ଭୁବନେଶ୍ବର : ରାଜ୍ୟର ଅଧିକାଂଶ ସରକାରୀ ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ଭଲ ନାହିଁ। ରାଜ୍ୟର ୯ପ୍ରତିଶତ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଇଁ ସ୍ବଚ୍ଛ ପାନୀୟ ଜଳ ମିଳୁନାହିଁ। ପ୍ରାୟ ୨୨ଭାଗ ସ୍କୁଲରେ ପୃଥକ ପାଇଖାନା ନଥିବାବେଳେ ୫ପ୍ରତିଶତ ସ୍କୁଲରେ ପାଇଖାନା ଥାଇ ବି ଅଚଳ । ପ୍ରାୟ ୬୮ଭାଗ ଶ୍ରେଣୀକକ୍ଷରେ ବିଦ୍ୟୁତ୍ ସଂଯୋଗ ନଥିବାବେଳେ ୭୮ଭାଗ ବିଦ୍ୟାଳୟରେ ସ୍ଥାୟୀ ଖେଳପଡ଼ିଆ ନାହିଁ। ବିଦ୍ୟାଳୟରେ ନିରାପତ୍ତା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ନିର୍ଦେଶ ଥିଲେ ହେଁ ଏ ପର୍ଯ୍ୟନ୍ତ ୨୭ଭାଗ ସ୍କୁଲରେ ବିଦ୍ୟାଳୟ ନିରାପତ୍ତା ଯୋଜନା(ଏସଏସପି) ପ୍ରସ୍ତୁତ ହୋଇନାହିଁ। ୬ପ୍ରତିଶତ ସ୍କୁଲରେ ଖୋଲାରେ ବିଦ୍ୟୁତ୍ ତାର ଝୁଲିରହିଛି। ପ୍ରାୟ ୩୫ଭାଗ ସ୍କୁଲ କାନ୍ଥରେ ଫାଟ ଥିବାବେଳେ ୩୦ଭାଗ ସ୍କୁଲରେ ଥିବା ଜଳାଶୟ ପାଇଁ କୌଣସି ବାଡ଼ ବା ପାଚେରି ବ୍ୟବସ୍ଥା ନାହିଁ। ସ୍କୁଲ ମନିଟରିଂ ଆପ୍ ଜରିଆରେ ସଂଗୃହୀତ ତଥ୍ୟରୁ ଏହା ଜଣାପଡ଼ିଛି।
ଭିତ୍ତିଭୂମି ସଜାଡ଼ିବା ଦିଗରେ ସରକାରଙ୍କ ପକ୍ଷରୁ ଧାର୍ଯ୍ୟ ଷ୍ଟାଣ୍ଡାଡ଼ ଅପରେଟିଂ ପ୍ରସିଡ଼ୁୟର(ମାନ ପରିଚାଳନା ବ୍ୟବସ୍ଥା)କଡ଼ା କଡ଼ି ଭାବେ କାର୍ଯ୍ୟକାରୀ କରିବା ନିମନ୍ତେ ଓପେପା ପ୍ରକଳ୍ପ ନିର୍ଦେଶକ ଭୂପେନ୍ଦ୍ର ସିଂହ ପୁନିଆ ରାଜ୍ୟର ସବୁ ଜିଲା ଶିକ୍ଷା ଅଧିକାରୀ, ଜିଲା ପ୍ରକଳ୍ପ ସଂଯୋଜକ, ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଛନ୍ତି।
ବିଶେଷ କରି ପାନୀୟ ଜଳ, ଶୌଚାଳୟ, ବିଦ୍ୟୁତ ସଂଯୋଗ ନଥିବା ଏବଂ ଅସୁରକ୍ଷିତ ଅବସ୍ଥାରେ ଥିବା ବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ନିରାପତ୍ତା ନିମନ୍ତେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦେଶ ଦିଆଯାଇଛି। ବ୍ଲକଠାରୁ ଆରମ୍ଭ କରି ଜିଲା ସ୍ତର ପର୍ଯ୍ୟନ୍ତ ବିଦ୍ୟାଳୟଗୁଡ଼ିକରେ ଭିତ୍ତିଭୂମି ସଜାଡ଼ିବା ଦିଗରେ ଯେଉଁସବୁ ପଦେକ୍ଷପ ଗ୍ରହଣ କରାଯାଉଛି ସେ ସଂକ୍ରାନ୍ତରେ ପ୍ରତି ମାସରେ ସ୍କୁଲ ମନିଟରିଂ ଆପ ଜରିଆରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ଦେବାକୁ କୁହାଯାଇଛି।
ବିଦ୍ୟାଳୟ ଶୌଚାଳୟ ପରିଚ୍ଛନ୍ନତା ସଂକ୍ରାନ୍ତରେ କୌଣସି ଅଭିେଯାଗ ଆସିଲେ ଏହାର ତୁରନ୍ତ ସମାଧାନ ନିମନ୍ତେ ଜିଲା ଶିକ୍ଷା ଅଧିକାରୀ ବିଦ୍ୟାଳୟ ପରିଚାଳନା କମିଟି ସଭାପତିଙ୍କୁ ନିର୍ଦେଶ ଦେବାକୁ ପରାମର୍ଶ ଦିଆଯାଇଛି। ସେହିପରି ବିଦ୍ୟାଳୟରେ ଖେଳପଡ଼ିଆ ନଥିଲେ ତୁରନ୍ତ ଏଥିନେଇ ବ୍ୟବସ୍ଥା କରିବାକୁ ଜିଲା ଶିକ୍ଷା ଅଧିକାରୀ ରାଜସ୍ବ ନିରୀକ୍ଷକ, ତହସିଲଦାରଙ୍କୁ ଏ ବିଷରେ ଜଣାଇବାକୁ କୁହାଯାଇଛି। ସ୍କୁଲ ପରିସରରେ ସ୍ଥାୟୀ ଖେଳପଡ଼ିଆ ନମିଳିବା ପର୍ଯ୍ୟନ୍ତ ନିକଟସ୍ଥ ସରକାରୀ ଜାଗା ଏଥିପାଇଁ ଚିହ୍ନଟ କରି ଖେଳପଡ଼ିଆ ଭାବେ ବ୍ୟବହାର କରିବାକୁ ନିର୍ଦେଶ ଦିଆଯାଇଛି। ସ୍କୁଲ ମନିଟରିଂ ଆପରେ ରାଜ୍ୟର ୫୨୬୫୭ଟି ସରକାରୀ ବିଦ୍ୟାଳୟକୁ ସଂଯୋଜିତ କରାଯାଇଥିବାବେଳେ ଏଥିମଧ୍ୟରୁ ୪୧,୮୯୪ଟି ବିଦ୍ୟାଳୟରୁ ତଥ୍ୟ ସଂଗ୍ରହ କରାଯାଇଥିଲା ବୋଲି ଓପେପା ସୂତ୍ରରୁ ଜଣାପଡ଼ିଛି।
ରାଜ୍ୟର ସ୍କୁଲ ଭିତ୍ତିଭୂମି ଦୁର୍ବଳ: ରିପୋର୍ଟ
Popular Categories



