡିକୁ ଏଥିରେ ଅଗ୍ରାଧିକାର ଦେବା ପାଇଁ ପରାମର୍ଶ ଦିଆଯାଇଛି । ଯୋଜନା, ପରିଚାଳନା ଓ ଜଳ ସମ୍ପଦର ରକ୍ଷଣାବେକ୍ଷଣ ଇତ୍ୟାଦି ପାଇଁ ସ୍ଥାନୀୟ ଗ୍ରାମ, ଗୋଷ୍ଠୀ, ଗ୍ରାମପଞ୍ଚାୟତଗୁଡିକୁ ଏଥିରେ ସାମିଲ କରାଯିବା ଲାଗି ପତ୍ରରେ ଗୁରୁତ୍ଵାରୋପ କରାଯାଇଛି । ଜଳ ଜୀବନ ମିଶନକୁ ଲୋକାଭିମୁଖୀ କରିବା ପାଇଁ ସବୁ ଗ୍ରାମରେ ଗୋଷ୍ଠୀଗୁଡିକୁ ଏକଜୁଟ କରିବା ସହ ଏସମ୍ପର୍କରେ ଲୋକମାନଙ୍କୁ ଶିକ୍ଷିତ କରାଇବା ଓ ସଚେତନ କରାଇବା ଉପରେ ମଧ୍ୟ ଗୁରୁତ୍ଵାରୋପ କରାଯାଇଛି ।
କେନ୍ଦ୍ର ମନ୍ତ୍ରୀ ବର୍ତ୍ତମାନ ପାନୀୟ ଜଳ ଉତ୍ସଗୁଡିକ କିପରି ଦୀର୍ଘସ୍ଥାୟୀ ହେବ ତା’ଉପରେ ମଧ୍ୟ ଜୋର ଦେଇଛନ୍ତି । ମନରେଗା, ଜିଲ୍ଲା ଖଣିଜ ବିକାଶ ପାଣ୍ଠି, କାମ୍ପା, ସିଏସଆର ଫଣ୍ଡ, ସ୍ଥାନୀୟ ଅଞ୍ଚଳ ବିକାଶ ପାଣ୍ଠିର ଯଥାର୍ଥ ବିନିଯୋଗ ଉପରେ ଗୁରୁତ୍ଵାରୋପ କରିଛନ୍ତି ।
୨୦୨୦-୨୧ ନିମନ୍ତେ ପଞ୍ଚଦଶ ଅର୍ଥ ଆୟୋଗ କାର୍ଯ୍ୟକ୍ରମ ସମ୍ପର୍କିତ ବିନିଯୋଗ ବା ପିଆରଆଇ ବାବଦକୁ ୨,୨୫୮ କୋଟି ଟଙ୍କା ଆବଣ୍ଟିତ କରାଯାଇଥିବା ବେଳେ ଜଳ ଯୋଗାଣ ଓ ପରିମଳ ବାବଦକୁ ଶତକଡା ୫୦ ପ୍ରତିଶତ ଅର୍ଥ ଖର୍ଚ୍ଚ କରିବାକୁ ବାଧ୍ୟତାମୂଳକ କରାଯାଇଛି। ଏହି ଅର୍ଥ ଜଳ ଯୋଗାଣ, ଜଳ ଅମଳ ପ୍ରକଳ୍ପ, ଜଳ ପୂର୍ଣ୍ଣ ପ୍ରକ୍ରିୟାକରଣ ଇତ୍ୟାଦି କାର୍ଯ୍ୟରେ ବିନିଯୋଗ କରାଯିବ ।
କେନ୍ଦ୍ର ମନ୍ତ୍ରୀଙ୍କ ଏହି ପତ୍ର କୋଭିଡ-୧୯ ବୈଶ୍ଵିକ ମହାମାରୀ ସମୟରେ ଖୁବ ଗୁରୁତ୍ୱପୂର୍ଣ୍ଣ ମନେହୁଏ । ବର୍ତ୍ତମାନ ଜନସାଧାରଣ ସାମାଜିକ ଦୂରତ୍ଵ ରକ୍ଷା କରିବା ସହ ଜଳ ଯୋଗାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଆବଶ୍ୟକ। ଜଳ ଉତ୍ସ ନିକଟରେ ଗହଳି ନକରି ଗ୍ରାମାଞ୍ଚଳରେ ଘରକୁ ଘର ପାନୀୟ ଜଳ ଯୋଗାଣ ପାଇଁ ଏହା ହେଉଛି ପ୍ରକୃଷ୍ଟ ସମୟ । ଏହି କାର୍ଯ୍ୟକ୍ରମ ଯୋଗୁଁ ପ୍ରବାସୀ ଶ୍ରମିକମାନେ କର୍ମ ନିଯୁକ୍ତି ପାଇବା ସହ ଏହା ଗ୍ରାମାଞ୍ଚଳ ଅର୍ଥନିତୀକୁ ମଧ୍ୟ ପ୍ରୋତ୍ସାହିତ କରିପାରିବ ।
ଜଳ ଶକ୍ତି ମନ୍ତ୍ରୀ ଶ୍ରୀ ଶେଖାୱତ ତାଙ୍କ ପତ୍ରରେ ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟ ଲାଗି ଶତ ପ୍ରତିଶତ ସହଯୋଗ ଯୋଗାଇବା ସହ ଭବିଷ୍ୟତରେ ଜଳ ଜୀବନ ମିଶନର କାର୍ୟ୍ୟକାରିତା ନେଇ ଖୁବ ଶୀଘ୍ର ଭିଡିଓ କନଫରେନ୍ସ ଯୋଗେ ଆଲୋଚନା କରିବା ନେଇ ପତ୍ରରେ ଉଲ୍ଲେଖ କରିଛନ୍ତି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories