ରେଙ୍ଗାଲି: ରାଜ୍ୟର ଅନ୍ୟତମ ବ୍ୟସ୍ତ ବହୁଲ ସଡକ ରୂପେ ବିବେଚିତ ସମ୍ବଲପୁର-ରାଉରକେଲା ୧୦ ନମ୍ବର ରାଜ୍ୟ ରାଜପଥ(ବିଜୁ ଏକ୍ସପ୍ରେସ ୱେ)ର ଲପଙ୍ଗା ନିକଟସ୍ଥ ସାତଗଛିଆ ତଥା ଅବତାର ପେଟ୍ରୋଲ୍ ପମ୍ପ ରୁ ଠେଲକୋଲୋଇ ହାଇସ୍କୁଲ ପର୍ଯ୍ୟନ୍ତ ଭାରି ଯାନ ପାର୍କିଂ ଜୋନରେ ପରିଣତ ହୋଇଛି। ଖିଣ୍ଡା ପଞ୍ଚାୟତରେ ପ୍ରତିଷ୍ଠିତ ଏନ୍ଏଲସି କୋଇଲା ଖଣିରୁ କୋଇଲା ପରିବହନ ପାଇଁ ଆସୁଥିବା ଶହ ଶହ ସଂଖ୍ୟକ ଭାରି ଯାନ ଗୁଡିକ ରାସ୍ତା ର ଉଭୟ ପାଶ୍ୱର୍ ରେ ବେଆଇନ୍ ଭାବରେ ପାର୍କିଂ କରି ଦୀର୍ଘ ସମୟ ଧରି ଛିଡା ହୋଇ ରହୁଥିବାର ଦେଖିବାକୁ ମିଳୁଛି। ନିୟମ ଅନୁଯାୟୀ ଖଣି ଖାଦାନ ତଥା ଶିଳ୍ପାନୁଷ୍ଠାନଗୁଡିକୁ ମାଲ ପରିବହନ ସକାଶେ ଅାସୁଥିବା ଯାନବାହାନ ଛିଡା କରିବାକୁ ସଂପୃକ୍ତ ଖଣି ଖାଦାନ ଏବଂ ଶିଳ୍ପାନୁଷ୍ଠାନ ନିଜସ୍ୱ ପାର୍କିଂ ଜୋନ୍ ନିର୍ମାଣ କରିବା କଥା। କିନ୍ତୁ ଏନ୍ଏଲସି କମ୍ପାନୀରେ ଏହାର ବ୍ୟତିକ୍ରମ ଦେଖା ଦେଇଥିବାରୁ ରାସ୍ତା କଡରେ ମାଳବାହୀ ଯାନ ପାର୍କିଂ କରାଯାଉଛି। ଫଳ ରେ ଏହି ଅଞ୍ଚଳରେ ନାହିଁ ନଥିବା ଟ୍ରାଫିକ୍ ସମସ୍ୟା ଦେଖା ଦେଇ ଅନେକ ସମୟରେ ଛୋଟବଡ ଦୁର୍ଘଟଣା ଘଟୁ ଥିବାର ମଧ୍ୟ ଦେଖିବାକୁ ମିଳୁଛି। ବେଆଇନ୍ ଭାରେ ରାସ୍ତା ଉଭୟ ପାଶ୍ୱର୍ ରେ ଭାରି ମାଳବାହୀ ଯାନ ପାର୍କିଂ ହୋଇ ରହୁଥିବାରୁ ମୋଟର, ସାଇକେଲ, ସାଇକେଲ ଆରୋହୀ ମାନଙ୍କ ଯାତୟାତ ପାଇଁ ଘୋର ସମସ୍ୟା ଏବଂ ଜୀବନ ପ୍ରତି ବିପଦ ଦେଖା ଦେଉଥିବା ବେଳେ ପଥଚାରୀ ମାନଙ୍କ ପାଇଁ ମଧ୍ୟ ଏହି ରାସ୍ତା ବିପଦ ପୂର୍ଣ ହୋଇ ପଡିଛି। ଠେଲୋକୋଲୋଇ ହାଇସ୍କୁଲରେ ଅଧ୍ୟୟନ କରୁଥିବା ଧୁବେନଛାପଲ, ଖଡିଆପାଲି, ପାଉଲେପଡା ଆଦି ଗ୍ରାମ ର ଛାତ୍ର ଛାତ୍ରୀ ମାନେ ଏହି ରାସ୍ତା ଅତିକ୍ରମ କରି ହାଇସ୍କୁଲ କୁ ପାଠ ପଢିଯିବା ପାଇଁ ନିରାପଦ ମନେ କରୁନାହାନ୍ତି। ଛାତ୍ର/ଛାତ୍ରୀ ମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଥିବାରୁ ହାଇସ୍କୁଲ ପରିଚାଳନା କମିଟିର ସଭାପତି ଦୁର୍ଗାପ୍ରସାଦ ସାହୁ ଏବଂ ସମ୍ପାଦକ ଶୁକଦେବ ନାୟକ ଠେଲକୋଲୋଇ ଥାନା ଅଧିକାରୀ ଜୟରଶ୍ମୀ ସେଠିଙ୍କୁ ସାକ୍ଷାତ କରି ଏହି ଟ୍ରାଫିକ୍ ସମସ୍ୟାର ପ୍ରତିକାର ସକାଶେ ସ୍ଥାୟୀ ପ୍ରତିକାର କରିବାକୁ ଲିଖିତ ଦାବୀ କରିଥିବାର ଜଣାପଡିଛି। ଏହିରାସ୍ତାର ରକ୍ଷଣାବେକ୍ଷଣ ଦାୟିତ୍ୱ ରେ ଥିବା ଏଲ୍ .ଏଣ୍ଡ୍.ଟି କମ୍ପାନୀ ପକ୍ଷରୁ ପାର୍କିଂ ସମସ୍ୟାର ପ୍ରତିକାର ସକାଶେ ଜିଲ୍ଲାପ୍ରଶାସନ ଏବଂ ସରକାରଙ୍କ ଦୃଷ୍ଟି ଆକର୍ଷଣ କରଯାଇଥିବାର ଜଣାପଡିଛି।
