ପୁରୀ : କରୋନା ସଂକ୍ରମଣ ଦୃଷ୍ଟିରୁ ପୁରୀ ସାହିଯାତ୍ରା ପାଇଁ ପ୍ରଶାସନ କଟକଣା ଜାରି କରିଛି। ଏହି ସାହିଯାତ୍ରା ଲାଗି ପ୍ରଶାସନ ସର୍ତ୍ତମୂଳକ ଅନୁମତି ଦେଇଛି। ସାହିଯାତ୍ରାରେ ସର୍ବାଧିକ ୫୦ ଲୋକ ସାମିଲ ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଯାତ୍ରାରେ ନାଗା ଓ ମେଢ ନୃତ୍ୟ ସମେତ ଖଣ୍ଡା, ବାଡିଖେଳ ,ସମରକଳା କୌଶଳ ପ୍ରଦର୍ଶନ ଉପରେ ପ୍ରଶାସନ ରୋକ ଲଗାଇଛି। ଯେଉଁମାନଙ୍କୁ ଅନୁମତି ପତ୍ର ଦିଆଯିବ ସେହିମାନେ ସାହିଯାତ୍ରାରେ ଅଂଶ ଗ୍ରହଣ କରିପାରିବେ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି। କଟକଣାକୁ ଉଲଂଘନ କଲେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।
ସୂଚନା ଯୋଗ୍ୟ ଶ୍ରୀକ୍ଷେତ୍ରର ସଂସ୍କୃତି ଓ ପାରମ୍ପରିକ ସମରକଳାର ପ୍ରତୀକ ରୂପେ ପରିଚିତ ଏବଂ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରାମାବତାର ଲୀଳାର ଅଙ୍ଗ ବିଶେଷ ହେଉଛି ସାହିଯାତ୍ରା। ଏହା ଆସନ୍ତା ୨୧ ତାରିଖ ଠାରୁ ଆରମ୍ଭ ହେବ। ୧୧ ଦିନବ୍ୟାପୀ ଏହି ଲୀଳା ଶ୍ରୀରାମଙ୍କ ଜନ୍ମ ଠାରୁ ଆରମ୍ଭ ହୋଇ ରାମାଭିଷେକ ଉତ୍ସବରେ ଶେଷ ହେବ।



