ଫୁଲବାଣୀ: ଏକ ଗାଡି ଚୋରୀ ରାକେଟ ଠାକ କରିବାରେ ସଫଳ ହୋଇଛି ଫୁଲବାଣୀୀ ଟାଉନ ପୁଲିସ। ଦୁଇ ବାଇକ, ଦୁଇଟି ସ୍କୁଟର ଓ ଗୋଟିଏ ଅଟୋରିକ୍ସା ସହିତ ଗୋଟିଏ ଆପଲ ଆଇ-ଫୋନ ଜବତ କରାଯାଇଛି। ଏହି ମାମଲାରେ ସମ୍ପୃକ୍ତି ଅଭିଯୋଗରେ ଜଣେ ନାବାଳକଙ୍କ ସମେତ ତିନି ଜଣଙ୍କୁ ଗିରଫ କରିଛି ପୁଲିସ। ଗିରଫ ମାନେ ହେଲେ ଫୁଲବାଣୀ ମୁଣ୍ଡିଆସାହିରେ ରହୁଥିବା ଖଜୁରୀପଡା ଥାନା ଅନ୍ତର୍ଗତ ଆଡାଶିପଡା ପଞ୍ଚାୟତ ଘୋଡାପଥର ଗ୍ରାମର ରାହୁଲ ନାୟକ(୨୨) ଏବଂ ମୁଣ୍ଡିଆ ସାହିର କୈଳାଶ କାମ୍ପ(୨୪)।
ସୂଚନା ଅନୁଯାୟୀ, ସ୍ଥାନୀୟ ଟାଉନ ଥାନାରେ ଗାଡି ଚୋରୀ ନେଇ ଚାରିଟି ମାମଲା ରୁଜ୍ଜୁ ହୋଇଥିଲା। ଏନେଇ ଏସ ଆଇ ମନୋରଞ୍ଜନ ଭୋଇଙ୍କ ନେତୃତ୍ୱରେ ତଦନ୍ତ ଜାରି ରଖିଥିଲା ପୁଲିସ। ସୋମବାର ସକାଳେ ପାଟ୍ରୋଲିଂ ବେଳେ ତିନି ଅଭିଯୁକ୍ତଙ୍କୁ ଏକ ସ୍କୁଟର ସହ ସନ୍ଦେହଜନକ ଅବସ୍ଥାରେ ଧରିଥିଲା ପୁଲିସ। ସେମାନଙ୍କ ଠାରୁ କୌଣସି ସନ୍ତୋଷ ଜନକ ଉତ୍ତର ନ ମିଳିବାରୁ ଥାନାକୁ ଆଣି ପଚରାଉଚରା କରାଯାଇଥିଲା। ସମ୍ପୃକ୍ତ ସ୍କୁଟର ସମ୍ପର୍କରେ ଯାଞ୍ଚ କରିବା ପରେ ଏହା ଚୋରା ଗାଡି ବୋଲି ଜଣାପଡିଥିଲା। ଅଭିଯୁକ୍ତଙ୍କୁ ଅଧିକ ପଚରାଉଚରା ପରେ ସେମାନେ ଗତ ୧୩ ତାରିଖ ଦିନ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ପରିସରରୁ ଏହା ଚୋରୀ କରିଥିବା ସ୍ବୀକାର କରିଥିଲେ। ଏହି ସ୍କୁଟରଟି ଜଣେ ଡାକ୍ତରଙ୍କ ବୋଲି ସୂଚନା ଦେଇଛି ପୁଲିସ। ଏନେଇ ଅଧିକ ତଦନ୍ତ ଚାଲିଥିବା ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ସଦର ଏସଡିପିଓ ଶୁଭ୍ରଜିତ ବିଶ୍ବାଳ ଏବଂ ଟାଉନ ଥାନା ଅଧିକାରୀ ପି ସ୍ବରୂପ କିଶନ।



