ଏକକ ବାତାୟନରେ ୧୮୭୨କୋଟିର ପୁଞ୍ଜିନିବେଶକୁ ଅନୁମୋଦନ

ଭୁବନେଶ୍ୱର : ରାଜ୍ୟସ୍ତରୀୟ ଏକକ ବାତାୟନ କମିଟି ବୈଠକରେ ୮ଟି ନୂତନ ପୁଞ୍ଜି ନିବେଶ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଏହି ପ୍ରକଳ୍ପ ମାଧ୍ୟମରେ ୧୮୭୨.୧୧ କୋଟି ଟଙ୍କାର ନୂଆ ପୁଞ୍ଜିନିବେଶ ହେବ ଏବଂ ପ୍ରାୟ ୩୪୬୧ ଜଣ ନିଯୁକ୍ତି ସୁଯୋଗ ପାଇବେ।
ଆଭାସି ବ୍ୟବସ୍ଥାରେ ଅନୁଷ୍ଠିତ ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପ୍ରକଳ୍ପଗୁଡ଼ିକୁ ଅନୁମୋଦନ ଦେବା ସହ ସେଗୁଡ଼ିକର ତ୍ୱରିତ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ ଦେଇଛନ୍ତି। ଏଥିପାଇଁ ସମସ୍ତ ସହଯୋଗ ଯୋଗାଇ ଦେବାକୁ ସେ ସମ୍ପୃକ୍ତ ବିଭାଗଗୁଡ଼ିକୁ ନିର୍ଦେଶ ଦେଇଛନ୍ତି। ଏଥିସହ ପୂର୍ବରୁ ଅନୁମୋଦନ ପାଇଥିବା ପ୍ରକଳ୍ପର ନିର୍ମାଣ ଓ ଉତ୍ପାଦନ ଆରମ୍ଭ ଉପରେ ଦୃଷ୍ଟି ଦେବା ପାଇଁ ସେ ଇପିକଲକୁ କହିଛନ୍ତି। ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପାଇଁ ରାଜ୍ୟ ଭିତରୁ କଞ୍ଚାମାଲ ସଂଯୋଜିତ କରିବାକୁ ସେ କୃଷି ବିଭାଗ ଏବଂ ଖାଦ୍ୟ ଯୋଗାଣ ବିଭାଗକୁ ପରାମର୍ଶ ଦେଇଛନ୍ତି।
ପ୍ରସ୍ତାବିତ ଶିଳ୍ପଗୁଡ଼ିକ ପାଇଁ ଆବଶ୍ୟକ ପଡୁଥିବା ଜମି ଓ ଜଳର ସଠିକ ଆକଳନ କରିବା ଏବଂ ସେମାନଙ୍କୁ ଆବଣ୍ଟିତ ହେଉଥିବା ଜମିର ଶତପ୍ରତିଶତ ବିନିଯୋଗ ଉପରେ ଦୃଷ୍ଟି ରଖିବାକୁ ଉନ୍ନୟନ ଆୟୁକ୍ତ ପ୍ରଦୀପ କୁମାର ଜେନା କହିଛନ୍ତି।
ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ କୁମାର ଶର୍ମା ପ୍ରକଳ୍ପଗୁଡ଼ିକର ବୈଷୟିକ, ଆର୍ଥିକ ଏବଂ ଭିତ୍ତିଭୂମି ସମ୍ପର୍କିତ ବିଷୟ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ। ପ୍ରକଳ୍ପଗୁଡ଼ିକ ଖାଦ୍ୟ ପ୍ରକ୍ରିୟାକରଣ, କୃଷି ଓ ପଶୁପାଳନ ଆଦି କ୍ଷେତ୍ର ଅନ୍ତର୍ଭୁକ୍ତ ଥିବା ସେ ସୂଚନା ଦେଇଥିଲେ।
