ରାମନାଗୁଡା: ସାରା ବିଶ୍ୱ ଆଜି କରୋନାରେ କବଳିତ ହୋଇଥିବା ବେଳେ ଭାରତରେ ଏହାର ଦ୍ଵିତୀୟ ଲହର କାୟା ମେଲାଇ ଚାଲିଛି। ଏହି ଘଡିସନ୍ଧି ମୁହୂର୍ତ୍ତରେ ସାଧାରଣ ଜନତାଙ୍କୁ ସଚେତନ କରିବା ପାଇଁ ରାୟଗଡ ଜିଲ୍ଲା ପଦ୍ମପୁରର ଯୁବ କଳାକାରଙ୍କ ପ୍ରୟାସରେ ପ୍ରସ୍ତୁତ କରାଯାଇଛି କରୋନା ସଚେତନତାଧର୍ମୀ କ୍ଷୁଦ୍ର ଚଳଚ୍ଚିତ୍ର। ବ୍ୟଙ୍ଗ ସହିତ ଆଞ୍ଚଳିକ ଭାଷାରେ ପ୍ରସ୍ତୁତ ଏହି ଚଳଚ୍ଚିତ୍ର ‘ଇଟା କି ବାଧା’ର ଆଜି ଭରଚୁଆଲ ଲୋକାର୍ପଣ ହୋଇଛି। ରାୟଗଡ ଜିଲ୍ଲାର ଅବସର ପ୍ରାପ୍ତ ପ୍ରାଧ୍ୟାପକ ଡ଼ଃ ଦୁଷ୍ମନ୍ତ ମହାନ୍ତି ଏଥିରେ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିବା ବେଳେ ଡିକିଡ଼ିଏ ପ୍ରକଳ୍ପ ପରିଚାଳକ ସୁଦର୍ଶନ ପାଢ଼ୀ, ବିଶିଷ୍ଟ ସାହିତ୍ୟିକ ଶ୍ରୀଧର ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି କ୍ଷୁଦ୍ର ଚଳଚ୍ଚିତ୍ରର ଗୁରୁତ୍ୱ ଉପରେ ଆଲୋଚନା କରିବା ସହ ଆମ ଅଞ୍ଚଳର ଲୋକଙ୍କ ପାଇଁ ଏହା ନିଶ୍ଚିତ ରୂପେ ଏକ ଉପଯୋଗୀ ହେବ ବୋଲି ମତବ୍ୟକ୍ତ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଏହି ଭରଚୁଆଲ କାର୍ଯ୍ୟକ୍ରମରେ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପଦ୍ମପୁର, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବିଷମକଟକଙ୍କ ସହ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଯୋଗଦେଇ ଏଭଳି ପ୍ରୟାସ କୁ ଭୁୟସୀ ପ୍ରଶଂସା କରିଥିଲେ। ଏହି କ୍ଷୁଦ୍ର ଚଳଚ୍ଚିତ୍ରଟି ଯୁବ ଲେଖକ ରୂପେଶ ସାହୁଙ୍କ ନିର୍ଦେଶନାରେ ନିର୍ମିତ ହୋଇଥିବା ବେଳେ ଶିକ୍ଷକ ତଥା ଯୁବ କବି ନୀଳମାଧଵ ପାଣିଗ୍ରାହୀ ଓ ଉଦ୍ୟାନ ବିଭାଗର ଅକ୍ଷୟ କୁମାର ପଣ୍ଡା ଅଭିନୟ କରିଛନ୍ତି। ୟୁଟୁବରେ ମଧ୍ୟ ଏହି ଚଳଚ୍ଚିତ୍ରଟି ଆଜି ଲୋକାର୍ପଣ ହେବା ସହ ଆମ ଅଞ୍ଚଳରେ ବେଶ ଆଦୃତ ହେଇପାରିବ ବୋଲି ଏହି ଯୁବକମାନେ ଆଶା ରଖିଛନ୍ତି।



