ରାୟଗଡା : ପୁଣି ରାୟଗଡ଼ାରୁ ବାଘଛାଲ ଜବତ। ଗତକାଲି ରାୟଗଡା ଜିଲା କୋଲନରା ନିକଟରୁ ୨ଟି କଲରାପତରିଆ ବାଘ ଛାଲ ଜବତ କରିବା ସହ ୪ ଜଣଙ୍କୁ ରାୟଗଡା ବନ ବିଭାଗର ସହାୟତାରେ ମହାରାଷ୍ଟ୍ରର ଏକ ଟିମ ଗିରଫ କରିବାରେ ସଫଳ ହୋଇଛି। ମୁମ୍ବାଇସ୍ଥିତ ଡାରେକ୍ଟର ଅଫ୍ ରେଭେନ୍ୟୁ ଇଣ୍ଟଲିଜେନ୍ସ ବିଭାଗ ବାଘଛାଲ ଡିଲ୍ ନେଇ ସୂଚନା ପାଇବା ପରେ ରାୟଗଡାରେ ଜାଲ ବିଛାଇ ଅପେକ୍ଷା କରିଥିଲା। ରବିବାର ମହାରାଷ୍ଟ୍ରର ୨ ଜଣ ବ୍ୟକ୍ତିଙ୍କୁ ଏହି ବାଘଛାଲ ବିକ୍ରି ନେଇ ଯୋଜନା ଚାଲିଥିବା ବେଳେ କୋଲନରା ନିକଟସ୍ଥ ୩୨୬ ନମ୍ବର ଜାତୀୟ ରାଜପଥରୁ ୪ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୨ଟି କଲରାପତରିଆ ବାଘ ଛାଲ ଜବତ ହୋଇଛି। ଗିରଫ ବ୍ୟକ୍ତିମାନଙ୍କ ମଧ୍ୟରେ ୨ ଜଣ ମହାରାଷ୍ଟ୍ର ନାଗପୁରର ହୋଇଥିବା ବେଳେ ଆଉ ୨ ଜଣ ରାୟଗଡା ଜିଲା ଗୁଣପୁର ଅଞ୍ଚଳର ବୋଲି ଜଣାପଡିଛି।
ଗୁଣପୁର ପୁଟାସିଂ ଅଞ୍ଚଳ ଅଞ୍ଜରସିଂ ଗାଁର ଜିସୟ ଗମାଙ୍ଗ ଓ ମାଛଖୁଣ୍ଟି ଅଞ୍ଚଳର ମହେଶ ହୁଇକା ବୋଲି ଜଣାପଡିଛି। ସେହିପରି ଅନ୍ୟ ୨ ଜଣ ବ୍ୟକ୍ତି ମହାରାଷ୍ଟ୍ର ରାଜ୍ୟର ନାଗପୁର ମାତିନଗର ଅଞ୍ଚଳର ପ୍ରଭାକର ନାୟକ ଓ ରାଜ କୁମାର ଗୁପ୍ତା। ନାଗପୁରର ରାଜକୁମାର ଓ ପ୍ରଭାକରଙ୍କୁ ଏହି ବାଘ ଚମଡା ବିକ୍ରୀ କରିବା ପାଇଁ ଯୋଗା ଯୋଗରେ ଥିଲେ ଗୁଣପୁର ପୁଟାସିଂ ଅଞ୍ଚଳର ଜିସୟ ଗମାଙ୍ଗ ଓ ମହେଶ ହୁଇକା । କୌଣସି ସୂତ୍ରରୁ ଏହି ବାଘ ଛାଲ ଚାଲାଣ ସମ୍ପର୍କରେ ଖବର ପାଇ ଡାରେକ୍ଟର ଅଫ ରେଭେନ୍ୟୁ ବିଭାଗ ଅଭିଯୁକ୍ତମାନଙ୍କୁ ଟ୍ରାକ କରିଥିଲେ ଓ ଏହି ଘଟଣା ଓଡ଼ିଶାର ରାୟଗଡ଼ା ଜିଲା ବୋଲି ଜଣାପଡିବା ପରେ ଏନେଇ ଅଗଷ୍ଟ ୩୦ ତାରିଖରେ ରାୟଗଡା ବନ ବିଭାଗକୁ ସୂଚନା ଦେଇଥିଲେ ଓ ସୂଚନା ଆଧାରରେ ଉଭୟ ବିଭାଗ ବାଘ ଚମଡା ବିକ୍ରୀ କରିବା ସମୟରେ ସମସ୍ତ ଅଭିଯୁକ୍ତଙ୍କୁ ଧରିବାରେ ସଫଳତା ପାଇଥିଲେ। ଗିରଫ ୪ ଅଭିଯୁକ୍ତଙ୍କୁ ଅଦାଲତ ଚାଲାଣ କରାଯାଇଥିବା ରାୟଗଡ଼ା ବନାଞ୍ଚଳ ଅଧିକାରୀ କାମେଶ୍ବର ଆଚାରୀ ସୂଚନା ଦେଇଛନ୍ତି ଓ ଏହି କଲରାପତରିଆ ବାଘ ଚମଡାକୁ ଗଜପତି ଜିଲାରୁ ମହାରାଷ୍ଟ୍ର ଚାଲାଣ ପାଇଁ ଅଣାଯାଇଥିଲା ବୋଲି ସୂଚନା ମିଳିଛି । ଉଭୟ ବାଘର ବୟସ ୫ରୁ ୭ ବର୍ଷ ମଧ୍ୟରେ ହେବ ଏବଂ ଏହାର ତଦନ୍ତ ଚାଲିଛି ବୋଲି ଏସିଏଫ ଅଶୋକ ପ୍ରଧାନ କହିଛନ୍ତି।



