ଚିପିଲିମା: ସମ୍ବଲପୁର ଜିଲା ଗୋଶାଳାରେ ଥିବା ରାଜ୍ୟ ପ୍ରାଣୀଧନ ପ୍ରଜନନ କେନ୍ଦ୍ରର ଯୁଗ୍ମ ନିର୍ଦେଶକ ହୃଦାନନ୍ଦ ଦାଶଙ୍କୁ କୋଭିଡ ଡ୍ୟୁଟିରେ ଅବହେଳା ଅଭିଯାଗରେ ନିଲମ୍ବନ କରାଯାଇଛି। ଡା.ଦାଶଙ୍କ ନିଜ ଘର ବାଲେଶ୍ୱର। ସେ ଏଠାରୁ ମାର୍ଚ୍ଚ ୧୮ରେ ବାଲେଶ୍ୱର ଯାଇଥିଲେ। ସେଠାରୁ ଫେରିବାକୁ ପ୍ରସ୍ତୁତ ହେଉଥିବା ବେଳେ ହଠାତ ଟ୍ରେନ ଓ ବସ ଚଳାଚଳ ବାତିଲ ଦେଇଯିବାରୁ ସେ ଫେରି ନ ପାରି ବାଲେଶ୍ୱରରେ ହିଁ ରହି ଯାଇଥିଲେ। କିନ୍ତୁ ଲକଡାଉନ ଆଂଶିକ କୋହଳ ହେବା ପରେ ସେ ଏପ୍ରିଲ ୧୯ ତାରିଖରେ କାର୍ଯ୍ୟକ୍ଷେତ୍ରକୁ ଫେରିଛନ୍ତି। ଏହା ଜଣା ପଡ଼ିବା ପରେ କଳାମାଟି ସରପଞ୍ଚ ଶ୍ରୀହରି ନାଗ ଓ ସ୍ଥାନୀୟ ପୁଲିସ ତାଙ୍କୁ ଭେଟି କ୍ୱାରେଣ୍ଟାଇନ ନିୟମ ପାଳନ କରିବାକୁ କହିଥିଲେ। ତାଙ୍କୁ ସ୍ୱାବ ଓ ରକ୍ତନମୁନା ପରୀକ୍ଷା ପାଇଁ ଦେବାକୁ କୁହା ଯାଇଥିଲା। କିନ୍ତୁ ଡା.ଦାଶ ସ୍ୱାବ ଓ ରକ୍ତ ନମୂନା ସଂଗ୍ରହ କରିବାକୁ ଦେଇ ନଥିଲେ ବୋଲି ସରପଞ୍ଚ ଶ୍ରୀ ନାଗ ଜିଲା ପ୍ରଶାସନ ପାଖରେ ଲିଖିତ ଅଭିଯୋଗ କରିଥିଲେ। ମତ୍ସ୍ୟ ଓ ପଶୁପାଳନ ବିଭାଗ କମିଶନରଙ୍କ ସ୍ୱାକ୍ଷରରେ ଆସିଥିବା ନିଲମ୍ବନ ଆଦେଶ ପତ୍ର ସ୍ୱତନ୍ତ୍ର ସମ୍ବଲପୁର ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସକଙ୍କ କାର୍ଯ୍ୟାଳୟ ଜରିଆରେ ଗୁରୁବାର ରାତି ୧୦ଟାରେ ତାଙ୍କୁ ହସ୍ତାନ୍ତର କରାଯାଇଛି। ଏ ସମ୍ପର୍କରେ ଯୁଗ୍ମ ନିର୍ଦେଶକ ଡା.ଦାଶଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ସେ ବାଲେଶ୍ୱରରେ ଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିର୍ଦେଶ ଅନୁସାରେ ଘରେ ଥାଇ ସବୁ ଦାୟିତ୍ୱ ସୁଚାରୁ ରୂପେ ତୁଲାଉଥିଲେ (ୱାର୍କ ଫ୍ରମ ହୋମ)। ଲକଡାଉନ କୋହଳ ହେଲା ପରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦେଶ ଅନୁସାରେ ହିଁ ଅତିରିକ୍ତ ଜିଲାପାଳଙ୍କ ଅନୁମତି ପତ୍ର ହାସଲ କରି ଗାଡ଼ି ଭଡ଼ା କରି ଏଠାକୁ ଆସିଛନ୍ତି। ଏଠାକୁ ଫେରିଲା ପରେ ଗୋଶାଳା ଫାଣ୍ଡି ଅଧିକାରୀ ଓ ମେଡିକାଲ ଟିମଙ୍କୁ ସେ ସବୁ ପ୍ରକାର ତଥ୍ୟ ସହଯୋଗ କରିିଥିଲେ। ଏହି ଜୋନ ଦାୟିତ୍ୱରେ ଥିବା ମେଡିକାଲ ଅଫିସରଙ୍କ ପରାମର୍ଶ ଅନୁସାରେ ସେ ନିଜ କାର୍ଯ୍ୟାଳୟ ପରିସରସ୍ଥ ସରକାରୀ ବାସଭବନରେ କୋଭିଡ ନିୟମ ଅନୁପାଳନ କରି ହୋମ କ୍ୱାରେଣ୍ଟାଇନରେ ରହୁଛନ୍ତି। କିନ୍ତୁ କୋଭିଡ ଡ୍ୟୁଟିରେ ଅବହେଳା ଦର୍ଶାଇ ତାଙ୍କୁ ନିଲମ୍ବନ କରାଯାଇଛି ବୋଲି ଡା.ଦାଶ କହିଛନ୍ତିି। ପ୍ରକାଶ ଯୋଗ୍ୟ ଯେ ଯୁଗ୍ମ ନିର୍ଦେଶକ ଡା. ଦାଶଙ୍କ ଚାକିରୀ କାଳ ଆଉ ମାତ୍ର ଦେଢ଼ ବର୍ଷ ଅଛି।
Popular Categories



