ରେଙ୍ଗାଲିକ୍ୟାମ୍ପ: ଅତାବିରା ୫୩ ନଂ ଜାତୀୟ ରାଜପଥରେ ଆରଏମସି ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତ ବ୍ୟକ୍ତି ଜଣକ ହେଲେ ଛୋଟେଲାଲ ମନୋହର (୪୫) ମୂଳ ନିବାସୀ ଛତିଶଗଡ଼ ରାଜ୍ୟର ସାରଙ୍ଗଡ ଜିଲ୍ଲା ପାଟ ଗ୍ରାମ। ସେ ଜଣେ ପେଟି ଠିକାଦାର। ଦୀର୍ଘ ଗୋଟିଏ ବର୍ଷ ଧରି ଅତାବିରା ମହାବିଦ୍ୟାଳୟରେ କାମ କରି ଆସୁଥିଲେ। ଆଜି ବାବେବୀରାର ଜଣେ ଠିକାଦାର ବୁଲୁ କରଙ୍କ ବାଇକରେ ଛୋଟେଲାଲଙ୍କୁ ସାଥିରେ ନେଇ ଅତାବିରାରେ ନିର୍ମାଣାଧୀନ ଅବସ୍ଥାରେ ଶ୍ମଶାନ ଘାଟରେ ରହିଥିବା କିଛି କାମକୁ ସମ୍ପୂର୍ଣ୍ଣ କରିବା ପାଇଁ ଦେଖିବାକୁ ଯାଇଥିଲେ। ଫେରିବା ବେଳେ ଆରଏମସି ଛକରେ ଏହି ଦୁର୍ଘଟଣା ଘଟିଥିଲା। ଆଜି ଅତାବିରା ବ୍ରାହ୍ମଣ ସମାଜ ପକ୍ଷରୁ ପର୍ଶୁରାମ ଜୟନ୍ତୀ ପାଳନ ନିମନ୍ତେ ଏକ ଶୋଭାଯାତ୍ରା କରାଯାଉଥିଲା। ଫଳରେ ଜାତୀୟ ରାଜପଥକୁ ୱାନ ୱେ କରାଯାଇଥିଲା। ତେଣୁ ରାସ୍ତାରେ ଯାନବାହନ ଗୁଡ଼ିକର ଭିଡ଼ ଦେଖିବାକୁ ମିଳିଥିଲା। ବାଇକରେ ଥିବା ଛୋଟେଲାଲ ଓ ବୁଲୁ କର ଛକରେ ଅତାବିରା କଲେଜକୁ ଆସିବା ପାଇଁ ଛକର ବୁଲାଣି ରାସ୍ତାକୁ ଆସି ମୋଡ଼ ନେବା ପୂର୍ବରୁ ସମ୍ମୁଖରୁ ଆସୁଥିବା ଏକ ଟ୍ରକ ସହ ମୁହାମୁହିଁ ହୋଇ ଟ୍ରକ୍ ତଳକୁ ଘୋଷାଡି ହୋଇ ଯାଇଥିଲେ। ଟ୍ରକ ଚକା ତଳେ ଚାପି ହୋଇ ଛୋଟେଲାଲଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ଜଣକ ଗୁରୁତର ହୋଇ ବରଗଡ଼ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ଅତାବିରା ପୁଲିସ ମୃତଦେହ ପାଇଁ ବରଗଡକୁ ପଠେଇଛି। ତଦନ୍ତ ଜାରି ରହିଛି।
ଦେଖନ୍ତୁ ଭିଡିଓ ; ବିଚ୍ ରାସ୍ତାରେ ମହିଳାଙ୍କୁ ଚାପୁଡା ମାରିଲେ ପୁଲିସ, ଆଉ ତା’ପରେ



