ରଜ ପାଇଁ ସଜ ସାଧବବୋହୁ

ପିପିଲି: ଗ୍ରୀଷ୍ମ ସ୍ନାତ ଧରାର ରୁକ୍ଷତା ଏବଂ ରୌଦ୍ରତାକୁ ହ୍ରାସ କରିଥାଏ ମୌସୁମୀର ପ୍ରଥମ ସ୍ପର୍ଶ। ପୃଥିବୀ ହୋଇଥାଏ ରଜସ୍ୱଳା। ବର୍ଷାର ପ୍ରଥମ ସ୍ପର୍ଶର ସୁଗନ୍ଧରେ ତଥା ଜ୍ୟେଷ୍ଠମାସର ଶେଷଦିନ ଓ ଆଷାଢ ମାସର ପ୍ରଥମ ଦୁଇଦିନକୁ ନେଇ ପାଳନ କରାଯାଇଥାଏ ଓଡିଶାର ଗଣପର୍ବ ରଜ। ପୁରପଲ୍ଲୀରେ ଆବାଳ ବୃଦ୍ଧ ବନିତାଙ୍କୁ ଏହା ପୁଲକିତ କରିଥାଏ। ନିରସ ଜୀବନକୁ ସରସ କରିଥାଏ ରଜପର୍ବ। ଦୋଳି, ପିଠା, ପାନ ସହ ଆଦ୍ୟ ଆଷାଢରେ ଉଲ୍ଲସିତ ହୋଇଥାଆନ୍ତି କୁଆଁରୀ କନ୍ୟା ଓ ନୂଆ ବୋହୁମାନେ।

ମନରେ ଥାଏ ଦୋଳିରେ ବସି ଆକାଶକୁ ଛୁଇଁବାର ସ୍ୱପ୍ନ। ରଜପର୍ବ ସହ ପ୍ରକୃତିର ସତେ ଯେମିତି ମିଳନ ହୋଇଥାଏ। ପହିଲି ରଜରେ ଧରଣୀ ବୁକୁରେ ଆସେ ଅସୁମାରୀ ପୁଲକ । ସଦ୍ୟ ବର୍ଷାଭିଜା ମାଟିରେ ହୁଏ ପରିବର୍ତ୍ତନ । ତୃଣରାଜିରେ ଭରିଯାଏ ସବୁଜିମା । ସେତିକିବେଳେ ଧାଡି ଧାଡି ହୋଇ ଚାଲନ୍ତି ସାଧବବୋହୁ । ଆଉ କବି କଣ୍ଠରୁ ଝରିଯାଏ..
“ଶ୍ୟାମଳ ଦୁର୍ବାଦଳେ ଶୋଭିତ ମହୀ
ସାଧବବୋହୁ ତଥିପରେ ଶୋଭଇ ଯେ ।”
ଲାଲ ଟୁକୁ ଟୁକୁ ସାଧବବୋହୁ। ଗ୍ରୀଷ୍ମର ନିଦାଘ ପରେ ମୌସୁମୀର ପହିଲି ଆଗମନରେ ଥୁଣ୍ଟାଗଛରେ କଅଁଳିଆ ପତ୍ରର ସମ୍ଭାର। ଧରଣୀପୃଷ୍ଠରେ ସବୁଜିମାର ଗାଲିଚା। ମାଟି ଏବଂ ପାଣିର ମିଳନରେ ପ୍ରକୃତିରେ ଜନ୍ମ ନିଅନ୍ତି ବିଶ୍ୱର ବିଚିତ୍ର ସୃଷ୍ଟି ‘ଲାଲ ଟୁକୁ ଟୁକୁ ସାଧବବୋହୁ’।

