ଭୁବନେଶ୍ୱର: ଭୁବନେଶ୍ୱର ଲକ୍ଷ୍ମୀସାଗର ଗଣ୍ଡଗୋଳ ମାମଲାର ମୁଖ୍ୟ ଅଭିଯୁକ୍ତ ଶିଖର ଜେନାଙ୍କୁ ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ତାଙ୍କ ନାଁରେ ପୁଲିସ ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଓ ଧାରା ୩୦୭ରେ ମାମଲା ରୁଜୁ କରିଥିବା ଜଣାପଡିଛି। ସେ ଲକ୍ଷ୍ମୀସାଗର ୩୨ ନମ୍ବର ୱାର୍ଡର ପୂର୍ବତନ କର୍ପୋରେଟରଙ୍କ ଭାଇ ବୋଲି ପୁଲିସ ସୂଚନା ଦେଇଛି।
ଗତ ଶୁକ୍ରବାର ଘଟିଥିବା ଏହି ଗଣ୍ଡଗୋଳରେ ପୁଲିସ ପୂର୍ବରୁ ୧୧ ଜଣଙ୍କୁ ଗିରଫ କରିସାରିଛି। ଉଭୟ ବିଜେପି ଓ ବିଜେଡି ପକ୍ଷରୁ ଦିଆଯାଇଥିବା ଏତଲା ଆଧାରରେ ଏହି ଗିରଫଦାରୀ ହୋଇଥିବା ଜଣାପଡିଛି। ୱାର୍ଡ ନମ୍ବର ୩୩ର ବିଜେପି କର୍ପୋରେଟର ପ୍ରାର୍ଥୀନୀ ଧରିତ୍ରୀ ଜେନାଙ୍କ ପରିବାର ଉପରେ ଆକ୍ରମଣ ପରେ ଏହି ଗଣ୍ଡଗୋଳ ଘଟିଥିଲା। ପ୍ରାର୍ଥୀନୀ ଧରିତ୍ରୀ ଜେନାଙ୍କ ସ୍ୱାମୀଙ୍କ ସମେତ ଅନ୍ୟ ୪ ଜଣଙ୍କ ଉପରେ ପୋଷ୍ଟର ଚିର ଘଟଣାକୁ ନେଇ ଆକ୍ରମଣ ହୋଇଥିଲା ବୋଲି ପ୍ରଥମଙ୍କ ଭାବେ ସୂଚନା ମିଳିଛି।



