ଗଜପତି: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ସୋମବାର ଓଡ଼ିଶା ଗସ୍ତରେ ଆସି ଗଜପତି ଜିଲାରେ ନିର୍ବାଚନୀ ପ୍ରଚାର କରିଛନ୍ତି। ସଭା ମଞ୍ଚରେ ଉତ୍କଳ ଦିବସକୁ ନେଇ ଭାଷଣ ଆରମ୍ଭ କରିଥିଲେ। ଉତ୍କଳ ଦିବସରେ ସେ ଓଡ଼ିଶା ଆସିଥିବାରୁ ଏହା ତାଙ୍କର ସୌଭାଗ୍ୟ। ପୂରା ଦେଶରେ ଭାଷା ଭିତ୍ତିରେ ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ ବୋଲି ସେ କହିଥିଲେ। କିନ୍ତୁ ଏହି ସମୟରେ ଶାହ ଓଡ଼ିଶାର ବରପୁତ୍ରମାନଙ୍କ ନାମ ତ୍ରୁଟିପୂର୍ଣ୍ଣ ଭାବେ ଉଚାରଣ କରିଥିଲେ, ଯାହା ସେମାନଙ୍କ ପ୍ରତି ଅସମ୍ମାନ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଉଦବୋଧନ ସମୟରେ ଶାହ ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ ଏବଂ ଗଙ୍ଗାଧର ମେହେରଙ୍କ ନାମ ନେଇଥିଲେ। କିନ୍ତୁ ସେ ଉତ୍କଳମଣି ଗୋପବନ୍ଧୁଙ୍କ ବଦଳରେ ଗୋପାଳବନ୍ଧୁ ବୋଲି ସମ୍ବୋଧନ କରିଥିଲେ। ସେହିପରି ଗଙ୍ଗାଧର ମେହେରଙ୍କ ବଦଳରେ ଗଙ୍ଗାଧର ମୋହର ଉଚ୍ଚାରଣ କରିଥିଲେ।



