ସମ୍ବଲପୁର: ମା ସମଲେଶ୍ୱରୀଙ୍କ ଭୋଗ ମଣ୍ଡପକୁ ଜୈବିକ ପଦ୍ଧତିରେ ଉତ୍ପାଦିତ ଧାନରୁ ପ୍ରସ୍ତୁତ ଚାଉଳ ଯୋଗାଇ ଦେବା ପାଇଁ ବରଗଡ଼ ଜିଲାର ପଦ୍ମପୁର ଅଞ୍ଚଳର କୃଷକମାନେ ଏକ ପଦକ୍ଷେପ ନେଇଛନ୍ତି। ସମଲେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ବିମଳ ଫାର୍ମର୍ସ ପ୍ରଡୁସର ଅର୍ଗାନାଇଜେସନ୍, ମହୁଲପାଲି, ପଦମପୁର ଏବଂ ଗନ୍ଧମାର୍ଦ୍ଦନ ଫାର୍ମର୍ସ ପ୍ରଡୁସର ଅର୍ଗାନାଇଜେସନ୍, ଦାହିତା, ପଦମପୁରର କୃଷକ ପ୍ରତିନିଧିମାନେ ମା ସମଲେଇଙ୍କ ଦର୍ଶନ ସହ ମନ୍ଦିର ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ସଞ୍ଜୟ ବାବୁଙ୍କ ସହିତ ଏହି ବିଶେଷ ସହଯୋଗ
ବିଷୟରେ ସୋମବାର ଆଲୋଚନା କରିଛନ୍ତି।
ଏହି ଆଲୋଚନା ସମୟରେ କୃଷକମାନେ ମା ସମଲେଶ୍ୱରୀଙ୍କ ନିତ୍ୟ ଭୋଗ ତଥା ମନ୍ଦିରର ଭୋଗ ମଣ୍ଡପକୁ ଜୈବିକ ପ୍ରଣାଳୀରେ ଚାଷ
କରାଯାଉଥିବା ଧାନରୁ ପ୍ରସ୍ତୁତ ଚାଉଳ ଯୋଗାଇବାକୁ ଇଚ୍ଛା ପ୍ରକାଶ କରିଥିଲେ। କୃଷକ ବନ୍ଧୁ ମାନଙ୍କ ପକ୍ଷରୁ ଏହି ପଦକ୍ଷେପ ଭୋଗର ପବିତ୍ରତାକୁ ସୁରକ୍ଷିତ କରିବାରେ ସହାୟକ ହେବା ସହିତ ଚାଷୀମାନଙ୍କ ଜୈବିକ ଉତ୍ପାଦନକୁ ବଜାରରେ ସ୍ଥାନ ଦେବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନେବ ଏବଂ ଭକ୍ତ ମାନଙ୍କୁ ପ୍ରସାଦ ସେବନରେ ଏକ ଦିବ୍ୟ ଅନୁଭୂତି ପ୍ରଦାନ କରିବ । ଏହି ପ୍ରୟାସରେ ଚାଷୀମାନଙ୍କ ପକ୍ଷରୁ ଅଶୋକ କୁମାର ସାହୁ, ହୃଦାନନ୍ଦ ନାୟକ, ସୁରେଶ ଚାନ୍ଦ, ମଲୟ ଭୋଇ, କୁଳମଣି ବାରିକ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ । ଚାଷୀ ନେତା ସରୋଜ ମହାନ୍ତି ଓ ସମାଜସେବୀ ପ୍ରିତମ ମେହେର ସମ୍ପୂର୍ଣ୍ଣ କାର୍ଯ୍ୟର ସମନ୍ୱୟ କରିଥିଲେ।