ସବୁଜ ଘାସ ଗାଲିଚା ଉପରେ ସାଧବବୋହୁର ଟୁକ୍‌‌ ଟୁକ୍‌‌ ଚାଲି ବିମୋହିତ କରିଥାଏ ଜନମାନସକୁ। ଛୋଟ ପିଲା ଠାରୁ ଆରମ୍ଭ କରି ବଡ ମଣିଷଙ୍କ ପର୍ଯ୍ୟନ୍ତ ସମସ୍ତେ ସାଧବବୋହୁକୁ ଦେଖି ଖୁସିରେ ଆତ୍ମହରା ହୁଅନ୍ତି। ଏକ ସରଳ, ନିଷ୍ପାପ ଓ ଅନ୍ୟର ମନକୁ ଆନ୍ଦୋଳିତ କରୁଥିବା ବିଶ୍ୱର ବୈଚିତ୍ରମୟ ସୃଷ୍ଟି ସାଧବବୋହୁ। ମୌସୁମୀର ପହିଲି ସ୍ପର୍ଶରେ ଧରଣୀର ଘାସ ଗାଲିଚାରେ କବି ଓ ଗାଳ୍ପିକର ଭାବନାକୁ ଆନ୍ଦୋଳିତ କରିଥାଏ ଏହି ସାଧବବୋହୁ। ସାଧବବୋହୁର ଆବିର୍ଭାବ ସାଧାରଣ ଜନମାନସକୁ ଆନ୍ଦୋଳିତ କରେ ତଥା ଛୋଟଛୋଟ ପିଲାମାନଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ। ସ୍ରଷ୍ଟାଙ୍କ ସୁନ୍ଦର ସୃଷ୍ଟିର ଏକ ଅଂଶ ହେଉଛି ସାଧବବୋହୁ। ସାଧବବୋହୁର ଥିରି ଥିରି ଚାଲି କିମିଆଁ କରେ ସତେ ଯେପରି ସେ ରୂପ ରାଇଜର ରାଣୀ। ଆମ ଓଡିଆଘରର ବୋହୁର ଚାଲିଚଳଣୀ ଓ ସଂଭ୍ରମତାକୁ ଅନୁରଣିତ କରିଥାଏ ସାଧବବୋହୁର ଏହି ଥିରି ଥିରି ଚାଲି।

ରକ୍ତବର୍ଣ୍ଣ, ପକ୍ଷହୀନ,ଷଟପଦୀ ସାଧବବୋହୁକୁ ଦେଖିଲେ ପିଲାଙ୍କ ପାଟିରୁ କାହିଁ କେତେ କାଳରୁ ଝରି ଆସୁଅଛି
“ନାଲି ଗୁଲୁଗୁଲୁ ସାଧବବୋହୁ
ନାଲିପାଟ ପିନ୍ଧି କୁଆଡେ ଯାଉ ?’
ଛୋଟପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସାଧବବୋହୁକୁ ଦେଖି ଆମୋଦିତ ନହୁଏ କିଏ ? ନାଲିପାଟ ଗୁଡାଇ ହୋଇ ଜଣକ ପଛକୁ ଜଣେ ସାଧବ ଘରର ବୋହୁ ବୋଇତ ବନ୍ଦାଣକୁ ବାହାରିବାର ଦୃଶ୍ୟକୁ ମନରେ ଦୋହରାଇ ଦିଏ ଏହି ସାଧବବୋହୁ କୀଟର ଲମ୍ବାଧାଡି । ଯେତେ କର୍ମବ୍ୟସ୍ତ ଥିଲେ ମଧ୍ୟ ଯେକେହି ହେଲେ କ୍ଷଣେ ଅଟକି ଯାଏ ସାଧବବୋହୁର ସୌନ୍ଦର୍ଯ୍ୟର ଆକର୍ଷଣରେ । ଲୋକମୁଖରେ କଥା ଯେ- ରଜପାଇଁ କୀଟ ପତଙ୍ଗ ମଧ୍ୟ ସଜ ହୋଇଥାନ୍ତି । ସାଧବବୋହୁକୁ ନେଇ ଅନେକ କବିତା, ଗଳ୍ପ ଓ ପ୍ରବନ୍ଧ ଲେଖାଯାଇଥିବା ବେଳେ ଅନେକ ଓଡିଆ ଚଳଚ୍ଚିତ୍ର ଗୀତରେ ମଧ୍ୟ ସାଧବବୋହୁର ସ୍ୱତନ୍ତ୍ର ସ୍ଥାନ ରହିଛି ।

