କୋଟି କୋଟି ଟଙ୍କାର ଯୋଜନା ହେଲେ ବାଟ ନାହିଁ କି ଘାଟ ନାହିଁ
ରେଙ୍ଗାଲିକ୍ୟାମ୍ପ: ଅତାବିରା ପାହାର ଶ୍ରିଗିଡାକୁ ସଂଯୋଗ କରିଛି ଏକ ଆର୍ଡି ରାସ୍ତା। ଏହି ରାସ୍ତାର ମଝିରେ ରହିଛି ଟୋପ ଗ୍ରାମ।ଉକ୍ତ ଗ୍ରାମର ୫୦୦ ମିଟର ଦୂରରେ ରହିଛି ଟୋପର ଏକ ମାଙ୍ଗଲି ପଡ଼ା। ଦଉଡି, ପଘା ତିଆରି କରି ବିକ୍ରୀ କରିବାରେ ଏହି ପଡ଼ାର ଲୋକେ ଅତୀବ ଧୁରନ୍ଧର। ସମୟ ବଦଳି ଯାଇଥିଲେ ସୁଦ୍ଧା ଏମାନେ ତାଙ୍କର କୌଳିକ ବୃତ୍ତିକୁ ଛାଡ଼ି ନାହାନ୍ତି ବରଂ ସମୟ ସ୍ରୋତରେ ନିଜର ଏହି କାମକୁ ଆହୁରି ଉନ୍ନତ କରି ପରିବର୍ତ୍ତିତ ପରିବେଶରେ ନିଜର କାର୍ଯ୍ୟଦକ୍ଷତାର ଅଭିନବ ପରିଚୟ ସୃଷ୍ଟି କରି ପାରିଛନ୍ତି। ଦୀର୍ଘ ଶହେରୁ ଉର୍ଦ୍ଧ୍ବ ବର୍ଷ ଧରି ୭୦ଟି ପରିବାର ଏଠାରେ ରହି ଆସୁଛନ୍ତି। କିନ୍ତୁ ପରିତାପର ବିଷୟ ଏହି ପଡ଼ାକୁ ଆଜି ଯାଏ ରାସ୍ତା ନାହିଁ। ରାସ୍ତା କହିଲେ କ୍ଷେତର ହିଡ଼।
ଆର୍ଡି ରାସ୍ତାରୁ ମାତ୍ର ୫୦୦ ମିଟର ଦୂରରେ ରହିଛି ଏହି ମାଙ୍ଗଲି ପଡ଼ା। ରାସ୍ତାରୁ ଓହ୍ଲାଇ ଗଲେ ରହିଛି କେନାଲର ଛୋଟ ଜଳଧାର। ଏହା ପରେ ଆରମ୍ଭ ହୁଏ ହିଡରାସ୍ତା। ଦୁଇ ପଟେ ବିଲ ଜମି। ମଝିରେ ଗୋଟିଏ ଛୋଟ ପୋଖରୀ ଯେଉଁଥିରେ ପଡ଼ାବାସୀ ଗାଧୁଆ ପାଧୁଆ କରିଥାନ୍ତି ବର୍ଷ ସାରା। ବର୍ଷା ଦିନେ ହିଡର ଦୁଇପଟେ ଘାସ ଉଠି ରାସ୍ତାକୁ ଅବରୋଧ କରିଦିଏ। ସାପ ବିଛା ଆଉ କିଛି ଥିଲେ ବି ଜଣା ପଡ଼ିନଥାଏ। ପୁଣି କାଦୁଅ ପଚ ପଚ ରାସ୍ତା। ପାଦ ଦଉ ଦଉ ଏକା ଥରକେ ଶହେ ମିଟର ଆଗକୁ ନ ହେଲେ ବିଲ ଭିତରକୁ। ଏହି ପଡ଼ାର ପିଲାମାନେ ଏମିତି ରାସ୍ତା ଦେଇ ପାଠପଢି ଆସିଥାନ୍ତି ଜୀବନକୁ ବିପଦରେ ପକାଇ। କୁନି କୁନି ଅଙ୍ଗନୱାଡିର