ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ଭାରତକୁ ପୁନର୍ବାର ଖୋଲା ସମର୍ଥନ କରିଛି ରୁଷ। ଭାରତରେ ଅବସ୍ଥାପିତ ରୁଷର ରାଷ୍ଟ୍ରଦୂତ ନିକୋଲେୟ କୁଦାଶେବ କହିଛନ୍ତି, ଏହା ଭାରତ ସକରକାରଙ୍କର ସର୍ବଭୌମ ନିଷ୍ପତ୍ତି ଏବଂ ଭାରତର ଆଭ୍ୟନ୍ତରୀଣ ମାମଲା। ଭାରତ ଏବଂ ପାକିସ୍ତାନ ମଧ୍ୟରେ ରହିଥିବା ସମସ୍ତ ପ୍ରସଙ୍ଗକୁ ଶିମ୍ଲା ରାଜିନାମା ଏବଂ ଲାହୋର ଘୋଷଣାନାମା ଆଧାରରେ ଆଲୋଚନା ମାଧ୍ୟମରେ ସମାଧାନ କରାଯିବା ଆବଶ୍ୟକ। ଏହା ପୂର୍ବରୁ ବି ରୁଷ ବିଦେଶ ମନ୍ତ୍ରଣାଳୟ କାଶ୍ମୀର ଭାରତର ଆଭ୍ୟନ୍ତରୀଣ ମାମଲା ବୋଲି କହିଛନ୍ତି।
ଭାରତରେ ଅବସ୍ଥାପିତ ରୁଷ ଦୂତାବାସର ଉପମୁଖ୍ୟ ରୋମନ ବାବୁସ୍କିନ କହିଛନ୍ତି, ଯେପର୍ଯ୍ୟନ୍ତ ଦୁଇଦେଶ ମଧ୍ୟସ୍ଥତା ପାଇଁ ଆଗ୍ରହ ପ୍ରକାଶ କରିନାହାନ୍ତି ସେପର୍ଯ୍ୟନ୍ତ ଭାରତ-ପାକିସ୍ତାନ ବିବାଦରେ ରୁଷର କୌଣସି ଭୂମିକା ନାହିଁ। ଜାତିସଂଘ ନିରାପତ୍ତା ପରିଷଦରେ ରୁଦ୍ଧଦ୍ବାର ବୈଠକରେ କାଶ୍ମୀର ପ୍ରସଙ୍ଗରେ ଆଲୋଚନା ସମୟରେ କାଶ୍ମୀର ଭାରତର ଆଭ୍ୟାନ୍ତରୀଣ ବ୍ୟାପାର ବୋଲି ଆମେ ଦୋହରାଇଥିଲୁ।
ସୂଚନାଯୋଗ୍ୟ, ବର୍ତ୍ତମାନ ଭାରତୀୟ ବିଦେଶ ମନ୍ତ୍ରୀ ଏସ. ଜୟଶଙ୍କର ରୁଷ ଗସ୍ତରେ ଅଛନ୍ତି। ସେ ସେଠାରେ ତାଙ୍କ ପ୍ରତିପକ୍ଷ ସର୍ଗେଇ ଲାବରୋବଙ୍କ ସହିତ ଆଲୋଚନା କରିବେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଗାମୀ ରୁଷ ଯାତ୍ରା ପାଇଁ ପ୍ରସ୍ତୁତିକୁ ଚୂଡ଼ାନ୍ତ ରୂପ ଦେବେ। ପ୍ରଧାନମନ୍ତ୍ରୀ ଆସନ୍ତା ସେପ୍ଟେମ୍ବର ୪ରୁ ୬ ତାରିଖ ମଧ୍ୟରେ ରୁଷର ଭ୍ଲାଦିଭୋସ୍ତକରେ ହେବାକୁ ଥିବା ପୂର୍ବାଞ୍ଚଳ ଅର୍ଥନୈତିକ ଫୋରମର ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।



