ମୁମ୍ବଇ: ଚଳିତବର୍ଷ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ବର୍ତ୍ତମାନ ବିଜେପି ଶିବସେନା ଏବଂ ଅନ୍ୟ କେତେକ ଛୋଟଦଳ ସହ ମେଣ୍ଟ କରି କ୍ଷମତାଶୀନ ରହିଛି। କିନ୍ତୁ ଆଗାମୀ ନିର୍ବାଚନରେ କିଛି ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିପାରେ ବୋଲି ପୂର୍ବ ଆଭାସ ମିଳିଛି। ବିଜେପି ସହ ମେଣ୍ଟରୁ ଶିବସେନା ଓହରିଯାଇ ଏକାକୀ ନିର୍ବାଚନ ଲଢ଼ିପାରେ ବୋଲି ଚର୍ଚ୍ଚା ଜୋର ଧରିଛି। ଦୁଇ ଦଳ ମଧ୍ୟରେ ଆସନ ବୁଝାମଣାକୁ ନେଇ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିବାବେଳେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଗତ ରବିବାର ଦଳୀୟ ନେତାମାନଙ୍କୁ ଆସନ୍ତା ନିର୍ବାଚନରେ ସମସ୍ତ ଆସନରେ ପ୍ରାର୍ଥୀ ଦେବା ଲାଗି ସଜାଗ ରହିବା ପାଇଁ ସତର୍କ କରାଇବା ପରେ ଏପରି ଚର୍ଚ୍ଚା ଆରମ୍ଭ ହୋଇଛି।
ରାଜ୍ୟ ବିଧାନସଭାରେ ୨୮୮ ଆସନ ଥିବାବେଳେ ସେଥିରୁ ସିଂହଭାଗ ଆସନରେ ବିଜେପି ପ୍ରାର୍ଥୀ ଦେଇଥାଏ। କିନ୍ତୁ ଏଥର ବିଜେପିର ପ୍ରମୁଖ ସହଯୋଗୀ ଶିବସେନା ଅଧା ଆସନରେ ନିର୍ବାଚନ ଲଢ଼ିବ ବୋଲି ଜିଦ୍ ଧରିଛି। ଏହାକୁ ନେଇ ପୂର୍ବରୁ ଥରେ ଦୁଇଥର ଆଲୋଚନା ବିଫଳ ହୋଇଛି। ଏହା ଭିତରେ ଆଉ ଥରେ ଆଲୋଚନା ହେବାର ଅଛି। ଯଦି ଏଥିରେ ବିଜେପି ସହମତ ନ ହୁଏ, ଅର୍ଥାତ ଆଲୋଚନା ବିଫଳ ହୁଏ ତେବେ ଶିବସେନା ‘ପ୍ଲାନ ବି’ ଫର୍ମୁଲା ଆପଣାଇବ ବୋଲି କହିଛି। ଆର୍ଥାତ ଏହି ସହଯୋଗୀ ଦଳ ଏକାକୀ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେବ।
ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଗତ ରବିବାର ଦଳୀୟ ଏମପି, ବିଧାୟକ ଏବଂ ବିଭାଗ ପ୍ରମୁଖମାନଙ୍କ ସହିତ ନିଜ ବାସଭବନରେ ଏକ ବୈଠକ କରିଥିଲେ। ବିଜେପି ସହ ଯଦି ଆଲୋଚନା ସଫଳ ନ ହୁଏ, ତେବେ ସମସ୍ତ ୨୮୮ ଆସନରେ ପ୍ରାର୍ଥୀ ଦେଇ ଦଳ ଏକା ଲଢ଼ିବା ଲାଗି ପ୍ରସ୍ତୁତ ହେବା ପାଇଁ ଦଳୀୟ ନେତାମାନଙ୍କୁ ହାଇକମାଣ୍ଡ ଆହ୍ବାନ ଦେଇଥିବା ଜଣାପଡ଼ିଛି। ଶିବସେନାର ଜଣେ କାର୍ଯ୍ୟକର୍ତ୍ତା କହିଛନ୍ତି, ଦଳ ମୁଖ୍ୟ ସମସ୍ତ ଆସନରେ ପ୍ରାର୍ଥୀ ଦେବା ସମ୍ପର୍କରେ ଆଲୋଚନା କରିଛନ୍ତି। ଯଦି ଆସନ ଭାଗବଣ୍ଟାରେ ଦୁଇ ଦଳ ସହମତ ନ ହୁଅନ୍ତି, ତେବେ ଏଥିପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି। ସୂଚନାଯୋଗ୍ୟ, କିଛିମାସ ତଳେ ବିଜେପି ଓ ଶିବସେନା ମଧ୍ୟରେ ଆସନ ୫୦ ପ୍ରତିଶତ ହିସାବରେ ବାଣ୍ଟିବା ଲାଗି ଶିବସେନା ପକ୍ଷରୁ ଦାବି ହୋଇଥିଲା। ଏହାକୁ ନେଇ ଦୁଇଦଳ ମଧ୍ୟ ବିବାଦ ସୃଷ୍ଟି ହୋଇଥିଲା।



