www.samajalive.in
Wednesday, December 10, 2025
16.1 C
Bhubaneswar

ସମ୍ପାଦକୀୟ : ପୁନଶ୍ଚ ଟ୍ରମ୍ପ

ପ୍ରଥମେ ଦୃଷ୍ଟିକୋଣ ବଦଳୁ

ଆମେରିକାର ରାଜଧାନୀ ୱାଶିଂଟନ ଡିସିରେ ଘଟିଥିବା ଏକ ଅଚିନ୍ତନୀୟ ଗୁଳିକାଣ୍ଡ ଘଟଣା ସମଗ୍ର ବିଶ୍ୱକୁ ଚକିତ କରିଛି। ହ୍ୱାଇଟ୍ ହାଉସ୍ ଠାରୁ ମାତ୍ର କିଛି ଦୂରରେ ଜଣେ ଆଫଗାନିସ୍ତାନ ନାଗରିକ, ଦୁଇ ଜଣ ନ୍ୟାସନାଲ ଗାର୍ଡଙ୍କ ଉପରେ ଅତର୍କିତ ଆକ୍ରମଣ କରିଛନ୍ତି, ଯେଉଁଥିରେ ଜଣଙ୍କର ମୃତ୍ୟୁ ଏବଂ ଅନ୍ୟ ଜଣେ ଆହତ ହୋଇଛନ୍ତି। ଏହି ଘଟଣା ନିଶ୍ଚିତ ଭାବରେ ନିନ୍ଦନୀୟ; କିନ୍ତୁ ଏହି ସମ୍ବେଦନଶୀଳ ଘଟଣା ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯେଉଁଭଳି ପ୍ରତିକ୍ରିୟା ରଖିଛନ୍ତି ତାହା ପରିସ୍ଥିତିକୁ ଅଧିକ ଜଟିଳ କରିଦେଇଛି। ତଦନ୍ତ ସରିବା ପୂର୍ବରୁ ଟ୍ରମ୍ପ ଏହାକୁ ଏକ ‘ଆତଙ୍କବାଦୀ ଆକ୍ରମଣ’ ବୋଲି ଘୋଷଣା କରିବା ସହ ଆଫଗାନିସ୍ତାନକୁ ‘ନର୍କ’ ସହ ତୁଳନା କରିଛନ୍ତି। ସେ ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଶରଣାର୍ଥୀ ନୀତିକୁ ସମାଲୋଚନା କରି କହିଛନ୍ତି ଯେ, ବିନା ଯାଞ୍ଚରେ ହଜାର ହଜାର ଆଫଗାନଙ୍କୁ ଆମେରିକା ଅଣାଯାଇଛି; କିନ୍ତୁ ବାସ୍ତବତା ହେଉଛି, ଯେଉଁ ଆଫଗାନ ନାଗରିକ ଆମେରିକା ସୈନ୍ୟଙ୍କୁ ସାହାଯ୍ୟ କରୁଥିଲେ, ସେମାନଙ୍କ ଜୀବନ ପ୍ରତି ବିପଦ ଥିବାରୁ ବାଇଡେନ୍ ସରକାର ସେମାନଙ୍କୁ ଆଶ୍ରୟ ଦେଇଥିଲେ। ଏଥିପାଇଁ କଡ଼ା ସୁରକ୍ଷା ଯାଞ୍ଚ ମଧ୍ୟ ହୋଇଥିଲା।
ଜଣେ ବ୍ୟକ୍ତିର ଅପରାଧ ପାଇଁ ହଜାର ହଜାର ନିରୀହ ଆଫଗାନ ଶରଣାର୍ଥୀଙ୍କୁ ଦୋଷୀ ସାବ୍ୟସ୍ତ କରିବା ବା ସେମାନଙ୍କୁ ଦେଶରୁ ବିଦା କରିବାର ଧମକ ଦେବା ନୈତିକତା ବିରୋଧୀ। କେବଳ ସେତିକି ନୁହେଁ; ଏହି ଘଟଣାକୁ ସେ ‘ତୃତୀୟ ବିଶ୍ୱ’ ବା ବିକାଶଶୀଳ ଦେଶର ସମସ୍ୟା ବୋଲି ଅଭିହିତ କରିବା ସହ ଏସିଆ, ଆଫ୍ରିକା ଏବଂ ଲାଟିନ୍ ଆମେରିକାର ଗରିବ ଦେଶରୁ ଆମେରିକାକୁ ଲୋକ ଆସିବା ଉପରେ ‘ସ୍ଥାୟୀ କଟକଣା’ ଲଗାଇବାକୁ କହିଛନ୍ତି। ଟ୍ରମ୍ପଙ୍କ ଏହି ନୂଆ ଘୋଷଣା ପ୍ରବାସୀମାନଙ୍କ ପାଇଁ ଏକ ବଡ଼ ସଙ୍କଟ ସୃଷ୍ଟି କରିଛି। ସେ ସ୍ପଷ୍ଟ କରିଛନ୍ତି ଯେ, ବିଶେଷ କରି ବାଇଡେନ୍ ସରକାରଙ୍କ ସମୟରେ ଯେଉଁ ଲୋକମାନେ ଆମେରିକା ଆସିଥିଲେ, ସେମାନଙ୍କ ଭିସା, ଗ୍ରୀନକାର୍ଡ ଏବଂ ଅନ୍ୟାନ୍ୟ କାଗଜପତ୍ରର ପୁନଃ ସମୀକ୍ଷା କରାଯିବ। ଆବଶ୍ୟକ ପଡ଼ିଲେ ସେମାନଙ୍କୁ ଦେଶରୁ ବାହାର କରିଦିଆଯିବ। କେବଳ ସେତିକି ନୁହେଁ; ଆମେରିକାରେ ରହୁଥିବା ଅଣ-ନାଗରିକମାନଙ୍କୁ ମିଳୁଥିବା ସରକାରୀ ସୁବିଧା ଏବଂ ଆର୍ଥିକ ସହାୟତା ବନ୍ଦ କରିବାକୁ ମଧ୍ୟ ସେ ଧମକ ଦେଇଛନ୍ତି।
ଟ୍ରମ୍ପ ପ୍ରବାସୀମାନଙ୍କୁ ନିୟମ ଅନୁଯାୟୀ ଯାଞ୍ଚ ହୋଇ ଆସିଥିବା ବ୍ୟକ୍ତି ଭାବେ ଦେଖିବା ବଦଳରେ, ସେମାନଙ୍କୁ ଦେଶର ସୁରକ୍ଷା ଏବଂ ଅର୍ଥନୀତି ପାଇଁ ଏକ ‘ବୋଝ’ ବୋଲି ଚିତ୍ରଣ କରୁଛନ୍ତି। ଟ୍ରମ୍ପଙ୍କ ଏହି ନୀତି ମାନବିକତା ବିରୋଧୀ। ଟ୍ରମ୍ପ ଜାଣିବା ଉଚିତ କେବଳ ଆମେରିକା ନୁହେଁ; ଭାରତ ଭଳି ଦେଶ ମଧ୍ୟ ବହୁ ବର୍ଷ ଧରି ତିବ୍ବତ, ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନର ଶରଣାର୍ଥୀଙ୍କୁ ଆଶ୍ରୟ ଦେଇଆସିଛି। ତେବେ ଭାରତ ପକ୍ଷରୁ ଏଭଳି ଅମାନବୀୟ ଆଚରଣ କେବେ କରାଯାଇ ନାହିଁ। ୱାଶିଂଟନ ଗୁଳିକାଣ୍ଡର ଉପଯୁକ୍ତ ତଦନ୍ତ ହେବା ଆବଶ୍ୟକ; କିନ୍ତୁ ଗୋଟିଏ ଦୁଃଖଦ ଘଟଣାକୁ ଆଳ କରି ମାନବିକ ମୂଲ୍ୟବୋଧକୁ ଜଳାଞ୍ଜଳି ଦେବା ଉଚିତ ନୁହେଁ। ଏକ ମହାନ ଶକ୍ତିଶାଳୀ ରାଷ୍ଟ୍ର କେବଳ ନିଜର ସୀମା ସୁରକ୍ଷା କରେନାହିଁ, ବରଂ କଠିନ ପରିସ୍ଥିତିରେ ମଧ୍ୟ ନିଜର ମୂଲ୍ୟବୋଧ ଓ ଉଦାରତା ବଜାୟ ରଖିଥାଏ। ଭୟ ଦ୍ୱାରା ପରିଚାଳିତ ନହୋଇ ମାନବିକତା ଦ୍ୱାରା ପରିଚାଳିତ ହେବା ହିଁ ପ୍ରକୃତ ନେତୃତ୍ୱର ପରିଚୟ।

Hot this week

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

Related Articles

Popular Categories