ନୂଆଦିଲ୍ଲୀ: ଯଦି ମହିଳା ତାଙ୍କ ସାଥୀଙ୍କୁ ବିବାହ କରିବେ ନାହିଁ ବୋଲି ଜାଣି ସୁଦ୍ଧା ତାଙ୍କ ସହ ଶାରୀରିକ ସମ୍ପର୍କ ରଖୁଛନ୍ତି, ତେବେ ତାହା ପରବର୍ତ୍ତୀ ସମୟରେ ବଳାତ୍କାର ବିବେଚନା ହେବ ନାହିଁ । ଏହି ଆଧାରରେ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ବଳାତ୍କାର କରିଛି ବୋଲି ମହିଳା ଜଣଙ୍କ ପୁରୁଷଙ୍କ ନାମରେ ଅଭିଯୋଗ କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି । ସୁପ୍ରିମକୋର୍ଟ ଏକ ମାମଲର ଶୁଣାଣି କରିବା ସମୟରେ ଏହି ରାୟ ପ୍ରକାଶ କରିଛନ୍ତି ।
ସେଲ୍ ଟ୍ୟାକ୍ସ୍ର ଜଣେ ସହକାରୀ କମିସନର୍ (ମହିଳା)ଙ୍କ ଦ୍ବାରା ସିଆର୍ପିଏଫ୍ର ଜଣେ ଡେପୁଟି କମାଣ୍ଡାଣ୍ଟ୍(ପୁରୁଷ)ଙ୍କ ବିରୋଧରେ ହୋଇଥିବା ବଳାତ୍କାର ମାମଲାର ଶୁଣାଣି ବେଳେ ଜଷ୍ଟିସ୍ ଡି ଓ୍ଵାଇ ଚନ୍ଦ୍ରଚୂଡ଼ ଏବଂ ଇନ୍ଦିରା ବାନାର୍ଜୀଙ୍କ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ଅଦାଲତ କହିଛନ୍ତି ଯେ, ଉଭୟଙ୍କ ମଧ୍ୟରେ ୬ ବର୍ଷ ଧରି ସମ୍ପର୍କ ଥିଲା ଏବଂ ଅନେକ ଥର ଉଭୟ ପରସ୍ପରଙ୍କ ଘରେ ରହୁଥିଲେ । ତେଣୁ ଏଥିରୁ ପ୍ରମାଣିତ ହେଉଛି ଯେ, ପରସ୍ପରଙ୍କ ସହମତିରେ ସମ୍ପର୍କ ଗଢି ଉଠିଥିଲା ।
ସୂଚନାଯୋଗ୍ୟ, ଅଭିଯୋଗକାରିଣୀ ସିଆର୍ପିଏଫ୍ ଅଧିକାରୀଙ୍କୁ ୧୯୯୮ ମସିହାରୁ ଜାଣିଥିଲେ । ଅଭିଯୋଗ ଅନୁଯାୟୀ , ୨୦୦୮ରେ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ସିଆର୍ପିଏଫ୍ ଅଧିକାରୀ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । ୨୦୧୪ରେ ସିଆର୍ପିଏଫ୍ ଅଧିକାରୀ ମହିଳାଙ୍କ ଜାତିକୁ ନେଇ ଚିନ୍ତା ପ୍ରକଟ କରିଥିଲେ । ଏହା ସତ୍ତ୍ବେ ମଧ୍ୟ ୨୦୧୬ ପର୍ଯ୍ୟନ୍ତ ଉଭୟଙ୍କ ସମ୍ପର୍କ ରହିଥିଲା। ତେବେ ଅନ୍ୟ ଜଣେ ଯୁବତୀଙ୍କ ସହ ସିଆର୍ପିଏଫ୍ ଅଧିକାରୀଙ୍କ ନିର୍ବନ୍ଧ ହେବା ଜାଣିବା ପରେ ୨୦୧୬ରେ ମହିଳା ଜଣଙ୍କ ତାଙ୍କ ବିରୋଧରେ ଏତଲା ଦେଇଥିଲେ । ପରେ ଏହି ମାମଲା ସୁପ୍ରିମକୋର୍ଟକୁ ଯାଇଥିଲା।



