
ନିଖୋଜ ସୁରକ୍ଷାକର୍ମୀଙ୍କ ମୃତ ଦେହ ଉଦ୍ଧାର

ରେଙ୍ଗାଲି: ୨୧ ତାରିଖ ରାତିରେ ଠେଲକୋଲୋଇ ସ୍ଥିତ ଜେ.ଏସ୍.ଡବ୍ଳୁ-ଭୂଷଣ ଷ୍ଟିଲର ପେଲେଟ୍ ପ୍ଳାଣ୍ଟର ସ୍ଲରି ପଣ୍ଡ ଦୁର୍ଘଟଣା ପରେ ନିଖୋଜ ଥିବା ସୁରକ୍ଷାକର୍ମୀ ଅର୍ଜ୍ଜୁନ ରାମ(୨୪)ଙ୍କ ମୃତଦେହ ବାଞ୍ଜିବେର୍ଣା ଅଞ୍ଚଳରେ ବ୍ୟାପି ଥିବା କାରଖାନାରୁ ନିର୍ଗତ ସ୍ଲରି ଭିତରୁ ଆଜି ଉଦ୍ଧାର କରାଯାଇଛି। ସଲରି ପଣ୍ଡ ଦୁର୍ଘଟଣା ଯୋଗୁଁ ସୁରକ୍ଷା କର୍ମୀମାନଙ୍କ ରହିବା ପାଇଁ ନିର୍ମାଣ ହୋଇଥିବା ଆଶ୍ରୟ ସ୍ଥଳି ସ୍ଲରି ପ୍ରବାହରେ ଭୁଷଡି ଯିବା ଫଳରେ ସୁରକ୍ଷାକର୍ମୀ ଅର୍ଜ୍ଜୁନଙ୍କ ଉପରେ ଆଜବେଷ୍ଟସ୍ ଏବଂ ଲୁହା ଏଙ୍ଗଲ୍ ଚାପି ହୋଇ ଉପରେ ସ୍ଲରି ପ୍ରବାହିତ ହୋଇଥିଲା। ଫଳରେ ସେ ଶୋଚନୀୟ ଭାବରେ ମୃତ୍ୟୁ ବରଣ କରିଥିବା ପାରିପାର୍ଶ୍ବିକ ସ୍ଥିତିରୁ ଅନୁମାନ କରାଯାଉଛି ବୋଲି ଠେଲକୋଲୋଇ ଆଇଆଇସି ବିଧୁଭୂଷଣ ମିଶ୍ରଙ୍କ ସୁତ୍ରରୁ ପ୍ରକାଶ।
ଆଜି ସଦର ଉପ-ଜିଲ୍ଲାପାଳ ସୂର୍ଯ୍ୟବଁଶି ମୟୁର ବିକାଶ, ସଦର ଏସ୍ଡିପିଓ ପ୍ରଦୀପ କୁମାର ସାହୁ, ରେଙ୍ଗାଲି ତହସିଲଦାର ଦମୟନ୍ତି ସାହୁଙ୍କ ଉପସ୍ଥିତିରେ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଶବର ପଞ୍ଚନାମା କଲା ପରେ ବୁର୍ଲା ଡାକ୍ତରଖନାକୁ ବ୍ୟବଚ୍ଛେଦ ପାଇଁ ପଠାଇ ପୁଲିସ ତଦନ୍ତ ଜାରି ରହିଛି। ଆଏସ୍ଆଇ ସିକ୍ୟୁରୀଟି ସଂସ୍ଥା ଅଧିନରେ କାମ କରୁଥିବା ଅର୍ଜ୍ଜୁନ ରାମ ଛତିଶଗଡ଼ ପ୍ରଦେଶର ବାସିନ୍ଦା ବୋଲି ପୁଳିସ ସୁତ୍ରରୁ ଜଣାପଡିଛି।
Comments are closed.