ମୁମ୍ବଇ : ଏଟିଏମ୍ ଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ନଗଦ ଟଙ୍କା ମହଜୁଦ ରଖିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ, ବ୍ୟାଙ୍କ ଗୁଡ଼ିକୁ କହିଛି। ଏଟିଏମ୍ ଗୁଡ଼ିକରୁ କୌଣସି ସମୟରେ ଯେପରି ନଗଦ ଟଙ୍କା ସରି ନଯାଏ ତାହା ନିଶ୍ଚିତ କରିବାକୁ ରିଜର୍ଭ ବ୍ୟାଙ୍କ ସମସ୍ତ ବ୍ୟାଙ୍କକୁ କହିଛି। ଆସନ୍ତା ଅକ୍ଟୋବର ପହିଲାରୁ ଦେଶର କୌଣସି ଏଟିଏମ୍ ରେ ଯଦି ମାସକରେ ୧୦ଘଣ୍ଟାରୁ ଅଧିକ ସମୟ ନଗଦ ଟଙ୍କା ନ ରହେ ତେବେ ଏଟିଏମ୍ ପ୍ରତି ୧୦ ହଜାର ଟଙ୍କାର ଜୋରିମାନା ଲାଗୁ କରାଯିବ। ଏଟିଏମ୍ ରେ ଟଙ୍କା ନଥିବା ଯୋଗୁଁ ଯଦି କୌଣସି ଗ୍ରାହକ ଟଙ୍କା ଉଠାଇ ନ ପାରନ୍ତି ତେବେ ତାହାକୁ ଖାଲି ଏଟିଏମ୍ ଭାବେ ବିବେଚନା କରାଯିବ।
ଏ ସଂକ୍ରାନ୍ତରେ ରିଜର୍ଭ ବ୍ୟାଙ୍କ ଗତକାଲି ବ୍ୟାଙ୍କ ଗୁଡ଼ିକୁ ନୋଟିସ୍ ଜାରି କରିଛି। ଏଟିଏମ୍ ଗୁଡ଼ିକରେ ଯେପରି ପର୍ଯ୍ୟାପ୍ତ ପରିମାଣର ନଗଦ ଟଙ୍କା ମହଜୁଦ ରହିବ, ତାହାର
ତଦାରଖ ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ ଯୁକ୍ତ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ରିଜର୍ଭ ବ୍ୟାଙ୍କ ସମସ୍ତ ବ୍ୟାଙ୍କକୁ କହିଛି ।



