www.samajalive.in
Sunday, December 7, 2025
26.1 C
Bhubaneswar

ଏଥର ଉପକୂଳର ୧୦ ଦ୍ଵୀପରେ ଉଡିବ ତ୍ରିରଙ୍ଗା

ଭୁବନେଶ୍ଵର : ଆସନ୍ତାକାଲି ଦେଶବ୍ୟାପୀ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯିବ। ଏଥର ରାଜ୍ୟରେ ଗଣତନ୍ତ୍ର ଦିବସ ଭବ୍ୟ ହେବ । ପ୍ରଥମଥର ଓଡିଶା ଉପକୂଳରେ ଥିବା ୧୦ ଦ୍ଵୀପରେ ସାଧାରଣତନ୍ତ୍ର ଦିବସ ପାଳନ କରାଯିବ। ଡିଜି, ଆଇଜି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗରେ କହିବା ପରେ କୋଷ୍ଟଗାର୍ଡ ପକ୍ଷରୁ ଜାଗା ଚିହ୍ନଟ କରାଯାଇଛି। ତେବେ ଏନେଇ  ରାଜ୍ୟ ଆରକ୍ଷୀ ମହାନିର୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କୁ ଶୁକ୍ରବାର ପୂର୍ବାହ୍ଣ ଭୁବନେଶ୍ୱରସ୍ଥିତ ଶାଖା କାର୍ଯ୍ୟାଳୟରେ ପୂର୍ବ ସମୁଦ୍ର ତଟର କୋଷ୍ଟଗାର୍ଡ କମାଣ୍ଡର ଏଡିଜି ଡନି ମିଚେଲ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଉପକୂଳ ସୁରକ୍ଷା ଏବଂ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସେ ଡିଜିପିଙ୍କ ସହିତ ଆଲୋଚନା କରିଥିଲେ। ଏହାସହ ଆଗାମୀ ଦିନରେ ଉପକୂଳ ସୁରକ୍ଷା ନିମନ୍ତେ ଉଭୟ ବିଭାଗ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରଖି କାର୍ଯ୍ୟ କରିବା ଉପରେ ବୈଠକରେ ମତପ୍ରକାଶ ପାଇଥିଲା। ଉପକୂଳ ଅଞ୍ଚଳରେ ପାଟ୍ରୋଲିଂ, ଆକାଶମାର୍ଗରୁ ଗତିବିଧି ନିରୀକ୍ଷଣ ଏବଂ ଆଦେଶ ଅନୁଯାୟୀ ସମ୍ପୂର୍ଣ୍ଣ ଉପକୂଳ ନିୟନ୍ତ୍ରଣ ବ୍ୟବସ୍ଥାକୁ ଅଧିକ ଗୁରୁତ୍ବ ଦିଆଯାଇଛି। ତଟ ସୁରକ୍ଷା ବାହିନୀ ପକ୍ଷରୁ ଓଡ଼ିଶା ପୁଲିସକୁ ସମସ୍ତ ପ୍ରକାର ସହଯୋଗ କରିବା ସଂକ୍ରାନ୍ତରେ ବୈଠକରେ ଆଲୋଚନା ହୋଇଛି।
ଆଗାମୀ ଦିନରେ ତଟ ସୁରକ୍ଷା ଏବଂ ଓଡ଼ିଶା ପୁଲିସର ଅଧିକାରୀଙ୍କୁ ନେଇ ଏକ ସ୍ବତନ୍ତ୍ର ବୋର୍ଡ ଗଠନ କରାଯିବ। ଏହି ଦୁଇ ବିଭାଗର ଅଧିକାରୀ ସମ୍ପୂର୍ଣ୍ଣ ଉପକୂଳ ଅଞ୍ଚଳକୁ ତନ୍ନତନ୍ନ କରି ଯାଞ୍ଚ କରିବେ। ସମୁଦ୍ରକୂଳ ଥାନାକୁ ବୋଟ୍‌ ଯୋଗାଇ ଦିଆଯିବ ବୋଲି ଡିଜିପି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହାସହ ତଟ ସୁରକ୍ଷା ବାହିନୀ ଏବଂ ଭାରତୀୟ ନୌବାହିନୀରେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିବା ଯବାନଙ୍କୁ ଆଗାମୀ ଦିନରେ ସମୁଦ୍ରକୂଳ ଥାନାରେ ନିଯୁକ୍ତି ଦିଆଯିବ। ଓଡ଼ିଶା ପୁଲିସ ଏବଂ ତଟ ସୁରକ୍ଷା ସହ ଯେଉଁ ସମ୍ପର୍କ ସ୍ଥାପନ ହୋଇଛି, ତାହା ଦୀର୍ଘସ୍ଥାୟୀ ରଖିବାକୁ ସବୁବେଳେ ଉଦ୍ୟମ ଜାରି ରହିବ। ସାଧାରଣତନ୍ତ୍ର ଦିବସରେ ସମୁଦ୍ର ଭିତରେ ଥିବା ୧୦ଟି ଉପଦ୍ବୀପରେ ଜାତୀୟ ପତାକା ଉଡ଼ାଯିବ। ଏଥିପାଇଁ ଉପଦ୍ବୀପଗୁଡ଼ିକ ଚିହ୍ନଟ କରାଯାଇଥିବା ଡିଜିପି ଶ୍ରୀ ଖୁରାନିଆ ଗଣମାଧ୍ୟମକୁ କହିଛନ୍ତି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories