ଇଡି ମାମଲାରେ ଚିଦାମ୍ବରମଙ୍କୁ ଆଉ ଗୋଟିଏ ଦିନର ଅଶ୍ଵସ୍ତି

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ଦୁର୍ନୀତିର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ମଙ୍ଗଳବାର ସୁପ୍ରିମକୋର୍ଟରୁ ଅଶ୍ଵସ୍ତି ମିଳିଛି। ଇଡି ଚିଦାମ୍ବରମଙ୍କୁ ଗିରଫ କରି ନିଜ ହେପାଜତକୁ ନେଇ ପଚରାଉଚରା କରିବାକୁ ଚାହୁଁଛି। ମାତ୍ର ସୁପ୍ରିମକୋର୍ଟ ତାଙ୍କୁ ଆଉ ଗୋଟିଏ ଦିନ ଅଶ୍ଵସ୍ତି ପ୍ରଦାନ କରିଛନ୍ତି। ବୁଧବାର ପର୍ଯ୍ୟନ୍ତ ଇଡି ଚିଦାମ୍ବରମଙ୍କୁ ଗିରଫ କରିପାରିବ ନାହିଁ ଏବଂ ଏହି ଦିନ ଶୁଣାଣି ଜାରି ରହିବ ବୋଲି ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି।

ଦିଲ୍ଲୀ ହାଇକୋର୍ଟରେ ଚିଦାମ୍ବରମଙ୍କ ଜାମିନ ଆବେଦନ ଖାରଜ ହେବା ପରେ ସେ ସୁପ୍ରିମକୋର୍ଟରେ ଏହାକୁ ଚ୍ୟାଲେଞ୍ଜ କରିଥିଲେ। ମଙ୍ଗଳବାର ଶୁଣାଣି ସମୟରେ ଚିଦାମ୍ବରମଙ୍କ ଓକିଲ କପିଲ ଶିବଲ ସୁପ୍ରିମକୋର୍ଟରେ ଅନୁରୋଧ କରିଥିଲେ ଯେ ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଇଡି ଦ୍ବାରା କରାଯାଇଥିବା ଜେରାର ଲିଖିତ ବିବରଣୀ ଦାଖଲ କରିବାକୁ ନିର୍ଦେଶ ଦିଆଯାଉ। ଗତବର୍ଷ ଡିସେମ୍ବର ୧୯ ଏବଂ ଚଳିତବର୍ଷ ଜାନୁୟାରୀ ୧ ଓ ଜାନୁୟାରୀ ୨୧ ତାରିଖରେ ଇଡି ଚିଦାମ୍ବରମଙ୍କୁ କରିଥିବା ଜେରାର ଲିଖିତ ବିବରଣୀ ଦାଖଲ କରିବା ପାଇଁ ନିର୍ଦେଶ ଦେବାକୁ ଶିବଲ ବିଚାରପତି ଆର. ଭାନୁମତି ଏବଂ ଏ.ଏସ. ବୋପନ୍ନାଙ୍କ ଖଣ୍ଡପୀଠଙ୍କ ନିକଟରେ ଆବେଦନ କରିଥିଲେ। ସୂଚନାଯୋଗ୍ୟ, ଗତ ସୋମବାର ସୁପ୍ରିମକୋର୍ଟ ମାମଲାର ଶୁଣାଣି ବେଳେ ମଙ୍ଗଳବାର ପର୍ଯ୍ୟନ୍ତ ଚିଦାମ୍ବରମଙ୍କୁ ଗିରଫ ନ କରିବାକୁ ନିର୍ଦେଶ ଦେଇଥିଲେ।

Comments are closed.