ପୁଅ ଜୁଁତିଆ ମାଧ୍ୟମରେ ପରିବେଶ ସୁରକ୍ଷା ବାର୍ତ୍ତା, ଗଛକୁ ବାନ୍ଧିଲେ ଜୁଁତିଆ

ସମ୍ବଲପୁର: ପଶ୍ଚିମ ଓଡିଶାର ଅନ୍ୟତମ ପ୍ରମୁଖ ପର୍ବ ପୁଅ ଜୁଁତିଆ ହୋଇଥିବା ବେଳେ ବିବାହିତା ମହିଳାମାନେ ନିଜ ନିଜ ସନ୍ତାନ ମାନଙ୍କ ଶୁଭ ଓ ଉନ୍ନତି ମନାସି ଏହା ପାଳନ କରିବାର ପରମ୍ପରା ରହିଛି। ତେବେ ସମ୍ବଲପୁର ଠାରେ ଚାରାରୋପଣ ସହିତ ପରିବେଶ ସୁରକ୍ଷା ବାର୍ତ୍ତା ନେଇ ସଚେତନତା ସୃଷ୍ଟି କରିବା ପାଇଁ ବୃକ୍ଷକୁ ପୁଅ ଭାବରେ ଗ୍ରହଣ କରି ଜୁଁତିଆ ଦିଆଯାଇ ଏହି ପରମ୍ପରା ପାଳନ ବହୁ ବର୍ଷ ହେବ କରାଯାଇ ଆସୁଛି। ସ୍ଥାନୀୟ ସମ୍ବଲପୁର ମହାନଗର ନିଗମ ଅର୍ନ୍ତଗତ ଲମ ଡୁଙ୍ଗରୀର ସୌରଭ ନଗର ଠାରେ ବୁଢ଼ାରଜା ବନ ସଂରକ୍ଷଣ ସମିତ ଓ ବନ ବିଭାଗର ସଦର ରେଞ୍ଜ କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ପୁଅ ଜୁଁତିଆ, ପରିବେଶ ସୁରକ୍ଷା ସଚେତନତା ସଭା, ଚାରାରୋପଣ ଏବଂ ଆଧ୍ୟାତ୍ମିକ ଜାଗରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ମୁଖ୍ୟ ଅତିଥି ରୂପେ ସମାଜସେବୀ କାର୍ତ୍ତିକ ବହିଦାର, ମୁଖ୍ୟବକ୍ତା ରୁପେ ଚିନ୍ମୟ ମିଶନର ବିଷ୍ଣୁପ୍ରିୟା ସରସ୍ୱତୀ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମହିଳାମାନେ ପାରମ୍ପରିକ ରିତିନିତିରେ ପୂଜାର୍ଚ୍ଚନା କରିବା ପରେ ଗଛମାନଙ୍କୁ ଜୁଁତିଆ ବାନ୍ଧି ଦୀର୍ଘ ଜୀବନ କାମନା କରିଥିଲେ। ମୁଖ୍ୟବକ୍ତା ବିଷ୍ଣୁପ୍ରିୟା ସରସ୍ୱତୀ ସତସଙ୍ଗ ଓ ଧର୍ମ ମାଗରେ ଜୀବନ ଯାପନ କରି ସୁସ୍ଥ ପରିବେଶ ଗଠନ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ପ୍ରକୃତିବନ୍ଧୁ ମେଘୁ ମୁଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବନପାଳ ଜିତା ଶତପଥି, ତ୍ରିବିକ୍ରମ ପୋଢ଼, ନାରାୟଣ ଚକ୍ରବର୍ତ୍ତୀ, ମୀନାକ୍ଷୀ ଲେଙ୍କା, ପାର୍ବତୀ ଧନୱାର, ଧିରେନ୍ଦ୍ର ଧନୁୱାର, ମ୍ରିଣାଲ ସୁନାରି, ସୋମ ଷଣ୍ଢ, ବାସନ୍ତୀ ପୋଢ଼, ପ୍ରେମଶିଳା ନାୟକ ପ୍ରମୁଖ ସକ୍ରିୟ ସହାୟତା କରିଥିଲେ।
Comments are closed.