ଭୁବନେଶ୍ବର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ଆୟୋଜିତ ନବନିଯୁକ୍ତ ଓଡ଼ିଶା ଶିକ୍ଷା ସେବା ଅଧିକାରୀଙ୍କ ଦ୍ଵିତୀୟ ପର୍ଯ୍ୟାୟ ପ୍ରବେଶ କାଳୀନ ପ୍ରଶିକ୍ଷଣ ମଧୁସୂଦନ ଦାସ ଆଞ୍ଚଳିକ ଆର୍ଥିକି ପରିଚାଳନା ଏକାଡେମୀ , ଚନ୍ଦ୍ରଶେଖରପୁର , ଭୁବନେଶ୍ୱର ଠାରେ ଉଦଘାଟିତ ହୋଇଯାଇଛି ।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଭାଗୀୟ କମିଶନର ତଥା ଶାସନ ସଚିବ ଅଶ୍ୱଥି ଏସ. ବ୍ଲକ ଶିକ୍ଷା ଅଧିକାରୀମାନେ ନିଜ ଅଧୀନରେ ଥିବା ବିଦ୍ୟାଳୟ ଗୁଡ଼ିକର ଛାତ୍ରଛାତ୍ରୀଙ୍କ ଶିକ୍ଷଣ ଫଳାଫଳର ବାସ୍ତବ ସ୍ଥିତି ବିଷୟରେ ଅନୁଧ୍ୟାନ କରିବା ସଙ୍ଗେ ସଙ୍ଗେ ଏହାର ଅଭିବୃଦ୍ଧି ପାଇଁ କିପରି ପଦକ୍ଷେପ ନେବେ ଓ କେଉଁ ଶିକ୍ଷଣ କୌଶଳ ଅବଲମ୍ବନ କରିବା ଆବଶ୍ୟକ , ସେ ଦିଗରେ ଚିନ୍ତନ ପାଇଁ ଆହ୍ୱାନ ଦେଇଥିଲେ। ପ୍ରତ୍ୟେକ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଶିକ୍ଷଣ ଫଳାଫଳ ସ୍ଥିତି ଆକଳନ କରି ଶିଶୁମାନଙ୍କର ସାମଗ୍ରିକ ବିକାଶ ପାଇଁ ଆବଶ୍ୟକୀୟ ପନ୍ଥା ଅବଲମ୍ବନ କରିବାକୁ ସେ ପରାମର୍ଶ ଦେଇଥିଲେ।
ଉପସ୍ଥିତ ଓସେପାର ରାଜ୍ୟପ୍ରକଳ୍ପ ନିର୍ଦ୍ଦେଶିକା ପାରୁଲ ପଟୱାରୀ ସମସ୍ତଙ୍କୁ ସ୍ୱାଗତ ଜଣାଇବା ସଂଗେ ସଂଗେ ଦୁଇ ସପ୍ତାହ ବ୍ୟାପୀ ଏହି ପ୍ରଶିକ୍ଷଣ ସମୟରେ ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ ଆର୍ଥିକ, ପ୍ରଶାସନିକ ନିୟମ କାନୁନ ବିଷୟରେ ଶିକ୍ଷାଦାନ, ବିଭାଗୀୟ ନିର୍ଦ୍ଦେଶାଳୟ ଗୁଡ଼ିକ ଦ୍ୱାରା ପ୍ରଶିକ୍ଷଣ, କ୍ଷେତ୍ର ପରିଦର୍ଶନ, ଯୋଗ, ଶାରୀରିକ ଶିକ୍ଷା, ପୁସ୍ତକ ସମୀକ୍ଷା , ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ବିଷୟରେ ସୂଚନା ପ୍ରଦାନ କରିଥିଲେ ଓ ପ୍ରଶିକ୍ଷାର୍ଥୀମାନେ ଶିକ୍ଷାଦାନ ସମୟରେ ସକ୍ରିୟ ଅଂଶ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ।
ଏକାଡେମୀର ନିର୍ଦ୍ଦେଶକ ଅଶୋକ କୁମାର ମହାନ୍ତି ପ୍ରଶିକ୍ଷଣରେ କାଳରେ ଶିକ୍ଷାଦାନ ପାଇଁ ଚୟନ କରାଯାଇଥିବା ବିଷୟ ଗୁଡ଼ିକର କର୍ମ କ୍ଷେତ୍ରରେ ଗୁରୁତ୍ୱ ଉପରେ ଆଲୋକ ପାତ କରିଥିଲେ ଓ ଏକାଡେମୀରେ ଥିବା ସୁବିଧାର ଉପଯୋଗ ପାଇଁ ପ୍ରଶିକ୍ଷାର୍ଥୀ ମାନଙ୍କୁ କହିଥିଲେ।
ମାଧ୍ୟମିକ ଶିକ୍ଷାନିର୍ଦ୍ଦେଶକ ମନୋରଞ୍ଜନ ମଲିକ ସମସ୍ତ ସରକାରୀ ନିର୍ଦ୍ଦେଶାବଳୀ ଗୁଡିକର ଏକତ୍ରୀକରଣ ସହ ନିୟମ କାନୁନ ବିଷୟରେ ଅବଗତ ହେଲେ କିପରି ଦକ୍ଷତାର ସହ କାର୍ଯ୍ୟ କରି ପାରିବେ ସେ ବିଷୟରେ ଆଲୋଚନା କରିଥିଲେ।
ପରିଶେଷରେ ବିଭାଗୀୟ ଅତିରିକ୍ତ ଶାସନ ସଚିବ ଦିପ୍ତୀରାଣୀ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ
ଓସେପାର ଅତିରିକ୍ତ ନିର୍ଦ୍ଦେଶକ ଡ଼. ସନାତନ ପଣ୍ଡା ସଭା ସଂଯୋଜନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ଶୁଭଶ୍ରୀ ନନ୍ଦ , ଓସେପାର ଅତିରିକ୍ତ ନିର୍ଦ୍ଦେଶିକା ଶ୍ରୀମତୀ ସଂଗୀତା ବେହେରା ସମେତ ସମସ୍ତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
ଏକାଡେମୀର ଉପ ନିର୍ଦ୍ଦେଶକ ସ୍ନେହାପ୍ରଭା ଦାଶ ଓ ଓସେପାର ସହ ନିର୍ଦ୍ଦେଶକ ଜିତେନ୍ଦ୍ର ନାୟକ ପ୍ରଶିକ୍ଷିଣ ପରିଚାଳନା କରୁଥିଲେ। ଏହି ପ୍ରଶିକ୍ଷଣରେ ୧୮ ଜିଲ୍ଲାରୁ ମୋଟ ୬୦ ଜଣ ଶିକ୍ଷାସେବା ଅଧିକାରୀ ଯୋଗଦାନ କରିଥିଲେ।