ସୁନ୍ଦର, ସୁଶୀଳା, ରକ୍ଷଣଶୀଳା ନାରୀକୁ ମଧ୍ୟ ସାଧବବୋହୁ ସହ ତୁଳନା କରାଯାଏ । ସବୁରିମନେ ପ୍ରଶ୍ନ ଉଠେ ରଜପାଇଁ ସଜହୋଇ ଆସିଥିବା ସାଧବବୋହୁ ପୁଣି କୁଆଡେ ହଜିଯାଆନ୍ତି ବର୍ଷସାରା । ପ୍ରତୀକ୍ଷା କରିଥାନ୍ତି ଆଗାମୀ ରଜକୁ । ରଜ ପୂର୍ବରୁ ସାଧାରଣତଃ ମୌସୁମୀ ପ୍ରବାହିତ ହୋଇଥାଏ । କିନ୍ତୁ ଏବେ ସମୟର କରାଳ ଚକ୍ରରେ ମୌସୁମୀ ଯେମିତି ନିଖୋଜ, ଠିକ୍‌‌ ସେମିତି ଗ୍ରାମାଞ୍ଚଳର ଚାଷଜମି କିମ୍ବା ବିସ୍ତିର୍ଣ୍ଣ ଗୋଚର ଭୂମିରେ ଆଉ ପ୍ରାୟ ଦେଖ୍‌‌ôବାକୁ ମିଳୁନି ଏହି ଲାଲ ଟୁକୁ ଟୁକୁ ସାଧବବୋହୁଙ୍କୁ। ସହରମାନଙ୍କରେ ପିଲାଙ୍କୁ ସାଧବବୋହୁ କଥା କହିଲେ ସେମାନେ ଆଶ୍ଚର୍ଯ୍ୟ ହୋଇପଡୁଛନ୍ତି।

ତେବେ, ଇଶ୍ୱରଙ୍କ ସୁନ୍ଦର ସୃଷ୍ଟିରୁ ସାଧବବୋହୁ ପରି ଅନେକ କୀଟପତଙ୍ଗ ଆଜି ଏ ଧରାଧାମରୁ ବିଦାୟ ନେଲେଣି । ଆଜିର ପ୍ରଦୂଷିତ ବାତାବରଣରେ ସହରାଞ୍ଚଳରେ ରହୁଥିବା ପିଲାମାନଙ୍କର ସୌଭାଗ୍ୟରେ ଆଉ ସାଧବବୋହୁର ପରଶ ନାହିଁ । ଆଜିର ମନୁଷ୍ୟ ସମସ୍ତ ସଚେତନତା ସତ୍ତେ୍ୱ ନଷ୍ଟ କରି ଚାଲିଛି ନିଜର ପରିବେଶକୁ । ଦୂଷିତ ଜଳ, ରାସାୟନିକ ସାର, ବିଷାକ୍ତ ଓ୍ୟ÷ଷଧ ମୃତ୍ତିକାକୁ ନଷ୍ଟ କରିବା ସହ ନଷ୍ଟ କରି ଚାଲିଛି ସାଧବବୋହୁ ପରି ଅନେକ ପ୍ରଜାତିର କୀଟ ପତଙ୍ଗଙ୍କୁ । ଏମାନେ ବିଲୁପ୍ତ ହେବା ବା’ ସୀମିତ ହେବା ମନୁଷ୍ୟ ସମାଜର ଧ୍ୱଂସ ହେବାର ପ୍ରାକ୍ ସତର୍କତାର ବିଗୁଲ କହିଲେ ଅତ୍ୟୁକ୍ତି ହେବନାହିଁ ।

ପ୍ରକୃତି ପ୍ରତି କରାଯାଉଥିବା ଅତ୍ୟାଚାର ବନ୍ଦ ନହେଲେ କେବଳ ସାଧବବୋହୁ ପରି ଭିନ୍ନ ଭିନ୍ନ ପ୍ରଜାତିର କୀଟପତଙ୍ଗ କାହିଁକି, ସମଗ୍ର ମନୁଷ୍ୟ ସମାଜ ଦିନେ ବିଲୁପ୍ତ ହୋଇଯିବ ଏଥିରେ ସନ୍ଦେହ ନାହିଁ । ନୀରସ ହୋଇଯିବ ରଜ ମଉଜ ପରି ଅନ୍ୟାନ୍ୟ ଉତ୍ସବ । ନିଜର ପରିବେଶ ପ୍ରତି ସଭ୍ୟ ସମାଜ ଏବେଠାରୁ ସତର୍କ ନହେଲେ, କାଁଭାଁ ଗ୍ରାମାଞ୍ଚଳରେ ଦେଖିବାକୁ ମିଳୁଥିବା ସାଧବବୋହୁ ବୋଧହୁଏ ଆଉ କିଛି ଦିନପରେ ନିଶ୍ଚିନ୍ନ ହୋଇ କେବଳ କଥା କାହାଣୀରେ ରହିଯିବ ଏଥିରେ ଦ୍ୱିମତ ନାହିଁ ।

Comments are closed.