ନୂଆଦିଲ୍ଲୀ : ଜଷ୍ଟିସ ରଞ୍ଜନ ଗୋଗଇଙ୍କୁ ସର୍ବୋଚ୍ଚ ନ୍ୟାୟାଳୟର ପରବର୍ତ୍ତୀ ପ୍ରଧାନ ବିଚାରପତି ନିଯୁକ୍ତି ଭାବେ ନିଯୁକ୍ତି ପ୍ରଦାନକୁ ବିରୋଧ କରି ଆଗତ ଆବେଦନ ଖାରଜ ହୋଇଯାଇଛି। ମଙ୍ଗଳବାର ଆଇନଜୀବୀ ଆର.ପି ଲୁଥ୍ରାଙ୍କ ପକ୍ଷରୁ ଆଗତ ଏହି ଆବେଦନ ଉପରେ ବୁଧବାର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର, ଜଷ୍ଟିସ ଏ.ଏମ୍ ଖାନ୍ୱିଲକର ଓ ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ପୀଠ ତ୍ୱରିତ ଶୁଣାଣି କରିବା ସହ ମାମଲାର କୌଣସି ଗୁରୁତ୍ୱ ନଥିବା ଦର୍ଶାଇ ଖାରଜ କରିଦେଇଛନ୍ତି। ଜଷ୍ଟିସ ଗୋଗଇଙ୍କୁ ନିଯୁ୍ତି ଚୂଡ଼ାନ୍ତ ହୋଇସାରିଥିବାରୁ ଏହା ଉପରେ ଆଉ ହସ୍ତକ୍ଷେପ କରିବାର ଆବଶ୍ୟକତା ନଥିବା ପୀଠ ଦର୍ଶାଇଛନ୍ତି। ଅପରପକ୍ଷରେ ଆବେଦନକାରୀ ଅଭିଯୋଗ କରିଛନ୍ତି ଯେ ପୀଠ ତାଙ୍କର ଯୁକ୍ତି ନଶୁଣି ଆବେଦନକୁ ଖାରଜ କରିଦେବା ଅସମିଚୀନ। ଆବେଦନକାରୀ ଦର୍ଶାଇଥିଲେ ଯେ ଜାନୁଆରୀ ୧୨ରେ ଜଷ୍ଟିସ ଗୋଗଇଙ୍କ ସହ ୪ଜଣ ବରିଷ୍ଠ ବିଚାରପତି ପ୍ରଧାନ ବିଚାରପତିଙ୍କ ବିରୋଧରେ ସାମ୍ବାଦିକ ସମ୍ମିଳନୀ ଡକାଇ ବିଚାର ବିଭାଗ ପ୍ରତି ଅନ୍ତର୍ଘାତୀ କାର୍ଯ୍ୟ କରିଥିଲେ। ଏହି ପରିପ୍ରେକ୍ଷୀରେ ପ୍ରଧାନ ବିଚାରପତି ଜଷ୍ଟିସ ମିଶ୍ର ଅଧ୍ୟକ୍ଷ ଥିବା ପୀଠ ତାଙ୍କ ଆବେଦନର ଶୁଣାଣି କରିବା ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଥିଲେ। ତା’ଛଡ଼ା ବିଚାର ବିଭାଗ ପ୍ରତି ଅନ୍ତର୍ଘାତୀ କାର୍ଯ୍ୟ କରିଥିବା ଅପରାଧରେ ଜଷ୍ଟିସ ଗୋଗଇଙ୍କୁ ପ୍ରଧାନ ବିଚାରପତି ଆସନରେ ଅଧିଷ୍ଠିତ କରାଯିବା ମଧ୍ୟ ଅସମିଚୀନ ବୋଲି ଲୁଥ୍ରା ଦର୍ଶାଇଥିଲେ। ତେବେ ପୀଠ ଏହି ପ୍ରସଙ୍ଗର ଗୁରୁତ୍ୱ ନଥିବା ଦର୍ଶାଇ ଆବେଦନକୁ ଖାରଜ କରିଦେଇଥିଲେ। ଉଲ୍ଲେଖଯୋଗ୍ୟ ଯେ ସେପ୍ଟେମ୍ବର ୩ରେ ଜଷ୍ଟିସ ଗୋଗଇଙ୍କ ନିଯୁକ୍ତିକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅନୁମୋଦନ ଦେଇଛନ୍ତି। ଆସ୍ତା ୩ତାରିଖରେ ସେ ଏହି ପଦ ପାଇଁ ଶପଥ ଗ୍ରହଣ କରିବେ।
Popular Categories