ଅନୁମୋଦନ ମିଳିଥିବା ପ୍ରକଳ୍ପ ମଧ୍ୟରେ ଶ୍ୟାମ ମେଟାଲିକ୍ସ ଲି.ର ୩୨୮.୭୫ କୋଟି ଟଙ୍କା ବିନିଯୋଗରେ ଫେରୋ ଆଲଏଜ କାରଖାନା ରହିଛି। ଯାଜପୁର ଜିଲାରେ ଏହା ପ୍ରତିଷ୍ଠା କରାଯିବ ଏବଂ ଏଥିରେ ୩୩୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ସେହିପରି ଜିନ୍ଦଲ କୋକେ ଲି. ୪୭୦ କୋଟି ଟଙ୍କା ବିନିଯୋଗ କରି କଳିଙ୍ଗନଗର ସ୍ଥିତ କୋକେ ଏବଂ ପେଟ୍ରୋଲିୟମ ୟୁନିଟର ସଂପ୍ରସାରଣ କରିବ। ଏଥିରେ ୨୭୦ ଲୋକ ନିଯୁକ୍ତି ସୁଯୋଗ ପାଇବେ। ଜି.ଭି ମାଇନ୍ସ ଏବଂ ମେଟାଲ୍ସ ୧୦୪.୪୮ କୋଟି ଟଙ୍କା ବ୍ୟୟରେ କେନ୍ଦୁଝର ଜିଲାରେ ଆଇରନ ଓର ପାଇପ କନଭେ ବ୍ୟବସ୍ଥା କାର୍ଯ୍ୟକାରୀ କରିବ। ଏହି ପ୍ରକଳ୍ପରେ ୨୩୮ଜଣ ନିଯୁକ୍ତି ପାଇପାରିବେ। ଗ୍ରିନ୍‌ଟେକ ବାୟୋ ଏନର୍ଜି ୨୫୦ କୋଟି ଟଙ୍କା ବ୍ୟୟରେ ବରଗଡ଼ ଜିଲାରେ ଏଥାନଲ କାରଖାନା ପ୍ରତିଷ୍ଠା କରିବ। ଏହି କାରଖାନାରେ ୨୦୨ଜଣ ନିଯୁକ୍ତି ସୁଯୋଗ ପାଇବେ। ଭାରତୀୟ ପଟାସ ଲି. କଳାହାଣ୍ଡି ଜିଲାରେ ୨୧୯ କୋଟି ଟଙ୍କା ବ୍ୟୟରେ ଶସ୍ୟଭିତ୍ତିକ ଏଥାନଲ କାରଖାନା ପ୍ରତିଷ୍ଠା କରିବ। ଏଥିରେ ପ୍ରାୟ ୨୩୮ଜଣ ନିଯୁକ୍ତି ପାଇବେ। ସେହିପରି ବାୟୋ ଆଗ୍ରୋ ଏନର୍ଜି ସୁବର୍ଣ୍ଣପୁର ଜିଲାରେ ୨୨୮.୫୫ କୋଟି ଟଙ୍କା ବିନିଯୋଗରେ ଏଥାନଲ କାରଖାନା ପ୍ରତିଷ୍ଠା କରିବ। ଏହି କାରଖାନାରେ ୩୩୭ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ଝାରସୁଗୁଡ଼ା ଜିଲାରେ ଏନର୍ଜି ଇନଟ୍ରୋ ଲି. ୨୦୫ କୋଟି ଟଙ୍କା ବ୍ୟୟରେ ଶସ୍ୟଭିତ୍ତିକ ଏଥାନଲ କାରଖାନା ପ୍ରତିଷ୍ଠା କରିବ। ଏଥିରେ ୧୯୬ଜଣଙ୍କୁ ନିଯୁକ୍ତି ଦିଆଯିବ। ଆବିସ ଏକ୍ସପୋର୍ଟ୍ସ ମୟୂରଭଞ୍ଜ ଜିଲାରେ ୬୬.୩୩ କୋଟି ଟଙ୍କା ବ୍ୟୟରେ ସ୍ୱୟଂକ୍ରିୟ କୁକୁଡ଼ା ଚିଆଁ ଉତ୍ପାଦନ ୟୁନିଟ ଖୋଲିବାକୁ ଦେଇଥିବା ପ୍ରସ୍ତାବକୁ କମିଟି ମଞ୍ଜୁର କରିଛି। ଏହି ୟୁନିଟରେ ପ୍ରାୟ ୧୬୫୦ଜଣ ବ୍ୟକ୍ତିଙ୍କୁ ନିଯୁକ୍ତି ସୁଯୋଗ ମିଳିବ।
ଆଭାସି ବୈଠକରେ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ରାଜସ୍ୱ, ଜଳସମ୍ପଦ ଓ ଶକ୍ତି ବିଭାଗ ପ୍ରମୁଖ ସଚିବଙ୍କ ସହ ବିଭିନ୍ନ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Comments are closed.