ଏହି ରାସ୍ତା ଦେଇ ସମ୍ବଲପୁର, ଝାରସୁଗୁଡା.ସୁନ୍ଦରଗଡ ଆଦି ଜିଲାର ଉଚ୍ଚ ପଦସ୍ଥ ପ୍ରଶାସନିକ ଅଧିକାରୀ, ନେତା, ମନ୍ତ୍ରୀ ବିଧାୟକମାନେ ପ୍ରାୟ ନିୟମିତ ବ୍ୟବଧାନରେ ଯାତୟାତ କରିଥାନ୍ତି। ରାସ୍ତା କଡରେ ବେଆଇନ୍ ଭାରି ମାଳବାହୀଯାନ ଗୁଡିକ ପାର୍କିଂ କରାଯାଇଥିବାର ଉପରୋକ୍ତ ପ୍ରଶାସନିକ ଅଧିକାରୀ, ନେତା ଏବଂ ନିର୍ବାଚିତ ପ୍ରତିନିଧି ମାନେ ଦେଖି ନଦେଖିଲା ଭଲି ନୀରବ ଦ୍ରଷ୍ଟା ସାଜିବା ସବୁଠାରୁ ଆଶ୍ଚର୍ଯ୍ୟ ତଥା ପରିତାପ ର ବିଷୟ ବୋଲି ସଚେତନ ନାଗରିକ ମହଲ ରେ ପ୍ରତିକ୍ରିୟା ପ୍ରକାଶ ପାଉଛି। ପରିବହନ ବିଭାଗ ମଧ୍ୟ ଏହି ଟ୍ରାଫିକ୍ ସମସ୍ୟା ର ସ୍ଥାୟୀ ପ୍ରତିକାର ନକରି ଧ୍ରୁତରାଷ୍ଟ୍ର ଭଲି ଆଖିବୁଜି ରହିବା ଦୁର୍ଭାଗ୍ୟ ଜନକ ବୋଲି ଜନ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଉଛି। ବେଆଇନ୍ ପାର୍କିଂ ଯୋଗୁଁ ଦୀର୍ଘ ଦିନ ଧରି ନିୟମିତ ଭାବରେ ଦେଖା ଦେଉଥିବା ଟ୍ରାଫିକ୍ ସମସ୍ୟାର ସ୍ଥାୟୀ ପ୍ରତିକାର କରା ନଗେଲେ ଟ୍ରାଫିକ୍ ସମସ୍ୟା ଦିନକୁ ଦିନ ଆହୁରି ଉତ୍କଟ ଅକାର ଧାରଣ କରି ଜନ ଜୀବନ ପ୍ରତି ବିପଦ ସୃଷ୍ଟିର ଆଶଙ୍କା ଥିବାରୁ ଜିଲା ପ୍ରଶାସନ ବିଶେଷତଃ ପରିବବହନ ଏବଂ ପୁଳିସ ପ୍ରଶାସନ ଏହାର ଆଶୁ ପ୍ରତିକାର ଦିଗରେ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ଦାବୀ ହେଉଛି।
ଏସଂକ୍ରାନ୍ତରେ ସମ୍ବଲପୁର ସ୍ଥିତ ଆଞ୍ଚଳିକ ପରିବହନ ଅଧିକାରୀ ଦାୟିତ୍ୱ ରେ ଥିବା ଏମ୍.ଭି.ଆଇ ପ୍ରମୋଦ କୁମାର ସାହୁଙ୍କୁ ପଚରା ଯିବାରୁ ରେଙ୍ଗାଲିର ଶିଳ୍ପାଞ୍ଚଳ ରେ ରାସ୍ତାକଡରେ ଭାରିଯାନ ପାର୍କିଂ ସମସ୍ୟା ରହିଛି। ଏହାର ସମାଧାନ ଏବଂ ପ୍ରତିକାର ପାଇଁ ସମସ୍ତ ଶିଳ୍ପାନୁଷ୍ଠାନ କର୍ତ୍ତୃପକ୍ଷ ଙ୍କୁ ଡକାଇ ଏକ ବୈଠକ କରଯାଇ ଏହି ସମସ୍ୟା ର ସମଧାନ କରାଯିବାର ନିଷ୍ପତ୍ତି ନିଅଯାଇଛି ବୋଲି କହିଛନ୍ତି।
ଅପରପକ୍ଷରେ ଠେଲକୋଲୋଇ ଥାନା ଅଧିକାରୀ ଜୟରଶ୍ମୀ ସେଠି ଙ୍କୁ ପଚରାଯିବା ରୁ କୋଇଲା ଖଣିର ସିଟିଆର୍ ରୋଡରେ ଦୁଇ ଦିନ ଧର୍ମଘଟ ଥିବାରୁ ବିଜୁ ଏକ୍ସପ୍ରେସ୍ ୱେ ରାସ୍ତା କଡରେ ଗାଡି ପାର୍କିଂ ହୋଇ ରହିଥିଲା। ଅନ୍ୟ ଦିନ ମାନଙ୍କ ରେ ରାସ୍ତା କଡ ରେ ସେଭଲି ଭାରିଯାନ ପାର୍କିଂ ଯୋଗୁଁ ସମସ୍ୟା ହେଉ ନାହିଁ ବୋଲି କହିଛନ୍ତି।



