ରାୟଗଡା: ରାୟଗଡା ଜିଲା କାଶୀପୁର ବ୍ଲକ ଅନ୍ତର୍ଗତ ଦୁଡୁକାବାହାଲରେ ପାନୀୟଜଳ ପାଇଁ ଲୋକଙ୍କ ରାସ୍ତାରୋକ। ଗାଁ ଲୋକେ ଏହି ସମସ୍ୟା ନେଇ ବିଭାଗୀୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି ନେତା ମନ୍ତ୍ରୀ ସମସ୍ତଙ୍କ ନିକଟରେ ଗୁହାରି କରି ହତାଶ ହେବା ପରେ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଦୁଡୁକାବାହାଲରେ ଥିବା ନଳକୂପରୁ ଆବଶ୍ୟକ ପରିମାଣର ଜଳ ବାହାରୁନଥିବା ବେଳେ ଆଉ କିଛି ନଳକୂପ ଦୀର୍ଘ ଦିନ ହେବ ଅଚଳ ହୋଇ ପଡ଼ିଛି। ଦୀର୍ଘ ୧୫ -୨୦ ଦିନ ହେଲା ସେମାନେ ପାନୀୟଜଳ ନପାଇ ହଇରାଣ ହେଉଛନ୍ତି। ଏ ନେଇ ଅଭିଯୋଗ କଲେ ପଞ୍ଚାୟତ, ବ୍ଲକ ଏବଂ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ କର୍ତ୍ତୃପକ୍ଷ ଚୁପ ବସିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଆଜି ପାନୀୟଜଳ ସମସ୍ୟାକୁ ନେଇ ରାସ୍ତାରେ ହାଣ୍ଡି, ମାଠିଆ, ଗରା ରଖି ମୁଖ୍ୟ ରାସ୍ତା ଅବୋରଧ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଫଳରେ କାଶୀପୁର -ଟିକିରି-ରାୟଗଡା ମଧ୍ୟରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ରାସ୍ତାର ଉଭୟ ପାର୍ଶ୍ବରେ ଅଟକି ରହିଛି ଅନେକ ଯାନବାହାନ। ପାନୀୟଜଳ ପାଇଁ ଗ୍ରାମବାସୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିଲେ। ଏ ନେଇ ବାରମ୍ବାର ଅଭିଯୋଗ କଲେ କୌଣସି ସୁଫଳ ନମିଳିବାରୁ ବାଧ୍ୟ ହୋଇ ଆନ୍ଦୋଳନର ପନ୍ଥା ଅବଲମ୍ବନ କରିଥିବା ଗ୍ରାମବାସୀ କହିଛନ୍ତି।
ଜିଏସଟି.. ୨.୭୦ ଲକ୍ଷ ପର୍ଯ୍ୟନ୍ତ ଶସ୍ତା ହେଲା କାର୍ ଦାମ୍ ; ୪.୮୦ ଲକ୍ଷରେ ଜବରଦସ୍ତ କାର୍



