ଭାରତୀୟ ସ୍ବାଧୀନତା ସଂଗ୍ରାମର ଇତିହାସ ଲୁହ ଓ ଲହୁର ଇତିହାସ। ଇଂରେଜ ଶାସକ ଗୋଷ୍ଠୀର ବର୍ବରତା, ଶୋଷଣ ସୀମା ଲଙ୍ଘନ କରିବା ପରେ ଭାରତୀୟମାନେ ସେମାନଙ୍କୁ ତଡ଼ିବା ପାଇଁ ବଦ୍ଧପରିକର ହେଲେ। କଳାପାଣିରେ ଦୁଃସହ ବନ୍ଦୀ ଜୀବନ, ଫାଶୀ, ଲୋମହର୍ଷଣକାରୀ ନିର୍ଯାତନା ମୁକ୍ତି ପାଗଳ କାନ୍ତିକାରୀମାନଙ୍କୁ ସେମାନଙ୍କ ଲକ୍ଷ୍ୟପଥରୁ ବିଚ୍ୟୁତ କରିପାରି ନଥିଲା। ସେମାନଙ୍କ ସମ୍ମୁଖରେ ଏକମାତ୍ର ଲକ୍ଷ୍ୟ ଥିଲା- ଦେଶମାତୃକାକୁ ପରାଧୀନତାର ଶୃଙ୍ଖଳରୁ ମୁକ୍ତ କରିବା। ଅହିଂସ ସଂଗ୍ରାମ ପରିବର୍ତ୍ତେ ହିଂସାତ୍ମକ ସଂଗ୍ରାମର ପଥ ବାଛି ନେଇଥିଲେ ଏହି ଦେଶପ୍ରେମୀମାନେ। ବଙ୍ଗଳା (ପଶ୍ଚିମବଙ୍ଗ)ସହ ବାରାଣସୀ ଏହି କ୍ରାନ୍ତିକାରୀମାନଙ୍କ କେନ୍ଦ୍ରସ୍ଥଳ ପାଲଟିଥାଏ। କିଛି କ୍ରାନ୍ତିକାରୀ ଏକତ୍ର ହୋଇ ସଶସ୍ତ୍ର ସଂଗ୍ରାମ ନିମନ୍ତେ ଗଠନ କରିଥାନ୍ତି ହିନ୍ଦୁସ୍ଥାନ ସୋସିଆଲିଷ୍ଟ ରିପବ୍ଲିକ ଆର୍ମି।’ ସଂଗଠନର ଏକମାତ୍ର ଲକ୍ଷ୍ୟ ଥିଲା ଦେଶମାତୃକାର ମୁକ୍ତି। ପରାଧୀନତାର ବନ୍ଧନ ଛିନ୍ନ କରିବା।
ମାଟି ମା’ର ମୁକ୍ତି ପାଇଁ ହସିହସି ସକଳ କଷ୍ଟ ସହି ଜୀବନଦେବାକୁ ଦୃଢ଼ ପ୍ରତିଜ୍ଞ ଥିବା ଏହି କ୍ରାନ୍ତିକାରୀମାନଙ୍କ ଭିତରୁ ଅନ୍ୟତମ ଥିଲେ ରାଜଗୁରୁ। ପୂରାନାମ ଥିଲା- ଶିବରାମ ହରି ରାଜଗୁରୁ। ଜନ୍ମ ହୋଇଥିଲେ ୧୯୦୮ ମସିହା ଅଗଷ୍ଟ ମାସରେ। ପାଠ ପଢ଼ିବା ନିମନ୍ତେ ଆସିଥିଲେ ବାରାଣସୀକୁ। ହେଲେ ଘଟଣାଚକ୍ରରେ ସାମିଲ ହୋଇଯାଇଥିଲେ ହିନ୍ଦୁସ୍ତାନ ରିପବ୍ଲିକାନ୍ ଆର୍ମିରେ। ବ୍ରିଟିଶ ପ୍ରଧାନମନ୍ତ୍ରୀ ଭାରତର ସମ୍ବିଧାନ ଉପରେ ରିପୋର୍ଟ ଦେବାପାଇଁ ସାଇମନଙ୍କ ନେତୃତ୍ବରେ ଏକ କମିଟି ଗଠନ କରିଥିଲେ। ଏହି ଦଳରେ ଭାରତୀୟଙ୍କୁ ସାମିଲ କରାଯାଇ ନଥିବାରୁ ରାଜନେତାମାନେ କ୍ଷୁବ୍ଧ ହୋଇ ଏହାର ଘୋର ବିରୋଧ କରିଥିଲେ। ସାଇମନଙ୍କ ନେତୃତ୍ବରେ ଗଠିତ କମିସନର ସଦସ୍ୟଗଣ ଭାରତରେ ପହଞ୍ଚିବା ପରେ ଗୁରୁତ୍ବପୂର୍ଣ୍ଣ ସହରଗୁଡ଼ିକରେ ସାଇମନଙ୍କୁ ବିରୋଧ କରି ହରତାଳ ପାଳନ କରାଯାଇଥିଲା। ଶାନ୍ତିପୂର୍ଣ୍ଣ ମାର୍ଗରେ ଶୋଭଯାତ୍ରାକାରୀ ଲାଲା ଲଜପତ୍ ରାୟଙ୍କ ନେତୃତ୍ବରେ କମିସନଙ୍କୁ ବିରୋଧ କରି ଲାହୋରରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଲାଲାଜୀଙ୍କୁ ଉେଦ୍ଦଶ୍ୟମୂଳକ ଭାବରେ ଲାଠିମାଡ଼ କରାଯାଇଥିଲା ଓ ସେହି ମାଡ଼ରେ ତାଙ୍କର ଦେହାନ୍ତ ହୋଇଯାଇଥିଲା। ଏ ନିମନ୍ତେ ଦାୟୀ ଥିଲେ ମୁଖ୍ୟତଃ ଇଂରେଜ ଅଫିସର ଦ୍ବୟ- ସ୍କଟ୍ ଓ ସ୍ୟାଣ୍ଡର୍ସ। ଦୁଇ ଗୋରା ଅଧିକାରୀଙ୍କୁ ଉପଯୁକ୍ତ ଦଣ୍ଡଦେବାକୁ ନିଷ୍ପତ୍ତି ନେଇଥିଲେ କ୍ରାନ୍ତିକାରୀମାନେ। ଏହାର ଦାୟିତ୍ବ ନେଇଥିଲେ ଚନ୍ଦ୍ରଶେଖର ଆଜାଦ, ଭଗତ ସିଂହ ଓ ରାଜଗୁରୁ। ଲାହୋର (ସଂପ୍ରତି ପାକିସ୍ତାନ) ପୁଲିସ ହେଡକ୍ବାର୍ଟରରୁ ଆସୁଥିବାବେଳେ ରାଜଗୁରୁଙ୍କ ଗୁଳିରେ ଟଳି ପଡ଼ିଥିଲେ ସ୍ୟାଣ୍ଡର୍ସ। ୧୯୩୧ ମାର୍ଚ୍ଚ ୨୩ରେ ରାଜଗୁରୁ, ସୁଖଦେବ ଓ ଭଗତ ସିଂହଙ୍କୁ ଲାହୋର ଜେଲରେ ଫାଶୀ ଦିଆଯାଇଥିଲା। ସେତେବେଳେ ରାଜଗୁରୁଙ୍କ ବୟସ ଥିଲା ମାତ୍ର ୨୨ ବର୍ଷ।



