ରେଙ୍ଗାଲି: ରେଙ୍ଗାଲି ବ୍ଲକର ସାଳଡ, ମଙ୍ଗଳପୁର, ପୁଡାପଡ଼ା, ବମାଲୋଇ, ରୁନିମହୁଲ, ପରଦେଶୀପାଲି ଆଦି ଗ୍ରାମରେ ଥିବା ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ପୀଠରେ ବଏଲ୍ଦ ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରେ ଅପରାହ୍ନରେ ଦେବୀ ସମଲେଶ୍ୱରୀଙ୍କୁ ଶାକ୍ତ ବିଧି ପରମ୍ପରା ଅନୁସାରେ ଚଣ୍ଡିପାଠ, ହୋମ ପୂଜା ଅର୍ଚ୍ଚନା କରାଯାଇଥିଲା। ରାତିରେ ଦେବୀ ବାହାନ ବରୁଆ ଶରୀରରେ ଦୈବୀ ଶକ୍ତି ସଂଚାର ପାଇଁ ପୂଜକ ମନ୍ତ୍ର ତନ୍ତ ପ୍ରୟୋଗ କରିଥିଲେ। ପୂଜକଙ୍କ ମନ୍ତ୍ର ଦ୍ୱାରା ବରୁଆ ଶରୀରରେ ଦୈବୀ ଶକ୍ତି ସଂଚରିତ ହେଲା ପରେ ଦେବୀ ସମଲେଶ୍ୱରୀ ବରୁଆ ଶରୀରରେ ବିଜେ କରି ଶ୍ରଦ୍ଧାଳୁ ଭକ୍ତଙ୍କୁ ଦର୍ଶନ ଦେଇ ଆଶିର୍ବାଦ ପ୍ରଦାନ ପାଇଁ ଗ୍ରାମ ପରିକ୍ରମା କରିଥିଲେ।
ଗ୍ରାମ ପରିକ୍ରମା ଅବସରରେ ଦେବୀ ବାହାନ ବରୁଆକୁ ପ୍ରତିଘରେ ପୂଜା ଅର୍ଚ୍ଚନା କରି ସ୍ୱାଗତ କରାଯାଇ କେତେକ ଘରେ ଛେଳି, କୁକୁଡା ବଳି ଏବଂ କେତେକ ଘରେ ଫଳମୂଳ ଭୋଗ ନୈବେଦ୍ୟ ପ୍ରଦାନ କରାଯାଇଥିଲା। ଗ୍ରାମ ପରିକ୍ରମା ସାରି ବରୁଆ ମନ୍ଦିର ପ୍ରତ୍ୟାବର୍ତ୍ତନ କାଲପରେ ବଏଲ୍ ଯାତ୍ରା ସମାପିତ ହୋଇଥିଲା। ପୂଜା କମିଟୀ ସଦସ୍ୟଙ୍କ ତତ୍ତ୍ୱାଧାନ ଏବଂ ଗ୍ରାମବାସୀଙ୍କ ସହଯୋଗରେ ଅନୁଷ୍ଠିତ ବଏଲ୍ ଯାତ୍ରା ଅବସରରେ ନାଟକ, କୃଷ୍ନଗୁରୁ ଭଜନ, ଅର୍କେଷ୍ଟ୍ରା ଆଦି ବିଭିନ୍ନ ପ୍ରକାର ସାଂସ୍କୃତିକ ଏବଂ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମା ସମଲେଶ୍ୱରୀଙ୍କୁ ଦର୍ଶନ କରି ଆଶିର୍ବାଦ ଗ୍ରହଣ କରିବାକୁ ଯାତ୍ରାରେ ପ୍ରବଳ ଜନଗହଳି ହୋଇଥିଲା। ବିଭିନ୍ନ ରାଜନୈତିକ ଦଳର ନେତା ଏବଂ ନିର୍ବାଚିତ ପ୍ରତିନିଧି ବଳିଯାତ୍ରା ଦେଖିବାକୁ ଆସି ସମଲେଶ୍ୱରୀଙ୍କ ଦର୍ଶନ କରିଥିଲେ।



