www.samajalive.in
Friday, December 5, 2025
20.1 C
Bhubaneswar

ଚିନ୍ତାକଳ୍ପ: ଶିବକୃପାରୁ ଅଭୀଷ୍ଟ ସିଦ୍ଧି

ସ୍କନ୍ଦ ପୁରାଣର ଏହି ପ୍ରସଙ୍ଗ। ଜଣେ ପରମ ଶିବଭକ୍ତ ବ୍ରାହ୍ମଣ ଥିଲେ। ବିଡ଼ମ୍ବନା ଏହା ଥିଲା ଯେ ଏକନିଷ୍ଠ ଏହି ଶିବସାଧକ ଥିଲେ ନିଃସନ୍ତାନ। ପ୍ରତିଦିନ ଭଗବାନ ଭୋଳାନାଥଙ୍କୁ ପ୍ରାର୍ଥନା କରି କହୁଥିଲେ- ‘ଠାକୁରେ ! ମୁଁ ତ ନିର୍ଦ୍ଧନ, ସେଥିରେ ମୋର ଦୁଃଖ ନାହିଁ, ହେଲେ କୃପା କରି ମୋତେ ପୁତ୍ର ଧନ ପ୍ରଦାନ କରନ୍ତୁ। ଭୋଳାନାଥ ପ୍ରାର୍ଥନା ଶୁଣିଥିଲେ। ଅତି ବିଳମ୍ବରେ, ପ୍ରୌଢ଼ାବସ୍ଥାରେ ବ୍ରାହ୍ମଣଙ୍କ ମନସ୍କାମନା ପୂର୍ଣ୍ଣ ହୋଇଥିଲା। ଶିବକୃପାର ଫଳସ୍ବରୂପ ପୁତ୍ର ସନ୍ତାନ ପାଇଥିବାରୁ ତା’ର ନାମ ରଖିଥିଲେ ଈଶାନ। ଦେବାଧିଦେବ ମହାଦେବଙ୍କର ଅନ୍ୟ ଏକ ନାମ ଈଶାନ। ନିୟତିର ଘୋର ବିଡ଼ମ୍ବନା ପୁତ୍ରକାମୀ ବ୍ରାହ୍ମଣଙ୍କ ଉପରେ ଦୁଃଖର ପାହାଡ଼ ଲଦି ଦେଇଥିଲା। ଏତେ ଜପ ତପ, ପ୍ରାର୍ଥନା କରି ଯେ ପୁତ୍ର ସନ୍ତାନର ଜନକ ହେଲେ, ପୁଅ ଜନ୍ମରୁ ଘୁଙ୍ଗା ଥିଲା। ବାକ୍‌ଶକ୍ତି ଫେରି ପାଇବା ଉଦ୍ଦେଶ୍ୟରେ ବ୍ରାହ୍ମଣ ପୁଅକୁ ଅନେକ ବୈଦ୍ୟଙ୍କ ନିକଟକୁ ନେଇଥିଲେ। ସମସ୍ତେ ସେଇ ଗୋଟିଏ କଥା କହିଥିଲେ, ଏ ବାଳକ ଜୀବନରେ କେବେ ବି କଥା କହିବାକୁ ସକ୍ଷମ ହେବନାହିଁ। ଏହାକୁ ଭାଗ୍ୟଫଳ ବୋଲି ଭାବିନେଇ ବ୍ରାହ୍ମଣ ଚୁପ୍‌ ରହିଥିଲେ; କିନ୍ତୁ ଶିବାରାଧନା ଜାରି ରହିଥାଏ। ତାଙ୍କର ଦୃଢ଼ ବିଶ୍ବାସ ଥିଲା ଠାକୁର ଚାହିଁଲେ ଅସମ୍ଭବ ସମ୍ଭବ ହୋଇପାରେ।

ଈଶାନ ବାଲ୍ୟକାଳରୁ କେବଳ ଫଳାହାର ହିଁ କରୁଥିଲେ। ଅନ୍ନ ସ୍ପର୍ଶ କରି ନଥିଲେ। ବଡ଼ ହେଲାପରେ ସଂସ୍କାରବଶତଃ ସେ ମଧ୍ୟ ଶିବାରାଧନା କଲେ। ଜଙ୍ଗଲକୁ ଯାଇ କଠୋର ତପ ସାଧନାରେ ନିମଗ୍ନ ରହିଲେ। ଏହା ଭିତରେ ଅନେକ ବର୍ଷ ଅତିବାହିତ ହୋଇଗଲା। ନା ଶିବ ପ୍ରକଟ ହେଲେ ନା ଈଶାନ ତପସାଧନା ଭାଙ୍ଗିଲେ। ଆଉ ସ୍ଥିର ହୋଇ ରହିପାରିନଥିଲେ ମହାଦେବ। ଶେଷରେ ପ୍ରକଟ ହୋଇ କହିଥିଲେ- ‘ମୁଁ ତୁମର ଭକ୍ତିରେ ପ୍ରୀତ। କିଛି ବର ପ୍ରାର୍ଥନା କରିପାର’। ଈଶାନ ଜନ୍ମରୁ ଘୁଙ୍ଗା ଥିଲେ। ଅତ୍ୟାଶ୍ଚର୍ଯ୍ୟ ଘଟଣା ସ୍ବରୂପ ପ୍ରଥମଥର ପାଇଁ ପାଟି ଖୋଲି କହିଥିଲେ- ‘ଭଗବାନ! ଯଦି ମୋ ଉପରେ ପ୍ରସନ୍ନ, ତେବେ ମୋତେ ଜନ୍ମ ମରଣ ଚକ୍ରରୁ ମୁକ୍ତ କରି ଦିଅନ୍ତୁ।’ ‘ନା ପୁତ୍ର, ମର୍ତ୍ତ୍ୟରେ ନାମ ଓ ରୂପଧାରଣକାରୀ ନିକଟରେ ଅଜରତ୍ବ ଓ ଅମରତ୍ବ ଅସମ୍ଭବ। ତୁମେ ଏହି ବର ପ୍ରାର୍ଥନା ତ୍ୟାଗ କରି ଅନ୍ୟ କିଛି ମନ ଚାହିଁ ବର ମାଗିପାର।’
‘ମୋତେ ଏହି ବର ଦିଅନ୍ତୁ କଳ୍ପାନ୍ତରେ ମୋର ଶରୀରରୁ ଗୋଟିଏ ମାତ୍ର ଲୋମ ଝଡ଼ିବ। ଯେତେବେଳେ ମୋର ସମସ୍ତ ଲୋମ ଝଡ଼ିଯିବ ସେତେବେଳେ ମୋର ଏହି ଦେହନାଶ ହେବ। ଏହା ପରେ ମୋତେ ଆପଣଙ୍କ ଲୋକ (ଶିବ ଲୋକ)ରେ ସ୍ଥାନ ଦେବେ।’ ଭକ୍ତଙ୍କୁ ମନଚାହିଁ ବର ଦେଇ ‘ତଥାସ୍ତୁ’ କହିଥିଲେ ମହାଦେବ। ଏହି ଈଶାନ ପରବର୍ତ୍ତୀ ସମୟରେ ଲୋମଶ ଋଷି ନାମରେ ପ୍ରସିଦ୍ଧି ଲାଭ କରିଥିଲେ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories