ଚଳିତ ବର୍ଷ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପ୍ରଚାରରେ ଅତୀତ ପ୍ରସଙ୍ଗ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହୋଇଛି। ବିଭିନ୍ନି ଐତିହାସିକ ପ୍ରସଙ୍ଗର ଉତ୍ଥାପନ ବୁଦ୍ଧିଜୀବୀ ଓ ଇତିହାସକାରଙ୍କ ନିମନ୍ତେ ତର୍ଜମା ପାଇଁ ଯେତିକି ଖୋରାକ ଯୋଗାଇଛି, ତା’ଠାରୁ ଅଧିକ ସୁଯୋଗ ଆକ୍ଷେପ ପ୍ରତିଆକ୍ଷେପ ପାଇଁ ରାଜନୈତିକ ଦଳଗୁଡ଼ିକ ନିମନ୍ତେ ସୃଷ୍ଟି କରିଛି। ଗୋଆରେ ଚଳିତ ଥର ବିଧାନସଭା ନିର୍ବାଚନ ସଂପନ୍ନ ହୋଇସାରିଛି। ଗୋଆର ମୁକ୍ତି ବିଳମ୍ବ ପାଇଁ ଏହି ଅବସରରେ ନେହେରୁଙ୍କୁ ଦାୟୀ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହାର ଜବାବ ଦେଇ ବରିଷ୍ଠ ଆଇନଜୀବୀ ତଥା କଂଗ୍ରେସ ନେତା ପି.ଚିଦମ୍ବରମ୍ କହିଥିଲେ ଯେ, ଦ୍ୱିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ବିଶ୍ୱ ଓ ଭାରତର ସ୍ୱାଧୀନତା ପରବର୍ତ୍ତୀ ଇତିହାସ ସଂପର୍କରେ ପ୍ରଧାନମନ୍ତ୍ରୀଙ୍କ ଧାରଣା ନାହିଁ। ଉତ୍ତରପ୍ରଦେଶ ନିର୍ବାଚନ ପାଇଁ ରାଜ୍ୟର ବରିଷ୍ଠ ଚାଷୀ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କ ନୀତି ଆଦର୍ଶକୁ ନେଇ ରାଜନୈତିକ ଦଳ ମଧ୍ୟରେ ବୟାନବାଜି ହେଉଥିବା ଦେଖାଯାଇଛି। ନିକଟରେ ପରଲୋକଗତ ସୁରସମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ପରିବାର ଇତିହାସ କଥା ମଧ୍ୟ ଚଳିତ ନିର୍ବାଚନ ସମୟରେ ଉଠିଛି। ଦେଶର ବାହ୍ୟ ନିରାପତ୍ତା ନେଇ ସାଂପ୍ରତିକ ସ୍ଥିତି ପରିବର୍ତ୍ତେ ଦୀର୍ଘ ଅତୀତ ବିଷୟ ନିର୍ବାଚନ ପ୍ରଚାରରେ ଆଲୋଚନା କରାଯାଉଛି। ଇତିହାସ ଏକ ସୈଦ୍ଧାନ୍ତିକ ବିଷୟ। ଅତୀତ ଘଟଣାବଳୀ କିଛି ଲିପିବଦ୍ଧ ହୋଇଛି, ଆଉ ହୁଏ ତ କିଛି ଲିପିବଦ୍ଧ ହୋଇ ପାରିନଥାଏ। ତେବେ ନିର୍ବାଚନ ପ୍ରଚାରରେ ଏ ସମସ୍ତ ବିଷୟର ଆଲୋଚନା ବା ତର୍ଜମା କିଛି ମାନେ ରଖେ ନାହିଁ। ନିର୍ବାଚନ ପ୍ରଚାର ସମୟରେ ନିଜକୁ ସୁହାଇଲା ପରି ଐତିହାସିକ ବିବରଣୀ ଉପସ୍ଥାପିତ କରାଯାଉଥିବା ପରିଲକ୍ଷିତ ହେଉଛି।
୧୯୭୧ ମସିହାରେ ପାକିସ୍ତାନରୁ ମୁକ୍ତ ହୋଇ ବାଂଲାଦେଶ ସ୍ୱାଧୀନ ରାଷ୍ଟ୍ର ଭାବେ ଆତ୍ମପ୍ରକାଶ କଲା। ଏଥିରେ ଭାରତର ଭୂମିକା ଥିଲା ବେଶ୍ ଗୁରୁତ୍ୱପୂର୍ଣ୍ଣ। ଏହି ଯୁଦ୍ଧର ସଫଳତାକୁ ଭାରତ ଓ ବାଂଲାଦେଶ ମୁକ୍ତି ସଂଗ୍ରାମ ଭାବେ ପାଳନ କରିଥାନ୍ତି। ଦେଶ ଗଠନର ସୁବର୍ଣ୍ଣ ଜୟନ୍ତୀ ଚଳିତ ବର୍ଷ ବାଂଲାଦେଶ ପାଳନ କରିଛି। ଏହି ଅବସରରେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ବାଂଲାଦେଶରେ ଉପସ୍ଥିତ ରହି ଉତ୍ସବ ପାଳନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଭାରତରେ ମଧ୍ୟ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ୧୯୭୧ ମୁକ୍ତି ସଂଗ୍ରାମ ପାଇଁ ଦେଶ ନିଜର ସାମର୍ଥ୍ୟ ପ୍ରକାଶ କରୁଥିବାବେଳେ ଏହି ବିଜୟରେ ଯେଉଁ ରାଜନୈତିକ ଦଳ ଓ ନେତୃତ୍ୱ ପ୍ରଚଣ୍ଡ ସାହସ ପ୍ରଦର୍ଶନ କରିଥିଲେ ତାହାକୁ ଭୁଲିଯାଇ ହେବ ନାହିଁ। ବର୍ତ୍ତମାନର କ୍ଷମତାସୀନ ରାଜନୈତିକ ନେତୃବୃନ୍ଦ ଅତୀତର ତ୍ରୁଟି ବିଷୟ ଉତ୍ଥାପନ କରୁଥିବାବେଳେ ତତ୍କାଳୀନ ରାଜନୈତିକ ନେତୃତ୍ୱକୁ ଦାୟୀ କରୁଛନ୍ତି; କିନ୍ତୁ ଅତୀତର ସଫଳତା ବିଷୟ କହିବା ସମୟରେ ଏହାକୁ ସଂପୂର୍ଣ୍ଣ ଉପେକ୍ଷା କରିଯାଉଛନ୍ତି ବା ସ୍ମରଣ କରିପାରୁ ନାହାନ୍ତି। ଏହାଦ୍ୱାରା ରାଷ୍ଟ୍ରର ସାମଗ୍ରିକ ଛବି ମଳିନ ହେଉଛି। ୧୯୭୧ ସଫଳତାର ଶ୍ରେୟ ନିଶ୍ଚିତ ଭାବେ ଇନ୍ଦିରା ଗାନ୍ଧୀଙ୍କ ନିକଟକୁ ଯିବ। ଦେଶ ଆଜି ଉଦାରୀକରଣର ଯେତିକି ସୁଫଳ ପାଇପାରିଛି, ତା’ର ଶ୍ରେୟ ନିଶ୍ଚିତ ଭାବେ ପ୍ରଧାନମନ୍ତ୍ରୀ ପି.ଭି. ନରସିଂହ ରାଓ ଓ ତାଙ୍କ ଅର୍ଥମନ୍ତ୍ରୀ ତଥା ପରବର୍ତ୍ତୀ ସମୟରେ ପ୍ରଧାନମନ୍ତ୍ରୀ ହୋଇଥିବା ମନମୋହନ ସିଂହଙ୍କ ନିକଟକୁ ଯିବ। ଉଦାରୀକରଣ ଅର୍ଥନୀତିକୁ ନେଇ ଅର୍ଥମନ୍ତ୍ରୀ ମନମୋହନ ସିଂହ ୧୯୯୧ ମସିହାରେ ପ୍ରଥମ ବଜେଟ ଉପସ୍ଥାପିତ କରିବା ସମୟରେ ବାମପନ୍ଥୀ ଓ ସମାଜବାଦୀ ଦଳଗୁଡ଼ିକ ଏହାର ତୀବ୍ର ବିରୋଧ କରିଥିଲେ। ଏହି ସମୟରେ ବିରୋଧୀ ଦଳ ନେତା ଭାବେ ଭାରତୀୟ ଜନତା ପାର୍ଟିର ଏଲ.କେ.ଆଡ଼ୱାଣୀ ଆସନରେ ଛିଡ଼ା ହୋଇ ବଜେଟ ଅଭିଭାଷଣ ଜାରି ରଖିବା ପାଇଁ ଅର୍ଥମନ୍ତ୍ରୀଙ୍କୁ ସୁଯୋଗ ଦେବାକୁ ବାଚସ୍ପତିଙ୍କୁ କହିଥିଲେ। ଏହା ପରେ ଗୃହ ନୀରବ ହୋଇଥିଲା। ଅର୍ଥମନ୍ତ୍ରୀଙ୍କ ଏହି ବଜେଟ ବେଳକୁ ଦେଶର ଅର୍ଥନୀତି ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ରହିଥିଲା। ମୁଦ୍ରାସ୍ଫୀତି ଦୁଇ ଅଙ୍କରେ ଥିଲା। ବୈଦେଶିକ ମୁଦ୍ରା ଭଣ୍ଡାର ପ୍ରାୟତଃ ଶୂନ୍ୟ ଥିଲା। ସଂପ୍ରତି ଦେଶ ଯେଉଁ ଆର୍ଥିକ ଚିତ୍ର ଉପସ୍ଥାପନ କରୁଛି ସେଥିପାଇଁ ନରସିଂହ ରାଓ ଓ ମନମୋହନ ସିଂହଙ୍କ ଅବଦାନକୁ ଉପେକ୍ଷା କରାଯାଇପାରିବ ନାହିଁ।
ଅତୀତର ସଫଳତା ଆମ ପାଇଁ ସଂପଦ। ଅତୀତରେ ଯେ ତ୍ରୁଟିବିଚ୍ୟୁତି ନଥିଲା ତାହା ମନା କରାଯାଇପାରିବ ନାହିଁ। ଅତୀତର ବିଫଳତା ଆମର ପରବର୍ତ୍ତୀ ସଫଳତା ନିମନ୍ତେ ଏକ ମାର୍ଗଦର୍ଶିକା ଭାବେ କାର୍ଯ୍ୟ କରିଥାଏ। ଅତୀତର ତ୍ରୁଟି ବଖାଣିଲେ ବର୍ତ୍ତମାନର ସମସ୍ୟା ଯେ ସମାଧାନ ହୋଇଯିବ ତାହା ଭାବିବା ଭୁଲ। ଖାଦ୍ୟଶସ୍ୟରେ ଭାରତ ଆଜି ଆତ୍ମନିର୍ଭରଶୀଳ ହୋଇପାରିଛି। ଇନ୍ଦିରା ଗାନ୍ଧୀ ଯଦି ସବୁଜ ବିପ୍ଲବ ଆରମ୍ଭ କରିନଥାନ୍ତେ ତା’େହଲେ ଦେଶ ଆଜି ଖାଦ୍ୟଶସ୍ୟ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହୋଇପାରି ନଥାନ୍ତା। ତେବେ କେତେକ ଶସ୍ୟ ଉତ୍ପାଦନରେ ଦେଶ ଅଦ୍ୟାବଧି ସଫଳତା ଲାଭ କରିପାରି ନାହିଁ। ଏଥିପାଇଁଁ ଇନ୍ଦିରାଙ୍କୁ ଦାୟୀ କରାଯିବା ଯୁକ୍ତିଯୁକ୍ତ ବୋଲି ମନେ ହୁଏ ନାହିଁ। ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ମାନସ ଯୋଜନା ଭାବେ ପରିଗଣିତ ଗ୍ରାମ୍ୟ ସଡ଼କ ଓ ସ୍ୱର୍ଣ୍ଣ ଚତୁର୍ଭୁଜ ପ୍ରକଳ୍ପକୁ ଭାରତବାସୀ ଚିରକାଳ ମନେ ରଖିବେ। ଏହି ଯୋଜନାଟି ବିଭିନ୍ନ ରୂପରେ ଏବେ ଦେଶରେ ଜାରି ରହିଛି। ଏହି ପ୍ରକଳ୍ପ ଯୋଗୁଁ ସମଗ୍ର ଦେଶରେ ଯୋଗାଯୋଗ ବେଶ୍ ସହଜ ହୋଇପାରିଛି ଏବଂ ଅର୍ଥନୀତିର ଅଭିବୃଦ୍ଧି ଯୋଜନା ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛି। ଏହା ଏକ ଚମତ୍କାରୀ ଯୋଜନା। ଅତୀତକୁ ସର୍ବଦା ଭୁଲ ଓ ତ୍ରୁଟିଯୁକ୍ତ ବୋଲି ପ୍ରମାଣିତ କଲେ ବର୍ତ୍ତମାନ ଯେ ତ୍ରୁଟିଶୂନ୍ୟ ହୋଇଯିବ ତାହା ଭାବିବା ଭୁଲ। ଜାମ୍ମୁ-କାଶ୍ମୀରରୁ ସ୍ୱତନ୍ତ୍ର ମାନ୍ୟତା ପ୍ରତ୍ୟାହାର କରି ନିଆଗଲା। ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। କୁହାଗଲା ଏହାଦ୍ୱାରା କିନ୍ତୁ ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ହ୍ରାସ ପାଇବ। ଦେଶରେ ବିମୁଦ୍ରାୟନ କରାଯିବା ସମୟରେ କଳାଟଙ୍କା ହ୍ରାସ ପାଇ ଆତଙ୍କବାଦୀ କାର୍ଯ୍ୟକଳାପ ହ୍ରାସ ପାଇବ ବୋଲି କୁହାଗଲା; କିନ୍ତୁ ଦେଖାଯାଉଛି କୌଣସିଟି ଠିକ୍ ହେଲା ନାହିଁ। ପୂର୍ବରୁ ମଧ୍ୟ ରାଜ୍ୟରେ ଯେଉଁଭଳି ଆତଙ୍କବାଦୀ କାର୍ଯ୍ୟ ଜାରି ଥିଲା ଏବେ ବି ସେପରି ଜାରି ରହିଛି। ଜାମ୍ମୁ-କାଶ୍ମୀରରେ ଅତୀତର ହିଂସା ପାଇଁ ଯଦି ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ଦାୟୀ କରାଯିବ ତା’ହେଲେ ବର୍ତ୍ତମାନର ହିଂସା ପାଇଁ ଆଗାମୀ ଦୁଇ ଦଶନ୍ଧି ପରେ କାହାକୁ ଦାୟୀ କରାଯିବ? ଡ଼୍ରୋନ ଆକ୍ରମଣ କିପରି ହୁଏ ତାହା କାଶ୍ମୀରରେ ପ୍ରଥମ ଥର ପାଇଁ ଦେଶବାସୀ ୨୦୨୧ ମସିହାରେ ଦେଖିଲେ।
ଉତ୍ତରାଞ୍ଚଳର ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ‘ଚାର୍ ଧାମ’। ଗଙ୍ଗୋତ୍ରୀ, ଯମୁନେତ୍ରୀ, କେଦାରନାଥ, ବଦ୍ରିନାଥକୁ ନେଇ ଗଠିତ ଏହି ଚାରି ଧାମ। ଉଭୟ ପରିବେଶ ପର୍ଯ୍ୟଟନ ଓ ଧାର୍ମିକ ଦୃଷ୍ଟିରୁ ଏହି ଧାମ ଗୁରୁତ୍ୱପୂର୍ଣ୍ଣ। ‘ଚାର୍ ଧାମ’ ନାମକୁ ନେଇ ବିକଶିତ କରାଯାଉଛି ଏକ ସଡ଼କ ପ୍ରକଳ୍ପ। ଦେଶର ନିରାପତ୍ତା ପାଇଁ ଏହି ସଡ଼କ ନିର୍ମାଣ ଜରୁରୀ ବୋଲି କେନ୍ଦ୍ର ସରକାର ସର୍ବୋଚ୍ଚ ନ୍ୟାୟାଳୟରେ ସତ୍ୟପାଠ ଦାଖଲ କରିଛନ୍ତି। ଏହି ସତ୍ୟପାଠକୁ ବିଚାରକୁୁ ନେଇ ସଡ଼କ ନିର୍ମାଣ ପାଇଁ ଆଗେଇବା ନିମନ୍ତେ ନ୍ୟାୟାଳୟ ସରକାରଙ୍କୁ ଅନୁମତି ଦେଇଛନ୍ତି। ତେଣେ ଉତ୍ତରାଖଣ୍ଡରେ ଶାସକ ଦଳର ରାଜନୈତିକ ନେତୃବୃନ୍ଦ ଉତ୍ତରାଖଣ୍ଡ ବିକାଶ ଉଦ୍ଦେଶ୍ୟରେ ଏହି ସଡ଼କ ନିର୍ମାଣ କରାଯାଉଥିବା କହିଛନ୍ତି। ଏ ଦୁଇଟି ଘଟଣାରୁ ଯାହା ଜଣାପଡ଼ୁଛି, ଏହି ସଡ଼କ ପ୍ରକଳ୍ପରୁ ସରକାର ରାଜନୈତିକ ଫାଇଦା ନେବା ପାଇଁ ଉଦ୍ୟମ କରୁଥିବା ମନେହୁଏ। ଦୀର୍ଘ ଦିନ ହେଲା ଏହି ସଡ଼କ ନିର୍ମାଣକୁ ପରିବେଶବିତ୍ମାନେ ବିରୋଧ କରିଆସୁଛନ୍ତି।
ଅତୀତ ଦେଶ ପାଇଁ ବେଶ୍ ମହତ୍ତ୍ୱପୂର୍ଣ୍ଣ। ଅତୀତକୁ ନେଇ ଆମେ ଗର୍ବ କରିଥାଉ। ‘ତୋ ପୂର୍ବ ପୁରୁଷ ଜୟ କରିଥିଲେ ଗଙ୍ଗାଠାରୁ ଗୋଦାବରୀ’ ଉକ୍ତିଟି ଆମକୁ ରୋମାଞ୍ଚିତ କରିଥାଏ। ଆମକୁ ପ୍ରେରଣା ଦେଇଥାଏ। ମନରେ ଗର୍ବ ଆଣି ଦେଇଥାଏ। ଏହି ପରିପ୍ରେକ୍ଷୀରେ ପୂର୍ବପୁରୁଷଙ୍କ ସ୍ମୃତି ପରିବର୍ତ୍ତନ ବା ନିଶ୍ଚିହ୍ନ କରିବା ରାଷ୍ଟ୍ର ବା ଜାତି ପାଇଁ ଏକ ଆତ୍ମଘାତୀ କାର୍ଯ୍ୟ ଭଳି ମନେହୁଏ। ୧୯୭୧ ମସିହାର ଯୁଦ୍ଧ ସ୍ମାରକ ଅମର ଯବାନ ଜ୍ୟୋତିକୁ ନିର୍ବାପିତ କରିଦିଆଗଲା; ଅର୍ଥାତ୍ ୧୯୭୧ ମସିହାର ଭାରତୀୟ ଗର୍ବକୁ ନିର୍ବାପିତ କରାଗଲା। ୧୯୭୧ ମସିହାର ମୁକ୍ତିଯୁଦ୍ଧ ଭାରତ ପାଇଁ ଯେଉଁ ଗର୍ବ ସୃଷ୍ଟି କରିଥିଲା ଅନ୍ୟ କୌଣସି ଯୁଦ୍ଧ ସେତେଟା ଗର୍ବ ଆଣିନଥାଏ। ଏହାକୁ ନିର୍ବାପିତ କରିବାର କୌଣସି ଆବଶ୍ୟକତା ନଥିଲା। ନବନିର୍ମିତ ଯୁଦ୍ଧ ସ୍ମାରକ ସହ ଏହାର ମିଶ୍ରଣ କରାନଯାଇ ଅମର ଯବାନ ଜ୍ୟୋତିକୁ ସ୍ୱତନ୍ତ୍ର ରଖାଯାଇ ପାରିଥାନ୍ତା।
ନିର୍ବାଚନ ଏକ ୫ ବର୍ଷିଆ କାର୍ଯ୍ୟକ୍ରମ। ପ୍ରତି ୫ ବର୍ଷରେ ଥରେ ନିର୍ବାଚନ ହୋଇଥାଏ ଏବଂ ନୂଆ ସରକାର ଗଠନ ହୋଇଥାଏ। ଶାସକ ଦଳ ପୁନର୍ବାର ନିର୍ବାଚିତ ହୋଇଥାନ୍ତି ବା କ୍ଷମତା ହରାଇଥାନ୍ତି। ଅର୍ଥାତ୍ କହିବାକୁ ଗଲେ ଏହା ୫ ବର୍ଷର ହିସାବକିତାବର ସମୟ, ଦୀର୍ଘ ଇତିହାସ ଆକଳନର ସମୟ ନୁହେଁ। ଶାସକ ଦଳ ହାତକୁ ନେଇଥିବା ବିକାଶମୂଳକ କାର୍ଯ୍ୟର ବିବରଣୀ ଜନତାଙ୍କ ସମ୍ମୁଖରେ ଉପସ୍ଥାପିତ କରିବା ସହ ଆଗାମୀ ୫ ବର୍ଷର ନକ୍ସା ଜନତାଙ୍କ ସମ୍ମୁଖରେ ଉପସ୍ଥାପନ କରିବା ଆବଶ୍ୟକ। ସେହିପରି ବିରୋଧୀ ଦଳ ୫ ବର୍ଷର ତ୍ରୁଟିବିଚ୍ୟୁତି ଜନସମ୍ମୁଖକୁ ଆଣିବା ସହ ନିଜର ପରବର୍ତ୍ତୀ ଯୋଜନା ଜନତାଙ୍କୁ ଜଣାଇବା ଆବଶ୍ୟକ। ଏହି ଭିତ୍ତିରେ ଜନସାଧାରଣ ବିବେକାନୁମୋଦିତ ଭୋଟ ପାଇଁ ନିଷ୍ପତ୍ତି ନେଇଥାନ୍ତି। ଏଣୁ ନିର୍ବାଚନ ପ୍ରଚାରରେ ଦୀର୍ଘ ଅତୀତକୁ ପ୍ରସଙ୍ଗ ନକରି ବିଗତ ୫ ବର୍ଷ ଓ ଆଗାମୀ ୫ ବର୍ଷର କାର୍ଯ୍ୟକ୍ରମ ଉପରେ ଅଧିକ ଗୁରୁତ୍ୱ ଦିଆଗଲେ ଭୋଟରଙ୍କ ମନରେ ଅଧିକ ସଚେତନତା ସୃଷ୍ଟି ହୋଇପାରନ୍ତା।
ସୌଭାଗ୍ୟ ସୁନ୍ଦରରାୟ
କଟକ
ଦୂରଭାଷ: ୯୪୩୭୨୨

