ପ୍ରତି ଜିଲ୍ଲାରେ ଗୋଷ୍ଠୀ ବେତାର କେନ୍ଦ୍ର ଜରୁରୀ – ଅମିତ ଖାରେ

ନୂଆଦିଲ୍ଲୀ: ତଥ୍ୟ ଓ ପ୍ରସାରଣ ସଚିବ ଅମିତ ଖାରେ କହିଛନ୍ତି, ଦେଶର ପ୍ରତ୍ୟେକ ଜିଲ୍ଲାରେ ଅତି କମରେ ଗୋଟିଏ ଲେଖାଏଁ ଗୋଷ୍ଠୀ ବେତାର କେନ୍ଦ୍ର ରହିବା ଉଚିତ୍‍। ଏହାଦ୍ୱାରା ସ୍ଥାନୀୟ ଲୋକମାନଙ୍କୁ ବିଭିନ୍ନ ସାମାଜିକ ଓ ବିକାଶମୂଳକ କାର୍ଯ୍ୟ ବିଷୟରେ ସୂଚନା ମିଳିପାରିବ। ନୂଆଦିଲ୍ଲୀରେ ତିନିଦିନ ଧରି ଚାଲିବାକୁ ଥିବା ସପ୍ତମ ଜାତୀୟ ଗୋଷ୍ଠୀ ବେତାର ସମ୍ମିଳନୀରେ ଉଦବୋଧନ ଦେଇ ଖାରେ କହିଛନ୍ତି, ଗୋଷ୍ଠୀ ବେତାର କେନ୍ଦ୍ରଗୁଡ଼ିକ ଦ୍ୱାରା ସ୍ଥାନୀୟ ଆବଶ୍ୟକତା ମୁତାବକ ସେବା ଯୋଗାଇ ଦିଆଯାଉଛି ଓ ସେଗୁଡ଼ିକ ମାଧ୍ୟମରେ ଗ୍ରାମାଞ୍ଚଳରେ ବ୍ୟାପକ ପରିବର୍ତ୍ତନ ଅଣାଯାଇ ପାରିଛି।

ତଥ୍ୟ ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ସପ୍ତମ ଗୋଷ୍ଠୀ ବେତାର ସମ୍ମିଳନୀର ଆୟୋଜନ କରାଯାଇଛି। ଏହି ସମ୍ମିଳନୀରେ ଦେଶରେ ଥିବା ବିଭିନ୍ନ ବେତାର ସଂସ୍ଥାର ପ୍ରତିନିଧିମାନେ ଯୋଗ ଦେଇଛନ୍ତି। ସାମଗ୍ରିକ ବିକାଶ ଲକ୍ଷ୍ୟ ହାସଲ ଦିଗରେ ବ୍ୟାପକ ଜନ ସଚେତନତା ପାଇଁ ଥିବା ସମ୍ଭାବନାଗୁଡିକ ବିଷୟରେ ଏଥିରେ ଆଲୋଚନା କରାଯିବ। ବିଶେଷ ଭାବରେ ଏଥିରେ କେନ୍ଦ୍ର ସରକାରଙ୍କ ଜଳ ଶକ୍ତି ଅଭିଯାନ ସମ୍ପର୍କରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି।

Comments are closed.