ନୂଆଦିଲ୍ଲୀ: ନିର୍ଭୟା ମାମଲାର ଅନ୍ୟତମ ଦୋଷୀ ଅକ୍ଷୟ କୁମାର ସିଂହର ପୁନର୍ବିଚାର ପିଟିଶନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ନବଗଠିତ ୩ ଜଣିଆ ଖଣ୍ଡପୀଠ ବୁଧବାର ପିଟିଶନର ଶୁଣାଣି କରି ଏହି ରାୟ ଦେଇଛନ୍ତି। ଗତବର୍ଷ ଜୁଲାଇରେ ଅନ୍ୟ ୩ ଅଭିଯୁକ୍ତ ମୁକେଶ, ପୱନ ଗୁପ୍ତା ଓ ବିନୟ ଶର୍ମାଙ୍କ ପୁନର୍ବିଚାର ପିଟିଶନ ଖାରଜ ହୋଇଯାଇଥିଲା। ବୁଧବାର ୪ର୍ଥ ଅଭିଯୁକ୍ତ ଅକ୍ଷୟର ପିଟିଶନ ଖାରଜ ହେବା ପରେ ସମସ୍ତ ଦୋଷୀ ଫାଶୀ ଖୁଣ୍ଟରେ ଝୁଲିବା ବାଟ ପରିଷ୍କାର ହୋଇଯାଇଛି।
ମାମଲାର ଶୁଣାଣି ବେଳେ ଖଣ୍ଡପୀଠ ଉଭୟ ପକ୍ଷର ଓକିଲଙ୍କୁ ୩୦ ମିନିଟ୍ ଲେଖାଏ ସମୟ ଦେଇଥିଲେ। ଅକ୍ଷୟଙ୍କ ପକ୍ଷରୁ ମାମଲା ଲଢୁଥିବା ବରିଷ୍ଠ ଓକିଲ ଏ.ପି. ସିଂହ ଅକ୍ଷୟଙ୍କୁ ମୃତ୍ୟୁ ଦଣ୍ଡ ନ ଦେବାକୁ କୋର୍ଟଙ୍କୁ ଅନୁରୋଧ କରି ବହୁ ଯୁକ୍ତି ଉପସ୍ଥାପନ କରିଥିଲେ। ସେ ପୁଲିସର ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଥିଲେ। ସେ କହିଥିଲେ, ତାଙ୍କ ମହକିଲଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ। ପୀଡ଼ିତାଙ୍କ ମନ୍ତବ୍ୟ ସନ୍ଦେହଜନକ ଥିଲା। ନିର୍ଭୟା ମୃତ୍ୟୁ ପୂର୍ବରୁ ମୃତ୍ୟୁକାଳୀନ ଜମାନବନ୍ଦୀରେ ଅକ୍ଷୟଙ୍କ ନାମ ନେଇ ନ ଥିଲେ। ସେ ଆହୁରି କହିଥିଲେ, ଫାଶୀ ଦଣ୍ଡ ବହୁତ ପୁରୁଣା। ଫାଶୀ ଦେଲେ ଅଫରାଧୀ ମରିଯାଏ, ଅପରାଧ ନୁହେଁ। ଏଥିରୁ ଅନ୍ୟ ଅପରାଧୀଙ୍କ ଉପରେ କୌଣସି ପ୍ରଭାବ ପଡ଼େ ନାହିଁ। ଏପରି କି ଦେଶରେ ମୃତ୍ୟୁ ଦଣ୍ଡକୁ ବନ୍ଦ କରିଦେବା ଉଚିତ ବୋଲି ସେ କହିଥିଲେ। ଅକ୍ଷୟକୁ ମିଥ୍ୟା ପ୍ରମାଣ ଆଧାରରେ ଦୋଷୀ ସାବ୍ୟସ୍ତ କରାଯାଇଛି।
ଅନ୍ୟପଟେ ପୀଡ଼ିତାଙ୍କ ପକ୍ଷରୁ ଲଢୁଥିବା ଓକିଲ ଦୋଷୀ ଅକ୍ଷୟର ପୁନର୍ବିଚାର ପିଟିଶନକୁ ଖାରଜ କରିବା ସହିତ ଫାଶୀ ଦଣ୍ଡାଦେଶ ବଳବତ୍ତର ରଖିବା ଲାଗି ଯୁକ୍ତି ବାଢ଼ିଥିଲେ। ସେହିପରି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ ଯେ, ଦୋଷୀ ପ୍ରତି କୌଣସି ପ୍ରକାର ଉଦାରତାର ହକଦାର ନୁହେଁ। ଭଗବାନ ବି ଏଭଳି ରାକ୍ଷସଙ୍କୁ ଜନ୍ମ ଦେଇ ଲଜ୍ଜିତ ହେଉଥିଲେ। କିଛି ଅପରାଧ ଏପରି ହୋଇଥାଏ, ଯେଉଁଥିରେ ସମ୍ପୂର୍ଣ୍ଣ ମାନବଜାତି କାନ୍ଦିଥାଏ। ଏହି ମାମଲା ସେଥିରୁ ଗୋଟିଏ। ଯାହା ହେବା ନିଶ୍ଚିତ ସେଥିରୁ ବର୍ତ୍ତିବା ଲାଗି ନିର୍ଭୟା ମାମଲାର ଦୋଷୀ ଅନେକ ଉଦ୍ୟମ କରୁଛନ୍ତି ଏବଂ ଆଇନ ତୁରନ୍ତ ନିଜର କାମ କରିବା ଦରକାର।
