କଟକ : ଚଳିତ ରଣଜୀ ସଂସ୍କରଣରେ ୨ୟ ବିଜୟ ହାସଲ କରିଛି ଓଡ଼ିଶା କ୍ରିକେଟ୍ ଦଳ। ଶିଲଂରେ ରବିବାର ସମାପ୍ତ ହୋଇଥିବା ଏଲିଟ୍ ଗ୍ରୁପ୍ ‘ଏ’ ମ୍ୟାଚ୍ରେ ଘରୋଇ ମେଘାଳୟକୁ ଇନିଂସ ଓ ୫୬ ରନ୍ରେ ଓଡ଼ିଶା ପରାସ୍ତ କରିଛି। ଫଳରେ ଓଡ଼ିଶା କ୍ରମାଗତ ୨ୟ ବିଜୟ ହାସଲ କରିଛି। ଫଳରେ ଓଡ଼ିଶାକୁ ବୋନସ୍ ସହ ୭ ପଏଣ୍ଟ ମିଳିଛି। ୬ଟି ମ୍ୟାଚ୍ରୁ ୨ଟି ଲେଖାଏଁ ବିଜୟ ଓ ପରାଜୟ ସହ ଓଡ଼ିଶା ୧୭ ପଏଣ୍ଟ ସହ ୪ର୍ଥ ସ୍ଥାନକୁ ଉନ୍ନୀତ ହୋଇଛି।
ଆସନ୍ତା ୩୦ରୁ ଟାଙ୍ଗୀର ଡ୍ରିମ୍ସ ଗ୍ରାଉଣ୍ଡରେ ସର୍ଭିସେସ୍ ବିପକ୍ଷରେ ଘରୋଇ ଓଡ଼ିଶା ୭ମ ତଥା ଅନ୍ତିମ ଲିଗ୍ ମ୍ୟାଚ୍ ଖେଳିବ। ଓଡ଼ିଶା ୭ ୱିକେଟ୍ରେ ୫୪୮ ରନ୍ରେ ପ୍ରଥମ ଇନିଂସ ଘୋଷଣା କରି ୩୫୦ ରନ୍ ଆଗରେ ରହିଥିଲା। ପରେ ରବିବାର ମେଘାଳୟ ୨ୟ ଇନିଂସରେ ଉନ୍ନତ ବ୍ୟାଟିଂ କରିଥିଲେ ହେଁ ଇନିଂସ ପରାଜୟ ଏଡ଼ାଇ ପାରିନଥିଲା। ୩ୟ ଦିନରେ ମେଘାଳୟ ୨୯୪ ରନ୍କରି ଅଲ୍ଆଉଟ୍ ହୋଇ ଯାଇଥିଲା।
ମେଘାଳୟ ୨ୟ ଇନିଂସରେ ନିଶାନ୍ତ ଚକ୍ରବର୍ତ୍ତୀ ୩୮ ଓ ବି. ଅନିରୁଦ୍ଧ ୨୦ ରନ୍ କରିଥିଲେ। ୯୭ରେ ୫ଟି ୱିକେଟ୍ ପଡ଼ିବା ପରେ ୬ଷ୍ଠ ୱିକେଟ୍ ପାଇଁ ସୁମିତ କୁମାର ଓ ଯଶକିରତ ସିଂହ ସଚଦେବା ୮୯ ରନ୍ ଯୋଡ଼ିଥିଲେ। ସୁମିତ ୫୧ ରନ୍ କରିଥିଲେ। ଯଶକିରତ ସଚଦେବା ୧୨ଟି ଚୌକା ସହ ସର୍ବାଧିକ ୮୧ ରନ୍ କରିଥିଲେ। ୱାନ୍ଲାମ୍ବକମ୍ ନଙ୍ଗ୍ଖ୍ଲ ୨୭ ଓ ଦୀପୁ ସାଙ୍ଗ୍ମା ୨୧ ରନ୍ କରିଥିଲେ। ସୁନୀଲ ରାଉଳ ୪ଟି, ରାଜେଶ ମହାନ୍ତି ୩ଟି ଓ ଗୋବିନ୍ଦ ପୋଦ୍ଦାର ୨ଟି ୱିକେଟ୍ ନେଇଥିଲେ। ରଣଜୀ ପଦାର୍ପଣ କରି ମ୍ୟାଚ୍ରେ ୭ଟି ୱିକେଟ୍ ନେଇଥିବା ତାପସ ଦାସ ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ।



