ରେଙ୍ଗାଲି: ସମ୍ବଲପୁରରୁ ଝାରସୁଗୁଡାକୁ ଯାଉଥିବା ଆଇଓସିଏଲ୍ କମ୍ପାନୀର ତୈଳ ପାଇପ୍ ଲାଇନରୁ କତରବଗା ଥାନା କୁସୁମଡିହି ଅଞ୍ଚଳରେ ଥିବା ପାଇପରେ ଛିଦ୍ର କରି ଡିଜେଲ୍ ଚୋରୀ କରିଥିବା ଅଭିଯୋଗରେ ୪ ଆନ୍ତଃଜିଲ୍ଲା ଚୋରଙ୍କୁ ଗିରଫ କରି ଆଜି କୋର୍ଟ ଚଲାଣ କରାଯାଇଛି ବୋଲି କତରବଗା ଆଇଆଇସି ପ୍ରତାପକୁମାର ରଣା ଦେଇଥିବା ସୂଚନାରୁ ଜଣାପଡ଼ିଛି। ପାଇପ୍ ଲାଇନରୁ ଡିଜେଲ ଚୋରୀରେ ବ୍ୟବହୃତ ହୋଇଥିବା ଡିଜେଲ୍ ବୋଝେଇ ଟେଙ୍କର, କଳା ରଙ୍ଗର ହୁଣ୍ଡାଇ କାର୍, ଭାଲବ୍ ଲାଗିଥିବା ପାଇପ୍ ଏବଂ ୮ଟି ମୋବାଇଲ୍ ଫୋନ୍ ଅଭିଯୁକ୍ତମାନଙ୍କ ଠାରୁ ଜବତ କରାଯାଇଛି। ଅଭିଯୁକ୍ତମାନେ ହେଲେ ଅନୁଗୋଳ ଜିଲ୍ଲା ତାଲଚେର ବଡାଦାଣ୍ଡ ସାହିର କାର୍ ଚାଳକ ଦିବ୍ୟ ସାମଲ ଓରଫ ଶିବ, ଅନୁଗୋଳ କମାଣ୍ଡ ଗ୍ରାମର ତେଲ ଟ୍ୟାଙ୍କର ହେଲପର୍ କାମ କରୂଥିବା ଲିପକ୍ କୁମାର ସାହୁ ଓରଫ ଲିପୁ।
ଉତ୍ତର ପ୍ରଦେଶ କିସିନି ଥାନା ଅନ୍ତର୍ଗତ ମୈନପୁରୀ ଜିଲ୍ଲାର ଉବୟାନ୍ ଗ୍ରାମର ସୁଖେନ୍ଦ ସିଂହ ଓରଫ ସୋନୁ ଏବଂ ଉତ୍ତର ପ୍ରଦେଶ କନୌଜ ଜିଲ୍ଲାର ଛେବରାମୁ ଗ୍ରାମର ସୁନିଲ କୁମାର ଶର୍ମା। ଅଭିଯୁକ୍ତମାନେ ଡିଜେଲ୍ ଚୋରୀକରି ଫେରାର୍ ମାରୁଥିବା ବେଳେ କୁସୁମଡିହି ପାଖରେ ଥିବା ନାଳାର ପୋଲ ବାଡରେ କାର୍ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଫଳରେ ଖୋର୍ଦ୍ଧା ଜିଲ୍ଲା ବଡକୂଳ ଗ୍ରାମର ଶୁକ ବେହେରା ଆହତ ହୋଇଥିଲା। ତାକୁ ବୁର୍ଲା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରଯାଇଛି ବୋଲି ପୁଲିସ ସୁତ୍ରରୁ ପ୍ରକାଶ।



