ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ଛାତ୍ରବୃତ୍ତି ପାଇଁ ଆବେଦନ ଆହ୍ୱାନ

ଡେସ୍କ: ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ୨୦୨୪-୨୫ ଶିକ୍ଷା ବର୍ଷ ପାଇଁ ୫ ହଜାର ୧୦୦ ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ପ୍ରଦାନ ନିମନ୍ତେ ଆବେଦନ ଆହ୍ୱାନ କରାଯାଇଛି। ଭାରତରେ ଥିବା ଶିକ୍ଷାନୁଷ୍ଠାନଗୁଡ଼ିକରୁ ପୂର୍ଣ୍ଣକାଳୀନ ନିୟମିତ ଡିଗ୍ରୀ ପାଠ୍ୟକ୍ରମରେ ନାମ ଲେଖାଉଥିବା ପ୍ରଥମ ବର୍ଷ ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀ ଏଥିପାଇଁ ଆବେଦନ କରିପାରିବେ।

ସୂଚନା ଅନୁଯାୟୀ, ସ୍ନାତକ ପାଠ୍ୟକ୍ରମରେ ସମସ୍ତ ବିଷୟରେ ଛାତ୍ରବୃତ୍ତି ଦିଆଯାଉଛି ଏବଂ ଯୋଗ୍ୟ ବିବେଚିତ ୫୦୦୦ ସ୍ନାତକ ଛାତ୍ରଛାତ୍ରୀଙ୍କୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଛାତ୍ରବୃତ୍ତି ପ୍ରଦାନ କରାଯିବ। ସ୍ନାତକ ପାଠ୍ୟକ୍ରମରେ ପ୍ରଥମ ବର୍ଷରେ ଯୋଗ ଦେଉଥିବା ସମସ୍ତ ଛାତ୍ରଛାତ୍ରୀ ଏହି ଛାତ୍ରବୃତ୍ତି ପାଇଁ ଆବେଦନ କରିପାରିବେ। ସେମାନଙ୍କୁ ଯୋଗ୍ୟତା ଏବଂ ପାରିବାରିକ ଆୟ ଆଧାରରେ ଏହି ଛାତ୍ରବୃତ୍ତି ପ୍ରଦାନ କରାଯିବ, ଯାହା ଦ୍ୱାରା ବିନା ଆର୍ଥିକ ବୋଝରେ ସେମାନେ ନିଜ ପାଠପଢ଼ା ଜାରି ରଖିପାରିବେ।

ସେହିପରି ସ୍ନାତକୋତ୍ତର ପାଠ୍ୟକ୍ରମରେ ଇଞ୍ଜିନିୟରିଙ୍ଗ, ଟେକ୍ନୋଲୋଜି, ଶକ୍ତି ଏବଂ ଲାଇଫ ସାଇନ୍ସ ବିଷୟଗୁଡ଼ିକରେ ଛାତ୍ରବୃତ୍ତି ଦିଆଯାଉଛି ଏବଂ ଏହା କେବଳ ଯୋଗ୍ୟତା ଆଧାରରେ ଦିଆଯିବ। ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମ ଲେଖାଉଥିବା ୧୦୦ ଛାତ୍ରଛାତ୍ରୀମାନଙ୍କୁ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଛାତ୍ରବୃତ୍ତି ପ୍ରଦାନ କରାଯିବ।

ରିଲାଏନ୍ସ ଫାଉଣ୍ଡେସନର ୱେବସାଇଟ www.scholarships.reliancefoundation.org ମାଧ୍ୟମରେ ଛାତ୍ରଛାତ୍ରୀ ଅନଲାଇନରେ ଆବେଦନ କରିପାରିବେ ଏବଂ ଅଧିକ ସୂଚନା ହାସଲ କରିପାରିବେ। ଆବେଦନ କରିବାର ଶେଷ ତାରିଖ ହେଉଛି ଅକ୍ଟୋବର ୬ ତାରିଖ।

Comments are closed.