ସୂଚନାଯୋଗ୍ୟ, ୨୦୧୨ ଡିସେମ୍ବର ୧୬ରେ ଦିଲ୍ଲୀରେ ୬ ଜଣ ବ୍ୟକ୍ତି ପାରାମେଡିକାଲ ଛାତ୍ରୀ ନିର୍ଭୟାଙ୍କୁ ଗଣବଳାତ୍କାର କରିଥିଲେ। ଏହି ସମୟରେ ନିର୍ଭୟାଙ୍କ ଜଣେ ସାଥି ମଧ୍ୟ ଉକ୍ତ ବସରେ ଥିଲେ। ୬ ଅଭିଯୁକ୍ତ ନିର୍ଭୟା ଓ ତାଙ୍କ ବନ୍ଧୁଙ୍କୁ ମାଡ଼ ମାରିବା ସହ ନିର୍ଭୟାଙ୍କ ସହ ଗଣବଳାତ୍କାର କରିଥିଲେ। ତାଙ୍କ ବନ୍ଧୁଙ୍କୁ ମଧ୍ୟ ମାରଣାନ୍ତକ ଆକ୍ରମଣ କରିଥିଲେ। ପରେ ଉଭୟଙ୍କୁ ଚଳନ୍ତା ବସରୁ ତଳକୁ ଫିଙ୍ଗି ଦେଇଥିଲେ। ଡିସେମ୍ବର ୧୮ରେ ଦିଲ୍ଲୀ ପୁଲିସ ଏହି ମାମଲାରେ ରାମ ସିଂହ, ମୁକେଶ, ବିନୟ ଶର୍ମା ଓ ବିନୟ ଗୁପ୍ତାକୁ ଗିରଫ କରିଥିଲା। ଡିସେମ୍ବର ୨୧ରେ ପୁଲିସ ଏହି ଘଟଣାରେ ସମ୍ପୃକ୍ତ ଜଣେ ନାବାଳକ ଓ ୬ଷ୍ଠ ଅଭିଯୁକ୍ତ ଅକ୍ଷୟ ସିଂହକୁ ବିହାରରୁ ଗିରଫ କରିଥିଲା। ଡିସେମ୍ବର ୨୯ରେ ଦିଲ୍ଲୀ ସଫଦରଜଙ୍ଗ ଡାକ୍ତରଖାନାରେ ନିର୍ଭୟାଙ୍କ ଚିକିତ୍ସା ଚାଲିଥିଲେ ମଧ୍ୟ ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ନ ହେବାରୁ ତାଙ୍କୁ ସିଙ୍ଗାପୁର ସ୍ଥାନାନ୍ତର କରାଯାଇ ଥିଲା। ହେଲେ ସେଠାରେ ନିର୍ଭୟାଙ୍କ ମୃତ୍ୟୁ ହୋଇଥିଲା। ଏହି ମାମଲାରେ ୨୦୧୩ ମାର୍ଚ୍ଚ ୧୧ରେ ତିହାର ଜେଲରେ ଜଣେ ଅଭିଯୁକ୍ତ ରାମ ସିଂହ ଆତ୍ମହତ୍ୟା କରିଥିଲା। ନାବାଳକ ଅଭିଯୁକ୍ତଙ୍କୁ ସ୍ବଧାର ଗୃହକୁ ପଠାଇ ଦିଆଯାଇଥିଲା। ୨୦୧୩ ସେପ୍ଟେମ୍ବର ୧୩ରେ ଅନ୍ୟ ୪ ଦୋଷୀଙ୍କୁ ଫାଶୀଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଏହି ମାମଲାର ପୁନର୍ବିଚାର ପାଇଁ ଆବେଦନ କରିଥିବା ୩ ଦୋଷୀ ମୁକେଶ, ପୱନ ଗୁପ୍ତା ଓ ବିନୟ ଶର୍ମାଙ୍କ ପୁନର୍ବିଚାର ପିଟିଶନ୍କୁ ଗତ ଜୁଲାଇ ୯ରେ ସୁପ୍ରିମକୋର୍ଟ ଖାରଜ କରିଥିଲେ। ଏହାପରେ ଦୋଷୀ ଅକ୍ଷୟ କୁମାର ସିଂହର ଓକିଲ ଅକ୍ଷୟ ପାଇଁ ପୁନର୍ବିଚାର ଆବେଦନ ଦାଖଲ କରିଥିଲେ।