ପିଲାମାନେ ମଧ୍ୟ ଏମିତି ରାସ୍ତା ଦେଇ ପ୍ରାୟ ଅଧ୍ କିମି ରାସ୍ତା ଚାଲି ଆସିଥାନ୍ତି ଟୋପ ଗ୍ରାମକୁ। ପଡ଼ାର ସମସ୍ତେ ବିପିଏଲ ପରିବାର। କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ଏବଂ ଆଦିବାସୀ ମାନଙ୍କ ପାଇଁ କୋଟି କୋଟି ଟଙ୍କାର ଯୋଜନା କରୁଛନ୍ତି ସତ, ସବୁ ଗାଆଁକୁ ରାସ୍ତା, ପାନୀୟ ଜଳ, ବିଜୁଳି ଯୋଗାଉଛନ୍ତି। ହେଲେ ଶହେ ବର୍ଷରୁ ଉର୍ଦ୍ଧ୍ବ ହେବ ଏହି ପଡ଼ାକୁ ଆଜି ଯାଏଁ ସାମାନ୍ୟ କଂକ୍ରିଟ ରାସ୍ତା ଟିଏ ନାହିଁ।
ଲୋକେ ସାଇକେଲ କିମ୍ବା କାଁ ଭାଁ ଯାହାର ବାଇକ୍ ରହିଛି ଗଡ଼ାଇ ଗଡ଼ାଇ ଅତି କଷ୍ଟରେ ଏହି ରାସ୍ତା ଦେଇ ଆଣି ଆର୍ଡି ରାସ୍ତାକୁ ପହଞ୍ଚିଲା ପରେ ଗାଡ଼ି କିମ୍ବା ସାଇକେଲ ଚଳାଇଥାନ୍ତି। ତେବେ ପଡ଼ାର ବୃଦ୍ଧ ବୃଦ୍ଧା ମାନେ କେମିତି ଯିବା ଆସିବା କରୁଥିବେ ଏଥିରୁ ସ୍ପଷ୍ଟ ଅନୁମାନ କରିହେବ। କୌଣସି ଦୁର୍ଘଟଣା ଘଟିଲେ କିମ୍ବା ଗର୍ଭବତୀ ମହିଳାଙ୍କ ପାଇଁ ପଡ଼ାକୁ ଗାଡ଼ିଟିଏ ଯାଇ ନ ପାରିବାରୁ ଏମାନେ ବୋହି ଆଣି ଆମ୍ବୁଲାନ୍ସରେ ଡାକ୍ତରଖାନା ପଠାଇଥାନ୍ତି।
ପଡ଼ାର ବୃଦ୍ଧା ଧନମତି ରାଉତ (୯୯) କହନ୍ତି, ଦୁଇଟି ପିଢ଼ି ଆମର ସରିଗଲା। ଆଉ କେତେ ପିଢ଼ି ଗଲା ପରେ ରାସ୍ତା ନିର୍ମାଣ ହେବ, ତାହା ପଡlବlସୀଙ୍କ ପାଇଁ ସପ୍ନ ହୋଇଯାଇଛି। କେତେ କେତେ ବୁଢ଼ା ବୁଢ଼ୀ ମରି ହଜିଗଲେଣି ,କିନ୍ତୁ ଏହି ରାସ୍ତା ଏମିତି ପଡ଼ିରହିଛି। ଆମ କଥା କିଏ ଶୁଣିବ? ଗରିବ ଲୋକଙ୍କର ସୁଖ ସୁବିଧା କିଛି ନାହିଁ। ଖାଲି ସହର ମାନଙ୍କରେ ସରକାର ସବୁ ସୁବିଧା କରୁଛନ୍ତି। ମୋର୍ ସମୟ ବି ସରିଗଲା। ଆଜି ଅଛି ତ କାଲି ନାହିଁ। ହେଲେ ଆମର ଛୁଆମାନେ କେତେ କଷ୍ଟ ପାଉଛନ୍ତି ଏହି ରାସ୍ତାରେ ଯିବା ଆସିବା କଲାବେଳେ। ଦୁଃଖ ସୁଖ ହେଲେ ଗାଡ଼ିଟେ ବି ଆସି ପlରୁନାହି।
