କୋଲକାତା: ବଲିଉଡ୍ର ଲୋକପ୍ରିୟ ଗାୟକ କେକେଙ୍କର ପରଲୋକ ହୋଇଛି । କୋଲକାତା ଗୁରୁଦାସ କଲେଜ୍ର ନାଜରୁଲା ମଞ୍ଚରେ ସେ ସଙ୍ଗୀତ ପରିବେଷଣ କରୁଥିବା ବେଳେ ହଠାତ ଅସୁସ୍ଥ ହେବା ସହ ତାଙ୍କର ନିଧନ ହୋଇଛି । ହେଲେ ୫୩ ବର୍ଷିୟ କେକେଙ୍କ ମୃତ୍ୟୁ ପୂର୍ବର କିଛି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଭିଡିଓରେ ଦେଖିବାକୁ ମିଳିଛି ପ୍ରବଳ ଗରମ ହେବା କାରଣରୁ କେକେ ଏକ ଛୋଟ ଟାଓ୍ୱାଲରେ ନିଜର ମୁହଁ ପୋଛୁଛନ୍ତି । ପରେ ଏକ ପାଣି ବଟଲ ନେଇ ପିଉଛନ୍ତି । ଆଉ ପରେ ପରେ ତାଙ୍କର ଦେହ ଅସୁସ୍ଥ ହୋଇଥିବା ଜଣାପଡ଼ିଛି । ଖାଲିସେତିକି ନୁହେଁ ନାଜରୁଲା ମଞ୍ଚରେ ବହୁ ସଂଖ୍ୟକ ଦର୍ଶକ ଥିବା ମଧ୍ୟ ଭିଡିଓରେ ଦେଖିବାକୁ ମିଳୁଛି । ସେପଟେ କେ.କେଙ୍କ ମୃତ୍ୟୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । କାହିଁକି ନାଁ କେ.କେଙ୍କ ମୁଣ୍ଡ ଓ ଓଠରେ ଆଘାତ ଲାଗିଥିବା ପୁଲିସ ସୂଚନା ଦେଇଛି । ଯାହାକି ଏହା ଏକ ହତ୍ୟାକଣ୍ଡ ନା ନିଜେ କେକେ ତଳେ ପଡ଼ିଯାଇଛନ୍ତି । ତାହାକୁ ନେଇ ପୁଲିସ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି ।
ହେଲେ ଏଠି ପ୍ରଶ୍ନ ଉଠୁଛି ନାଜରୁଲା ମଞ୍ଚ ଗୋଟିଏ ଖୋଲା ଅଡିଟରିୟମ ହୋଇନଥିଲେ ମଧ୍ୟ ଏତେ ସଂଖ୍ୟକ ଦର୍ଶକଙ୍କୁ କାହିଁକି ଅନୁମତି ଦେଇଥିଲେ କର୍ତ୍ତୃପକ୍ଷ ? କୋଲକାତାରେ ପ୍ରବଳ ଗରମ ଅନୁଭୂତ ହେଉଥିଲେ ହେଁ ମଞ୍ଚରେ ଏସିର ବ୍ୟବସ୍ଥା କାହିଁକି ହୋଇନଥିଲା ? କିମ୍ବା ବାୟୁ ଚଳାଚଳ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କାହିଁକି କରିନଥିଲେ ଆୟୋଜକ ? ବର୍ତ୍ତମାନ ଏହି ଭିଡିଓକୁ ନେଇ ସାଧାରଣ ଜନତା ସୋସିଆଲ ମିଡିଆରେ ଏପରି ଅନେକ ପ୍ରଶ୍ନ କରୁଥିବା ଦେଖିବାକୁ ମିଳିଛି ।



