ସମର୍ଥ କେଳେଙ୍କରୀ: ସମ୍ପାଦକଙ୍କୁ ରିମାଣ୍ଡରେ ନେଲା ପୁଲିସ

ସମ୍ବଲପୁର: ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ସମ୍ବଲପୁରର ସମର୍ଥ ଅନୁଷ୍ଠାନରେ ମାନସିକ ରୋଗୀଙ୍କୁ ଅମାନୁଷିକ ନିର୍ଯାତନା ଘଟଣାରେ ଗିରଫ ହୋଇଥିବା ସମ୍ପାଦକ ହରିଶ ଚନ୍ଦ୍ର ଦାସଙ୍କୁ ପୁଲିସ ସୋମବାର ରିମାଣ୍ଡରେ ଆଣିଛି। ଏ ସମ୍ପର୍କରେ ଅତିରିକ୍ତ ଜିଲା ପୁଲିସ ଆରକ୍ଷୀ ଅଧୀକ୍ଷକ ଅଜୟ ମିଶ୍ର କହିଛନ୍ତି ଯେ, ସମ୍ପାଦକ ହରିଶ ଦାସଙ୍କୁ ରିମାଣ୍ଡରେ ଆଣିବା ପାଇଁ ଗତ ୧ ତାରିଖରେ ଆବେଦନ କରାଯାଇଥିବା ବେଳେ ପୁଲିସକୁ ୨ ଦିନିଆ ରିମାଣ୍ଡ ଅନୁମତି ମିଳିଛି।ଏଣୁ ତାଙ୍କୁ ଆଜି ରିମାଣ୍ଡରେ ଅଣାଯାଇଛି । ରିମାଣ୍ଡ ସମୟରେ ତାଙ୍କର ଏହି ମାମଲାରେ କଣ ଭୂମିକା ରହିଛି, ମେଡିକାଲ ଯାଞ୍ଚ ଆଦି କରାଯାଇ ପ୍ରମାଣ ସଂଗ୍ରହ କରାଯିବ। ଏବେ କେବଳ ହରିଶ ଚନ୍ଦ୍ର ଦାସଙ୍କୁ ରିମାଣ୍ଡରେ ଅଣାଯାଇଥିବା ବେଳେ ଆଗାମୀ ଦିନରେ ତଦନ୍ତର ଅଗ୍ରଗତି ସମୟରେ ଯଦି ଅନ୍ୟ ଅଭିଯୁକ୍ତମାନଙ୍କର ଆବଶ୍ୟକତା ପଡେ, ତା’ହେଲେ ସେମାନଙ୍କୁ ମଧ୍ୟ ରିମାଣ୍ଡରେ ଅଣାଯିବ। ୬ ଜଣ ଅନ୍ତେବାସୀଙ୍କ ମୃତ୍ୟୁ ଘଟଣାରେ ମଧ୍ୟ ପଚରାଉଚରା କରାଯିବ। ଏହି ଘଟଣାକୁ ବିଭିନ୍ନ ଦିଗରୁ ତଦନ୍ତ କରାଯାଉଛି। ରିମାଣ୍ଡରେ ଆଣିବା ପରେ ତୁରନ୍ତ ଅଭିଯୁକ୍ତଙ୍କୁ ଡାକ୍ତରୀ ଯାଞ୍ଚ କରାଯାଇଛି। ତାଙ୍କ ବିରୋଧରେ ଯାହା ଅଭିଯୋଗ ପହଞ୍ଚିବ ସେଗୁଡିକ ସମ୍ପର୍କରେ ତଥ୍ୟ ସଂଗ୍ରହ କରି ତାହାର ଉପଯୁକ୍ତ ତଦନ୍ତ କରାଯିବ ବୋଲି ଅତିରିକ୍ତ ଏସପି ମିଶ୍ର କହିଛନ୍ତି।

ସୂଚନାଯୋଗ୍ୟ, ସମର୍ଥ ଘଟଣାରେ ଅନ୍ତେବାସୀଙ୍କୁ ଅମାନୁଷିକ ନିର୍ଯାତନା ଦେବା ଏବଂ ଅନ୍ତେବାସୀ ମହିଳାଙ୍କୁ ଦୁଷ୍କର୍ମ ଘଟଣାରେ ୨ଟି ମାମଲା ଧନୁପାଲି ଥାନାରେ ରୁଜୁ ହୋଇଛି। ଉଭୟ ମାମଲାରେ ପୁଲିସ କେନ୍ଦ୍ରର ସମ୍ପାଦକ ହରିଶ ଚନ୍ଦ୍ର ଦାସ, ପୁତ୍ର ସୁଭ୍ରଜିତ, ସହାୟିକା ସ୍ୱାଗତିକା ପ୍ରଧାନ ଓ କର୍ମଚାରୀ ଶୁଭମ ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। କୋର୍ଟ ଅଭିଯୁକ୍ତମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।

Comments are closed.