ବୃଦ୍ଧ ଗଜା ଭୁଏ(୮୫), କହନ୍ତି କେତେ ଥର ଏ ରାସ୍ତା ପାଇଁ ଆଉ କହିବୁ। ରାସ୍ତା ଟେ ନାହିଁ ଆଉ ଘର କଥା କଣ କହିବି। ୭୦ ପରିବାର ମଧ୍ୟରୁ କେବଳ କିଛି ପରିବାରଙ୍କୁ ମିଳିଛି ଇନ୍ଦିରା ଆବାସ। ଆଉ ବହୁତ୍ ଲୋକଙ୍କୁ ଇନ୍ଦିରା ଆବାସ ଟିଏ ମଧ୍ୟ ମିଳି ନାହିଁ।କାହାର ଜମି ବାଡ଼ି ମଧ୍ୟ ନାହିଁ ଓ ଏମାନଙ୍କୁ ଜାଗା ମିଶନରେ କେବେ ସଂପୃକ୍ତ କରିବ ସରକାର। କହି କହି ଥକି ଗଲୁଣି। ଭୋଟ ସମୟରେ ଯାହାକୁ କହିଲେ ରାସ୍ତା ହେବ ବୋଲି କହି ଚାଲି ଯାଇଥାନ୍ତି। ଯଶୋଦା ଭୁଏ (୮୭) କହନ୍ତି, ଆମ ଏଇ ପଡ଼ାକୁ ରାସ୍ତା ନାହିଁ କାରଣ ଆମେ ଗରିବ ଖଟିଖିଆ। ସରକାର ଗରିବ ମାନଙ୍କ ପାଇଁ ସବୁ ସୁବିଧା କରୁଛନ୍ତି, ହେଲେ ଆମ ବେଳକୁ ଖାଲି ଝୁଲା। ଶାନ୍ତିଲତା ମାଝୀ (୭୫) କହନ୍ତି, ଗାଆଁ ମାନଙ୍କରେ ପ୍ରତି ଗଳିକନ୍ଦିରେ ସିମେଣ୍ଟ ରାସ୍ତା, ପକା ରାସ୍ତା କରିଛନ୍ତି ସରକାର।କିନ୍ତୁ ଆମେ କି ଦୋଷ କରିଛୁ ଯେ ଆଜି ସୁଦ୍ଧା ରାସ୍ତା ଗୋଟେ ବି ସରକାର କରି ଦେଉନାହାନ୍ତି।
ତେବେ ଏମିତି ଏହି ପଡ଼ାର ବାସିନ୍ଦା ରାସ୍ତାଟିଏ ପାଇଁ ମନରେ ଅନେକ ଆଶା ନେଇ ଜୀବନ କଟାଇ ସାରିଛନ୍ତି। ଆଜି ସରକାରୀ ଯୋଜନା କାହିଁ କେତେ ଦୂର ଦୁରାନ୍ତରେ ପହଞ୍ଚି ସାରିଛି। ହେଲେ ଦୀପ ତଳ ଅନ୍ଧାର ପରି ଅତାବିରା ଏନଏସିରୁ ମାତ୍ର ୪ କିମି ଦୂରରେ ଥିବା ଏହି ପଡ଼ା ଆଜି ବି ସରକାରଙ୍କ ଦୃଷ୍ଟିରେ ପଡ଼ି ନଥିବା ବଡ଼ କ୍ଷୋଭର ବିଷୟ? ତେବେ କେବେ ତାଙ୍କର ସପନ ସତ ହେବ ପଡ଼ାବାସୀ ଅପେକ୍ଷାରେ!
Comments are closed.